ଉଜ୍ଜୈନ ଶାହି ମସଜିଦର ଜବରଦଖଲ ହଟାଇବାକୁ ନେଇ ବିରୋଧ, ୨୦୦୦ ପୋଲିସ କର୍ମୀ ଏବଂ RAF ଟିମ୍ ନିୟୋଜିତ
ଉଜ୍ଜୈନ : ମଧ୍ୟପ୍ରଦେଶ ଉଜ୍ଜୈନ ଜିଲ୍ଲାରେ ଶାହି ମସଜିଦର ଏକ ଅଂଶକୁ ରାସ୍ତା ପ୍ରଶସ୍ତୀକରଣ ପାଇଁ ଭଙ୍ଗାଯିବା ଯୋଜନା ଥିବା ସ୍ଥାନରେ ପ୍ରତିବାଦକାରୀଙ୍କ ପକ୍ଷରୁ ପୋଲିସ ଉପରକୁ ପଥର ମାଡ଼ ହୋଇଛି । ଅବଦାଲପୁରରେ ଏକ ମସଜିଦ ଜବରଦଖଲ ହଟାଇବା ସମୟରେ ବିରୋଧ ହୋଇଥିଲା । ଏହା ଯୋଗୁଁ ପୋଲିସକୁ ପଥର ମାଡ଼ କରାଯାଇଥିଲା, ଯାହାର ଜବାବରେ ପୋଲିସ ମଧ୍ୟ ଲୁହା ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା ।
ଖବର ମୁତାବକ, ଉଜ୍ଜୈନର ଅବଦାଲପୁରରେ ଥିବା ଏକ ମସଜିଦର ଏକ ଅଂଶ ବେଆଇନ ଭାବେ ତିଆରି ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଏହାକୁ ହଟାଇବା ପାଇଁ ଅଧିକାରୀ ପହଞ୍ଚିବା ସମୟରେ ସେମାନଙ୍କୁ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଥିଲା । ଗୋଟିଏ ଗୋଷ୍ଠୀର ଲୋକେ ମସଜିଦ ହଟାଇବାକୁ ନେଇ ଜିଦ୍ କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରି ଉଚ୍ଛେଦ ପାଇଁ ଆସିଥିବା ଟିମକୁ ଆକ୍ରମଣ କରିଥିଲେ । ଗତ ଦୁଇ ଦିନ ଧରି ମସଜିଦ ଉଚ୍ଛେଦ ପ୍ରସଙ୍ଗରେ ସ୍ଥାନୀୟ ଲୋକେ ଏବଂ ମୁସଲିମ ସମାଜ ମଧ୍ୟରେ ପାଟିତୁଣ୍ଡ ଜାରି ରହିଛି । ମୁସଲିମ ସମାଜ ପକ୍ଷରୁ ମସଜିଦ ବାହାରେ ବିରୋଧ ପ୍ରଦର୍ଶନ କରାଯାଉଛି ।
ତେବେ ସ୍ଥିତିକୁ ନଜରରେ ରଖି ପ୍ରାୟ ୨୦୦୦ପୋଲିସ କର୍ମୀଙ୍କୁ ମୁତୟନ କରାଯାଇଛି । ଏହାଛଡା ରାପିଡ ଆକ୍ସପ ଫୋର୍ସ ଟିମ୍ ମଧ୍ୟ ଘଟଣା ସ୍ଥଳରେ ରହିଛି । ମସଜିଦର ୫୦୦ମିଟର ପରିଧିରେ ସମସ୍ତ ଯିବା ଆସିବା ଉପରେ ପ୍ରତିବନ୍ଧକ ଲାଗିଛି । ଆଜି ସକାଳେ ମଧ୍ୟ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ କିଛି ବ୍ୟକ୍ତି ପୋଲିସ ଉପରେ ପଥର ମାଡ଼ କରିଥିଲେ । ଜବାବରେ ପୋଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା ।
ସୂଚନାଯୋଗ୍ୟ, ଅବଦାଲପୁର କଠାଲ ଛକରେ ରାସ୍ତା ଚଉଡା କାମ ଚାଲିଛି । ରାସ୍ତା ଚଉଡା କରିବା ପ୍ଲାନ୍ ମଧ୍ୟରେ ୭ଟି ଧାର୍ମିକ ସ୍ଥଳୀ ରହିଛି । ଏଥିରୁ ଅଧିକାଂଶ ଆପୋଷ ବୁଝାମଣାରେ ଭଙ୍ଗାଯାଇଛି । ଏକ ହନୁମାନ ମନ୍ଦିର ମଧ୍ୟ ଭଙ୍ଗା ଯାଇଛି । କିନ୍ତୁ ସାହି ମସଜିଦକୁ ନେଇ ବିବାଦ ଦେଖାଦେଇଛି । କେବଳ ମନ୍ଦିର କି ମସଜିଦ ନୁହେଁ, ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ପୈତୃକ ଘର ମଧ୍ୟ ଭଙ୍ଗାଯାଇଛି ।
