ଆଉ ମାତ୍ର ୨ ଘଣ୍ଟାରେ ଆରମ୍ଭ ହେବ ବାତ୍ୟା ‘ଅକ୍ଭାନ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା, ଉପକୂଳରେ ବଢ଼ିଲା ପବନ ଓ ବର୍ଷାର ପ୍ରକୋପ
ବାତ୍ୟା ‘ଅକ୍ଭାନ୍’କୁ ନେଇ ସବୁଠାରୁ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଦୀର୍ଘ ସମୟର ପ୍ରତୀକ୍ଷା ଓ ଆଶଙ୍କା ପରେ ଏବେ ସ୍ଥଳଭାଗ ଛୁଇଁବାକୁ ଯାଉଛି ବାତ୍ୟା ‘ଅକ୍ଭାନ୍’ । ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ଆକଳନ ଅନୁଯାୟୀ, ଆଉ ମାତ୍ର ୨ ଘଣ୍ଟା ମଧ୍ୟରେ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । ବାତ୍ୟା ଉପକୂଳର ଖୁବ୍ ନିକଟରେ ପହଞ୍ଚି ସାରିଥିବାରୁ ଏବେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ବଦଳିଯାଇଛି ଏବଂ ପବନ ସହ ତୁହାକୁ ତୁହା ବର୍ଷା ଲାଗି ରହିଛି ।.
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଗଞ୍ଜାମ ଜିଲ୍ଲା ଗୋପାଳପୁର ନିକଟସ୍ଥ ହରିପୁର ସି-ବିଚ୍ ଆଖପାଖ ଅଞ୍ଚଳ ଦେଇ ବାତ୍ୟା ‘ଅକ୍ଭାନ୍’ ସ୍ଥଳଭାଗ ଅତିକ୍ରମ କରିବ । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ପବନର ବେଗ ଆହୁରି ବୃଦ୍ଧି ପାଇବ ଏବଂ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଏହାର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିବ । ସମୁଦ୍ର ଅଶାନ୍ତ ରହିଥିବାରୁ କୂଳରେ ଉଚ୍ଚ ଜୁଆର ଉଠୁଥିବା ଦେଖିବାକୁ ମିଳିଛି ।
ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ପକ୍ଷରୁ ‘ଜିରୋ କାଜୁଆଲଟି’ ଲକ୍ଷ୍ୟ ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତଳିଆ ଓ ବିପଦସଙ୍କୁଳ ଅଞ୍ଚଳରୁ ୩ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଲ୍ୟାଣ୍ଡଫଲ୍ ସମୟରେ ଏବଂ ଏହା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଓଡ୍ରାଫ୍, ଏନ୍ଡିଆର୍ଏଫ୍, ଅଗ୍ନିଶମ ବାହିନୀ ଏବଂ ଓଏଫ୍ଡିସି ଟିମ୍ଗୁଡ଼ିକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ଲୋକମାନେ ଘରୁ ବାହାରକୁ ନବାହାରିବାକୁ ଏବଂ ସୁରକ୍ଷିତ ସ୍ଥାନରେ ରହିବାକୁ ପ୍ରଶାସନ ପକ୍ଷରୁ କଡ଼ା ପରାମର୍ଶ ଦିଆଯାଇଛି ।
