ରସଗୋଲା କହି ଖୁଆଇଦେଲେ ବୋମା, ବିସ୍ଫୋରଣରେ ୩୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ

ମଧ୍ୟପ୍ରଦେଶ: ରସଗୋଲା କହି ବୋମା ଖୁଆଇଦେଲେ । ପାଟିରେ ରଖି ଚୋବାଇ ଦେବାରୁ ହେଲା ଭୟଙ୍କର ବିସ୍ଫୋରଣ । ଚାଲିଗଲା ୩୫ ବର୍ଷୀୟ ଯୁବକଙ୍କ ଜୀବନ । ମଧ୍ୟପ୍ରଦେଶ ଡିଣ୍ଡୋରି ଜିଲ୍ଲାରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ମୃତ ଯୁବକ ଜଣକ ସ୍ଥାନୀୟ ଛନ୍ତା ଗାଁର ରାଜେନ୍ଦ୍ର ବାରାଉତିୟା । ଘଟଣାରେ ପୋଲିସ ସ୍ଥାନୀୟ ଅଞ୍ଚଳର ରାମଭଗତ ବରୌତିଆଙ୍କ ସମେତ ଅନ୍ୟ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ । ଗତ ୧୦ ତାରିଖ ରାତିରେ ରାଜେନ୍ଦ୍ର ରାତିରେ ଖାଇସାରି ନିଜ ଅଗଣାରେ ପରିବାର ସଦସ୍ୟଙ୍କ ସହ ବସି ନିଆଁ ପୋଉଁଥିଲେ। ଏହି ସମୟରେ ତାଙ୍କ ଘରେ ପହଞ୍ଚିଥିଲେ ସେହି ଗାଁର ରାମଭଗତ । ଦୁହିଁଙ୍କ ମଧ୍ୟରେ ସାଧାରଣ କଥାବାର୍ତ୍ତା ଚାଲିଥିବା ବେଳେ ଏହାରି ଭିତରେ ରାଜେନ୍ଦ୍ରଙ୍କୁ ରସଗୋଲା କହି ଏକ ଗୋଲାକାର ଜିନିଷ ଖାଇବାକୁ ଦେଇଥିଲେ ରାମଭଗତ ।

ରାଜେନ୍ଦ୍ର ଏହାକୁ ସଙ୍ଗେ ସଙ୍ଗେ ଚୋବାଇବା ମାତ୍ରେ ଘଟିଥିଲା ଭୟଙ୍କର ବିସ୍ଫୋରଣ । ମୁହଁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ସହ ପାଟି ଓ ମାଢ଼ି ଛିନଛତ୍ର ହୋଇଥିଲା । ପତ୍ନୀ ସୁଶୀଳା ବାଈ ଓ ପଡ଼ୋଶୀଙ୍କ ସହାୟତାରେ ରାଜେନ୍ଦ୍ରଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ରାଜନ୍ଦ୍ରେଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ ଏହି ବୋମା ଗୁଡ଼ିକୁ ଜଙ୍ଗଲରୁ ବାର୍ ହା ଶିକାର ପାଇଁ ବ୍ୟବହାର କରାଯାଏ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।  ଘଟଣା ପରେ ରାମଭଗତଙ୍କ ସମେତ ତାଙ୍କୁ ବୋମା ଯୋଗାଇଥିବା ଅନ୍ୟ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣା ପଛରେ ପୂର୍ବ ଶତ୍ରୁତା ନା ଆଉ କିଛି ତା’ର ତଦନ୍ତ ଜାରି ରଖିଛି ପୋଲିସ ।

Spread the love

Leave a Reply

Your email address will not be published. Required fields are marked *