ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ, କଙ୍ଗନା ରଣାୱତଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢ଼ିଲା କଙ୍ଗନା ରଣାୱତଙ୍କ ଅଡ଼ୁଆ । ଗାନ୍ଧୀ ପରିବାରକୁ ନେଇ କରାଯାଇଥିବା ପୋଷ୍ଟ ମାମଲାରେ ହିମାଚଳ ପ୍ରଦେଶ ପୁଲିସ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛି । ଶିମଲାର ପୁଲିସ ଅଧୀକ୍ଷକ ଗୌରବ ସିଂଙ୍କ ସୂଚନା ଅନୁଯାୟୀ, ଶିମଲା ନିବାସୀ କ୍ୟାପଟେନ ଅତୁଲ ଶର୍ମାଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି ।  ଧାରା ୧୯୬, ୩୫୩ ଏବଂ ୩୫୬ ଅନୁଯାୟୀ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଖଲ କରାଯାଇଛି । ପୁଲିସ ଏହି ଘଟଣାର ତଦନ୍ତ କରିବ।

ଅଭିଯୋଗ ଅନୁସାରେ, ନଭେମ୍ବର ୧୦ ତାରିଖରେ କଙ୍ଗନା ନିଜର ଯାଞ୍ଚ ହୋଇଥିବା ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ସଞ୍ଜୟ ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନାମୂଳକ ମନ୍ତବ୍ୟ ଥିବା ଅଭିଯୋଗ ହୋଇଛି । ଏପରିକି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ନେଇ ମଧ୍ୟ ପୋଷ୍ଟରେ ବିବାଦୀୟ ଦାବି କରାଯାଇଥିବା ଅଭିଯୋଗ ରହିଛି । ସେହିପରି ସଞ୍ଜୟ ଗାନ୍ଧୀଙ୍କ ମୃତ୍ୟୁ ପରେ ମେନକା ଗାନ୍ଧୀଙ୍କୁ ପାରିବାରିକ ବାସଭବନରୁ ବାହାର କରିଦିଆଯାଇଥିବା ନେଇ ମଧ୍ୟ ପୋଷ୍ଟରେ ଉଲ୍ଲେଖ ଥିବା ଅଭିଯୋଗକାରୀ କହିଛନ୍ତି ।

ଅନ୍ୟପଟେ ଏହି ପୋଷ୍ଟ ଦ୍ୱାରା ସମାଜରେ ଭୁଲ୍ ଧାରଣା ସୃଷ୍ଟି ହେବା ସହ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଓ ଅସଦ୍‌ଭାବନା ବଢ଼ିବାର ଆଶଙ୍କା ଥିବା ଅତୁଲ ଶର୍ମା ଅଭିଯୋଗ କରିଛନ୍ତି । ଏନେଇ ସେ ପୁଲିସ ମହାନିର୍ଦ୍ଦେଶକଙ୍କୁ ଇମେଲ୍‌ ଜରିଆରେ ଅଭିଯୋଗ ପଠାଇଥିଲେ । ଏଥିସହ ପୋଷ୍ଟଗୁଡ଼ିକର ସାଇବର ଫରେନ୍ସିକ୍‌ ଯାଞ୍ଚ କରିବାକୁ ମଧ୍ୟ ଦାବି କରିଥିଲେ । ତେବେ ଅଭିଯୋଗ ଆଧାରରେ କଙ୍ଗନା ରଣାୱତଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ ।

Spread the love

Leave a Reply

Your email address will not be published. Required fields are marked *