ଲୋୟର ପିଏମଜିରେ ଚାଞ୍ଚଲ୍ୟ, ଧାରଣା ବେଳେ ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କଲେ ଦୁଇ ମହିଳା
ଭୁବନେଶ୍ୱର : ଲୋୟର ପିଏମଜିରେ ଚାଞ୍ଚଲ୍ୟ । ଧାରଣା ବେଳେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଦୁଇ ମହିଳା। ବାଣପୁର ଅଞ୍ଚଳର ବିଜ୍ଞାନୀ ପଣ୍ଡା ଓ ମାନସୀ ବେହେରା ନିଜ ସମସ୍ୟାର ସମାଧାନ ଦାବିରେ ଗତକାଲି ଲୋୟର ପିଏମଜିରେ ଧାରଣା ଦେଇଥିଲେ ।
ଅଭିଯୋଗ ଅନୁସାରେ, ପୂର୍ବରୁ ବାଣପୁର ଥାନାରେ ନ୍ୟାୟ ପାଇଁ ଯାଇଥିଲେ ମଧ୍ୟ ତାଙ୍କ କଥା ଶୁଣାଯାଇନଥିଲା । ଧାରଣାସ୍ଥଳରୁ ପୋଲିସ ଉଠାଇବାକୁ ଉଦ୍ୟମ କରିବା ପରେ ନିରୁପାୟ ହୋଇ ଉଭୟ ମହିଳା ବିଷାକ୍ତ କେମିକାଲ ସେବନ କରିଥିଲେ । ଘଟଣା ପରେ ତୁରନ୍ତ ପୋଲିସ ଉଭୟଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଖାଦ୍ୟ ସଂରକ୍ଷଣରେ ବ୍ୟବହୃତ ଏକ କେମିକାଲ ସେମାନେ ସେବନ କରିଥିଲେ । ତେବେ ହସ୍ପିଟାଲରେ ପହଞ୍ଚିବା ପରେ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିବାରୁ ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ଘଟଣାକୁ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
