ମାଡ଼ି ଆସିବ କି ବନ୍ୟା, ଆପଣଙ୍କ ଜିଲ୍ଲା ଲିଷ୍ଟରେ ନାହିଁ ତ ?

ବାତ୍ୟା ଦୁର୍ବଳ ହେଲେ ବି କମିନି ଟେନ୍‌ସନ୍!  ୧୮ ଜିଲ୍ଲାରେ ମାଡ଼ି ଆସିପାରେ  ଆକସ୍ମିକ ବନ୍ୟା? ପବନ ଅପେକ୍ଷା ଏବେ ବର୍ଷା ସାଜିବ ବଡ଼ ବିପଦ ! ଜାଣନ୍ତୁ କ’ଣ କହୁଛି ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଅକ୍‌ଭାନ୍‌’ ଏବେ ଦୁର୍ବଳ ହୋଇ ସାଧାରଣ ବାତ୍ୟାରେ ପରିଣତ ହୋଇଛି । ଅନେକ ଭାବୁଥିବେ ବୋଧହୁଏ ବାତ୍ୟାର ପ୍ରକୋପ କମିଗଲା ଏବଂ ଆଉ କୌଣସି ଭୟ ନାହିଁ । କିନ୍ତୁ ଆପଣ ଯଦି ଏପରି ଭାବୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ!  କାରଣ ବାତ୍ୟା ଦୁର୍ବଳ ହୋଇଥିଲେ ମଧ୍ୟ ଓଡ଼ିଶାବାସୀଙ୍କ ଉପରୁ ବିପଦ ଏପର୍ଯ୍ୟନ୍ତ ଟଳିନାହିଁ । ବରଂ ପବନ ଅପେକ୍ଷା ଏବେ ଲଗାଣ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା କରାଗଲାଣି…

ବାତ୍ୟା ‘ଅକ୍‌ଭାନ୍‌’ ପ୍ରଭାବରେ ଗତରାତିରୁ ରାଜ୍ୟର ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଗୋପାଳପୁରରୁ ଆରମ୍ଭ କରି ପାରାଦୀପ, ଚାନ୍ଦବାଲି ଓ ପୁରୀ ପର୍ଯ୍ୟନ୍ତ ସବୁଠି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଏହି ଲଗାଣ ବର୍ଷା ଯୋଗୁଁ ଏବେ ରାଜ୍ୟରେ ଆକସ୍ମିକ ବନ୍ୟା ବା ଫ୍ଲାସ୍ ଫ୍ଲଡ୍ ପରିସ୍ଥିତି ସୃଷ୍ଟି ହେବାର ପ୍ରବଳ ଆଶଙ୍କା ଦେଖାଦେଇଛି । ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସତର୍କ ସୂଚନା ଅନୁଯାୟୀ, ଆଗାମୀ କିଛି ଘଣ୍ଟା ଓଡ଼ିଶା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ସମୟ ମଧ୍ୟରେ ରାଜ୍ୟର ୧୮ଟି ଜିଲ୍ଲାରେ ଆକସ୍ମିକ ବନ୍ୟା ସହ ତଳିଆ ଅଞ୍ଚଳରେ ଭୟଙ୍କର ଜଳବନ୍ଦୀ ସମସ୍ୟା ଉପୁଜିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ପାଣିପାଗ ବିଭାଗ ଜାରି କରିଥିବା ଏହି ହାଇ-ଆଲର୍ଟ ତାଲିକାରେ ଉପକୂଳବର୍ତ୍ତୀ, ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ପ୍ରମୁଖ ଜିଲ୍ଲାଗୁଡ଼ିକ ରହିଛି। ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଏବଂ ଯାଜପୁର ଜିଲ୍ଲାରେ ବନ୍ୟା ଆଶଙ୍କା ସବୁଠୁ ଅଧିକ ରହିଛି। କେବଳ ସେତିକି ନୁହେଁ, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ବୌଦ୍ଧ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ପାଇଁ ମଧ୍ୟ ଆକସ୍ମିକ ବନ୍ୟା ନେଇ ସତର୍କତା ଜାରି କରାଯାଇଛି। ଅର୍ଥାତ୍ ଅଧା ଓଡ଼ିଶା ଏବେ ଜଳବନ୍ଦୀ ଓ ବନ୍ୟା ବିପଦ ଭିତରେ ରହିଛି ।

ଲଗାଣ ବର୍ଷା ଫଳରେ ଛୋଟ ନଦୀ, ନାଳ ଓ ପାହାଡ଼ିଆ ଝରଣାଗୁଡ଼ିକରେ ଜଳସ୍ତର ହଠାତ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେଣୁ ପାହାଡ଼ିଆ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ବିଶେଷ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିର ମୁକାବିଲା କରିବା ପାଇଁ ରାଜ୍ୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ସମ୍ପୂର୍ଣ୍ଣ ସଜାଗ ରଖାଯାଇଛି । ସହରାଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥା ସହ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଛି । ତେଣୁ କୌଣସି ଗୁଜବରେ ବିଶ୍ୱାସ ନକରି, ଆତଙ୍କିତ ନହୋଇ ପ୍ରଶାସନର ନିର୍ଦ୍ଦେଶାବଳୀ ମାନି ସୁରକ୍ଷିତ ସ୍ଥାନରେ ରୁହନ୍ତୁ ।

Spread the love

Leave a Reply

Your email address will not be published. Required fields are marked *