୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି, ଅକ୍ଟୋବର ୨୬ରୁ ଘରକୁ ଘର ଭୋଟର ସର୍ଭେ

ଭୁବନେଶ୍ୱର : ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି । ଅକ୍ଟୋବର ୨୬ରୁ ଘରକୁ ଘର ଭୋଟର ସର୍ଭେ । ନଭେମ୍ବର ୭ ପର୍ଯ୍ୟନ୍ତ ଏହି ସର୍ଭେ ଚାଲିବ। ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଏହି ସର୍ଭେ ପାଇଁ ମାଷ୍ଟର ଟ୍ରେନରଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୩ ତାରିଖରେ ଆୟୋଜନ କରାଯିବ। ମାଷ୍ଟର ଟ୍ରେନରମାନେ ପରବର୍ତ୍ତୀ ସମୟରେ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ଦେବେ।

ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଧାରିତ ସମୟସୀମା ଅନୁସାରେ ସର୍ଭେ ଓ ଭୋଟର ତାଲିକା ସମ୍ପର୍କିତ କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି। ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସବୁ ଜିଲ୍ଲାପାଳ, ସମସ୍ତ ପୌର କମିଶନରଙ୍କୁଚିଠି ଲେଖାଯାଇଛି। ସର୍ଭେ ଟିମ୍ କୁ ଆବଶ୍ୟକ ସହଯୋଗ ଯୋଗାଇବାକୁ ମଧ୍ୟ କୁହାଯାଇଛି। ଏହି ସର୍ଭେ ଜରିଆରେ ୨୦୨୭ ନିର୍ବାଚନ ପାଇଁ ଭୋଟରଙ୍କ ତଥ୍ୟ ଯାଞ୍ଚ କରାଯିବ ଏବଂ ଯୋଗ୍ୟ ନୂଆ ଭୋଟରଙ୍କୁ ତାଲିକାରେ ସାମିଲ କରିବା ପ୍ରକ୍ରିୟା ଆଗକୁ ବଢ଼ିବ।

୨୦୨୭ମସିହା ଜାନୁଆରୀ ପହିଲାକୁ କଟ୍ -ଅଫ୍ ତାରିଖ ଭାବେ ଧରାଯାଇଛି। ଅର୍ଥାତ୍ ଏହି ତାରିଖ ଆଧାରରେ ନୂଆ ଭୋଟରଙ୍କ ନାମ ସାମିଲ କରାଯିବ। ସେହିଦିନ ଚିଠା ଭୋଟର ତାଲିକା ମଧ୍ୟ ପ୍ରସ୍ତୁତ ହେବ। ଆବଶ୍ୟକ ପ୍ରକ୍ରିୟା ଓ ସଂଶୋଧନ ପରେ ୧୦ ଫେବୃଆରୀ ୨୦୨୭ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।

ଓଡ଼ିଶାରେ ଗତ ୨୦୨୨ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତ ନିର୍ବାଚନରେ ୱାର୍ଡ ମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ନିର୍ବାଚିତ କରାଯାଇଥିଲା। ସେହିପରି ପୌର ନିର୍ବାଚନରେ ମ୍ୟୁନିସିପାଲ କର୍ପୋରେସନ୍, ମ୍ୟୁନିସିପାଲିଟି ଓ NAC ପାଇଁ ପ୍ରତିନିଧି ଚୟନ ହୋଇଥିଲା। ଏବେ ୨୦୨୭ରେ ପରବର୍ତ୍ତୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହାର ପ୍ରଥମ ପ୍ରମୁଖ ପଦକ୍ଷେପ ଭାବେ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଘରକୁ ଘର ସର୍ଭେ କରାଯିବ।

Spread the love

Leave a Reply

Your email address will not be published. Required fields are marked *