ରୁଷିଆରେ ପ୍ଲେଗ୍ ଆଶଙ୍କା ନେଇ ଆମେରିକାର ଗୁରୁତ୍ୱ, ଆବଶ୍ୟକ ପଡ଼ିଲେ ସାହାଯ୍ୟର ହାତ ବଢେଇବେ ଟ୍ରମ୍ପ
ରୁଷିଆରେ ପ୍ଲେଗ୍ ଆଶଙ୍କା ନେଇ ଆମେରିକାର ଗୁରୁତ୍ୱ । ରୁଷିଆର ସାଇବେରିଆରେ ସନ୍ଦିଗ୍ଧ ନିମୋନିଆ ପ୍ଲେଗ୍ ମାମଲାକୁ ନେଇ ଆମେରିକା ସତର୍କ । ଘଟଣା ଉପରେ ଆମେରିକା ଅତି ଗୁରୁତ୍ୱର ସହ ନଜର ରଖିଥିବା କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆବଶ୍ୟକ ପଡ଼ିଲେ ରୁଷିଆକୁ ସାହାଯ୍ୟ କରିବାକୁ ଆମେରିକା ପ୍ରସ୍ତୁତ ବୋଲି ମଧ୍ୟ ସେ କହିଛନ୍ତି । ହ୍ୱାଇଟ୍ ହାଉସରେ ସାମ୍ବାଦିକଙ୍କ ପ୍ରଶ୍ନରେ ଟ୍ରମ୍ପ କହିଛନ୍ତି, ଆମେ ଏହାକୁ ଅତି ଗୁରୁତ୍ୱର ସହ ଦେଖୁଛୁ । ଏବେ ଏ ସମ୍ପର୍କରେ ଜାଣିବାକୁ ପାଇଛୁ। ସେମାନେ ଏହାକୁ ନିମୋନିଆ କହିଛନ୍ତି । ଆମେ ସେମାନଙ୍କୁ ସାହାଯ୍ୟ କରିବୁ ।
ରୁଷିଆର ଇର୍କୁସ୍କ ଆଣ୍ଟି ପ୍ଲେଗ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଜଣେ ୨୮ ବର୍ଷୀୟା ଲାବ୍ କର୍ମଚାରୀଙ୍କ ମୃତ୍ୟୁ ପରେ ଏହି ଆଶଙ୍କା ସୃଷ୍ଟି ହୋଇଛି । ସେ ଗୁରୁତର ନିମୋନିଆରେ ଆକ୍ରାନ୍ତ ହୋଇଥିଲେ। କିଛି ରିପୋର୍ଟରେ ତାଙ୍କ ମୃତ୍ୟୁ ନିମୋନିଆ ପ୍ଲେଗ୍ ସହ ଜଡ଼ିତ ହୋଇପାରେ ବୋଲି କୁହାଯାଉଛି। କିନ୍ତୁ ରୁଷିଆ ସରକାର ଏପର୍ଯ୍ୟନ୍ତ ପ୍ଲେଗ୍ ସଂକ୍ରମଣକୁ ନିଶ୍ଚିତ କରିନାହାନ୍ତି । ରୁଷିଆର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଏହାକୁ ‘ନିମୋନିଆ ଅଫ୍ ଅନନୋନ୍ ଅରିଜିନ୍ ବୋଲି କହିଛନ୍ତି। ଘଟଣା ପରେ ସାଇବେରିଆର ଇର୍କୁସ୍କ ଅଞ୍ଚଳରେ ପ୍ରାୟ ୨୦୦ ଜଣଙ୍କୁ ଡାକ୍ତରୀ ନିରୀକ୍ଷଣରେ ରଖାଯାଇଛି ।
ସମ୍ପୃକ୍ତ ହସ୍ପିଟାଲର କିଛି ଅଂଶକୁ ମଧ୍ୟ ଅଲଗା କରାଯାଇଛି । ତେବେ ଏପର୍ଯ୍ୟନ୍ତ ଆଉ କୌଣସି ପ୍ଲେଗ୍ ସଂକ୍ରମଣ ଚିହ୍ନଟ ହୋଇନଥିବା ରୁଷିଆ କର୍ତ୍ତୃପକ୍ଷ କହିଛନ୍ତି । ଏପଟେ ଆମେରିକାର ଷ୍ଟେଟ୍ ଡିପାର୍ଟମେଣ୍ଟ ଓ CDC ମଧ୍ୟ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଘଟଣା ସମ୍ପର୍କରେ ଅନେକ ତଥ୍ୟ ଏବେ ବି ନିଶ୍ଚିତ ହୋଇନଥିବାରୁ ରୁଷିଆକୁ ସଠିକ୍ ଓ ସ୍ୱଚ୍ଛ ସୂଚନା ଦେବାକୁ ଆମେରିକା ଅନୁରୋଧ କରିଛି। ନିମୋନିଆ ପ୍ଲେଗ୍ ହେଉଛି ୟେର୍ସିନିଆ ପେଷ୍ଟିସ୍ ବ୍ୟାକ୍ଟେରିଆ ଦ୍ୱାରା ହେଉଥିବା ପ୍ଲେଗର ଏକ ଗୁରୁତର ରୂପ । ଯାହା ଫୁସ୍ ଫୁସ୍ କୁ ପ୍ରଭାବିତ କରେ। ଶୀଘ୍ର ଚିହ୍ନଟ ହେଲେ ଆଣ୍ଟିବାୟୋଟିକରେ ଏହାର ଚିକିତ୍ସା ସମ୍ଭବ । WHO ମଧ୍ୟ ବର୍ତ୍ତମାନ ଉପଲବ୍ଧ ତଥ୍ୟ ଆଧାରରେ ସାଧାରଣ ଲୋକଙ୍କ ପାଇଁ ବିପଦ କମ୍ ବୋଲି ଆକଳନ କରିଛି ।
