୨୭ନା ୨୮ ରେ ପାଳନ ହେବ ରାଖୀ ପୂର୍ଣ୍ଣମୀ? ଦ୍ବନ୍ଦ୍ବ ଦୂର କଲେ ମୁକ୍ତିମଣ୍ଡପ ପଣ୍ଡିତ ସଭା
ଦୁଇ ଦିନ ରହିଛି ପୂର୍ଣ୍ଣିମା ତିଥି। ଅଗଷ୍ଟ ୨୭ତାରିଖ ନା ୨୮ ତାରିଖରେ ପାଳନ ହେବ ଗହ୍ମା ପର୍ବ ଓ ରାକ୍ଷୀ ପୂର୍ଣ୍ଣମୀ ସେନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା। ଶ୍ରୀମନ୍ଦିର ସ୍ୱୀକୃତି ପ୍ରାପ୍ତ ପଞ୍ଜିକା ଅନୁଯାୟୀ ଶ୍ରୀମନ୍ଦିରରେ ଉଦୟ ପର୍ବ ଅନୁଯାୟୀ ୨୮ତାରିଖରେ ପୂର୍ଣ୍ଣମୀ ପାଳନ ହେବାକୁ ଥିବା ବେଳେ ରକ୍ଷା ବନ୍ଧନ କିନ୍ତୁ ୨୭ତାରିଖରେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଜ୍ୟୋତିର୍ବିଦ। ଶ୍ରାବଣ ପୂର୍ଣ୍ଣିମାରେ ପରମ୍ପର ଅନୁଯାୟୀ ପାଳନ ହେବ ଗହ୍ମା ପର୍ବ। ଏହିଦିନ ବଳଭଦ୍ର ଜନ୍ମ ଓ ରକ୍ଷା ବନ୍ଧନ ଉତ୍ସବ ମଧ୍ୟ ହୋଇଥାଏ। ତେବେ ତିଥି ଅନୁଯାୟୀ ଚଳିତ ବର୍ଷ ଅଗଷ୍ଟ ୨୭ ନା ୨୮ରେ ପାଳନ ହେବ ତାକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ। ଶ୍ରୀମନ୍ଦିରରେ କିନ୍ତୁ ୨୮ତାରିଖରେ ହିଁ ବଳଭଦ୍ର ଜନ୍ମ ପାଳନ ହେବ। ପଞ୍ଜିକା ଅନୁଯାୟୀ ୨୭ ତାରିଖ ସକାଳ ୯ଟା ୭ମିନିଟ୍ ଠାରୁ ପୂର୍ଣ୍ଣମୀ ତିଥି ପ୍ରବେଶ କରିବ। ଅଗଷ୍ଟ ୨୮ତାରିଖ ସକାଳ ୯ଟା ୪୯ ବେଳକୁ ପୂର୍ଣ୍ଣମୀ ତିଥି ଅପସରି ଯାଇଥିବ। ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଉଦୟକାଳୀନ ଅର୍ଥାତ୍ ଗୋଟିଏ ଦିନର ସୂର୍ଯ୍ୟ ଉଦୟ ସମୟରେ ଯେଉଁ ତିଥି ରହିଥାଏ, ସେହି ତିଥି ପାଳନ ହୁଏ। ସେହିକ୍ରମରେ ଶ୍ରୀମନ୍ଦିରରେ ୨୮ତାରିଖରେ ହିଁ ପାଳନ ହେବ ଗହ୍ମା ପର୍ବ, ବଳଭଦ୍ର ଜନ୍ମ, ସୁଦର୍ଶନ ଚାରି ଆଶ୍ରମ ବିଜେ ନୀତି। ସେପଟେ ଶ୍ରୀମନ୍ଦିରରେ ୨୮ ତାରିଖରେ ଓ ଅନ୍ୟ ସମସ୍ତ ସ୍ଥାନରେ ୨୭ ତାରିଖରେ ପର୍ବ ପାଳନ କରିବାକୁ ସ୍ପଷ୍ଟ କରିଛି ମୁକ୍ତି ମଣ୍ଡପ ପଣ୍ଡିତ ସଭା।
ପୂର୍ବରୁ ଏମିତି ଅନେକ ବାର ତିଥିକୁ ନେଇ ଦ୍ୱନ୍ଦ୍ବ ଦେଖାଯାଇଛି। ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ରଙ୍କ କହିବା ଅନୁଯାୟୀ ଯେହେତୁ ୨୮ତାରିଖ ସକାଳ ୯ଟା ପରେ ତିଥି ନଥିବ,ତେଣୁ ସେହି ଦିନ ପର୍ବ ପାଳନ କରିବା ଉଚିତ୍ ନୁହେଁ। କିନ୍ତୁ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ସେହିଦିନ ହିଁ ଉଦୟ ପର୍ବ ଅନୁଯାୟୀ ବଳଭଦ୍ର ଜନ୍ମ କେବଳ ପାଳିତ ହେବ। କିନ୍ତୁ ୨୭ ତାରିଖରେ ଘରେ ଘରେ ପର୍ବ ପାଳନ ହେବା ଉଚିତ୍। ସେପଟେ ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥଶର୍ମାଙ୍କ ଅନୁଯାୟୀ କୌଣସି ଦ୍ୱନ୍ଦ୍ୱ ନରଖି, ମହାପ୍ରଭୁଙ୍କ ଶ୍ରୀମନ୍ଦିର ପର୍ବ ଆଧାରରେ ୨୮ ଅଗଷ୍ଟରେ ହିଁ ପର୍ବ ପାଳନ କରିବା ଉଚିତ୍। ସେହିଦିନ ହିଁ ଭାଇ ହାତରେ ରାକ୍ଷୀ ବାନ୍ଧି ପାରିବେ ଭଉଣୀ।ଶ୍ରୀମନ୍ଦିର ଉଦୟ ପର୍ବ ଅନୁସାରେ ଅଗଷ୍ଟ ୨୮ ତାରିଖରେ ହିଁ ପୂର୍ଣ୍ଣିମା, ବଳଭଦ୍ର ଜନ୍ମ ନୀତି ପାଳନ ହେବା ସହ ରାକ୍ଷୀ ଲାଗି ହେବ।
