ମମତାଙ୍କୁ ହୁମାୟୁନଙ୍କ ନିଜ ଆସନ ଛାଡିବାକୁ ଅଫର, ବିଧାନସଭା ଫେରିବାକୁ କହିଲେ
ମମତାଙ୍କୁ ବିଧାନସଭା ଆସନ ଅଫର ଦେଲେ ହୁମାୟୁନ କବୀର। ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ବିଧାନସଭାକୁ ଆଣିବାକୁ ନିଜ ଆସନ ଛାଡିବାକୁ ଅଫର ଦେଇଛନ୍ତି ଆମ୍ ଜନତା ଉନ୍ନୟନ ପାର୍ଟିର ପ୍ରତିଷ୍ଠାତା ହୁମାୟୁନ କବୀର। ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ପରାଜୟ ପରେ ତୃଣମୂଳ କଂଗ୍ରେସରେ ବିଭାଜନ ହୋଇଛି। ଆଗରୁ କିଛି ସାଂସଦ ଦଳ ଛାଡିବା ଚର୍ଚ୍ଚା ହେଉଥିବା ବେଳେ ହୁମାୟୁନଙ୍କ ଅଫର ପୁଣି ରାଜ୍ୟର ରାଜନୈତିକ ସ୍ଥିତିକୁ ସରଗରମ କରିଛି।
ହୁମାୟୁନ କବୀର ମୁର୍ସିଦାବାଦ ଜିଲ୍ଲାର ନାଓଦା ଓ ରେଜିନଗର ଆସନରୁ ନିର୍ବାଚିତ ହୋଇଛନ୍ତି। ମମତାଙ୍କୁ ସେ ରେଜିନଗର ଆସନ ଛାଡିବାକୁ ଘୋଷଣା କରିଛନ୍ତି। କବୀର କହିଛନ୍ତି ଯଦି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଇସ୍ତଫା ଦେଇଥିବା ନନ୍ଦୀଗ୍ରାମ ଆସନରୁ ଲଢନ୍ତି ତେବେ ସେ ହାରିବେ। କିନ୍ତୁ ରେଜିନଗରରେ କବୀରଙ୍କ ପ୍ରଭାବ ଯୋଗୁଁ ମମତାଙ୍କ ବିଜୟ ସୁନିଶ୍ଚିତ।
ଗଣମାଧ୍ୟମକୁ ବୟାନ ଦେଇ ହୁମାୟୁନ କହିଛନ୍ତି ମମତା ବାନାର୍ଜୀ ଏବେ ଯେଉଁ ସ୍ଥିତିରେ ଅଛନ୍ତି, ତାହା ମୋତେ କଷ୍ଟ ଦେଉଛି। ମୁଁ ଆଜି ଯାହା ବି ହୋଇଛି କେବଳ ତାଙ୍କ ପାଇଁ। ବିଧାନସଭା ନିର୍ବାଚନ ପୂର୍ବରୁ ବାବ୍ରୀ ମସଜିଦ ପ୍ରସଙ୍ଗ ଏବଂ ବିଜେପି ସହ ଡିଲ ପ୍ରସଙ୍ଗକୁ ନେଇ ହୁମାୟୁନ କବୀର ଟିଏମସିକୁ ବହିଷ୍କୃତ ହୋଇଥିଲେ। ପରେ ସେ ଆମ୍ ଜନତା ଉନ୍ନୟନ ପାର୍ଟି ଗଢି ତୃଣମୂଳ କଂଗ୍ରେସ ବିରୋଧରେ ପ୍ରଚାର କରିଥିଲେ। ତେବେ ରାଜ୍ୟର ପରିବର୍ତ୍ତିତ ରାଜନୈତିକ ସ୍ଥିତିରେ ମମତାଙ୍କୁ ରାଜନୈତିକ ସଞ୍ଜୀବନୀ ଦେବାକୁ ଆଗେଇ ଆସିଛନ୍ତି ହୁମାୟୁନ କବୀର।
