ହରିୟାଣାରେ ଭୟଙ୍କର ସଡ଼କ ଦୁର୍ଘଟଣା, ୩ ମୃତ ଓ ୩ ଆହତ

ହରିୟାଣା: ହରିୟାଣାର କୈଥଲରେ ଶନିବାର ରାତି ପ୍ରାୟ ୨ଟା ସମୟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ପାଇ ଓ ସିସମୋର ମଧ୍ୟରେ ଏକ କାର୍‌ କେନାଲ ପୋଲ ସହିତ ଏକ କାର ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୩ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ମୃତକମାନେ ଗୋଟିଏ ପରିବାରର ସଦସ୍ୟ ଏବଂ କରୋଡ଼ା ଗାଁର ବାସିନ୍ଦା ଥିଲେ । ଧକ୍କା ଏତେ ଜୋରଦାର ଥିଲା ଯେ କାର୍‌ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା ।

ସୂଚନାନୁଯାୟୀ, ଯୁବକମାନେ କରୋଡ଼ା ଗାଁରୁ କୈଥଲ ଅଭିମୁଖେ ଯାଉଥିଲେ । କ୍ଷେତରେ ଧାନ ଅମଳ କାମ ସାରିବା ପରେ ସେମାନେ ନରେନ୍ଦ୍ରଙ୍କ ଘରକୁ ଯିବା ପାଇଁ ବାହାରିଥିଲେ । ତେବେ ରାସ୍ତାରେ ପାଇ ଓ ସିସମୋର ମଧ୍ୟରେ ଥିବା କେନାଲ ପୋଲ ନିକଟରେ ସେମାନଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବକମାନେ ହେଲେ ବଲବୀରଙ୍କ ପୁଅ ନବଦୀପ (୧୯), କର୍ମବୀରଙ୍କ ପୁଅ ପ୍ରଦୀପ (୨୭) ଏବଂ ସତ୍ୟୱାନଙ୍କ ପୁଅ ଅଜୟ (୨୨ )। ତିନି ଜଣ ମୃତକ କରୋଡ଼ା ଗାଁର ବାସିନ୍ଦା ଥିଲେ । ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ମୃତକ ତିନି ଜଣ ଗୋଟିଏ ପରିବାରର ଥିଲେ। ଦୁର୍ଘଟଣା ପରେ ସେମାନଙ୍କୁ ନାଗରିକ ହସ୍ପିଟାଲ ନିଆଯାଇଥିଲା, ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟପଟେ ଏହି ଦୁର୍ଘଟଣାରେ ସାହିଲ, ଅର୍ଜୁନ ଏବଂ ନରେନ୍ଦ୍ର ଆହତ ହୋଇଛନ୍ତି । ସାହିଲଙ୍କୁ ସହରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଜଙ୍ଘ, ହାଡ଼ ଭାଙ୍ଗିଯାଇଛି । ସେହିପରି ଅର୍ଜୁନଙ୍କ ମେରୁଦଣ୍ଡରେ ଫ୍ରାକ୍ଚର ହୋଇଥିବାରୁ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । କାର୍‌ ଚଳାଉଥିବା ନରେନ୍ଦ୍ରଙ୍କ ମୁହଁ ଓ ବାହୁରେ ସାମାନ୍ୟ ଆଘାତ ଲାଗିଛି । ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ପାଇ ଓ ସିସମୋର ମଧ୍ୟରେ ସାମ୍ନା ପଟୁ ଏକ ଗାଡ଼ି ଆସୁଥିଲା । ସେହି ଗାଡ଼ିର ଆଲୋକ ଡ୍ରାଇଭରଙ୍କ ଆଖିରେ ପଡ଼ିବାରୁ ତାଙ୍କୁ ରାସ୍ତା ଠିକ୍‌ ଭାବେ ଦେଖାଯାଇନଥିଲା। ଏହି ସମୟରେ କାର୍‌ଟି ନିୟନ୍ତ୍ରଣ ହରାଇ କେନାଲ ପୋଲରେ ପିଟି ହୋଇଥିଲା । ଗୋଟିଏ ପରିବାରର ତିନି ଜଣ ଯୁବକଙ୍କ ମୃତ୍ୟୁରେ କରୋଡ଼ା ଗାଁ ସମେତ ସେମାନଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *