କଂଗ୍ରେସ ଛାଡ଼ିଲେ ବରିଷ୍ଠ ନେତା ଅମୀୟ ପାଣ୍ଡବ

ଓଡ଼ିଶା ରାଜନୀତିରେ ଏକ ଚର୍ଚ୍ଚିତ ଚେହେରା, ବୁଦ୍ଧିଜୀବୀ ତଥା ବରିଷ୍ଠ କଂଗ୍ରେସ ନେତା ଅମୀୟ ପାଣ୍ଡବ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି । ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ ଏହି ଘୋଷଣା କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ତାଙ୍କର ଏହି ନିଷ୍ପତ୍ତି ପରେ ରାଜ୍ୟ ରାଜନୀତିରେ ଏବେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି ।୯୦ ଦଶକରେ ଜନତା ଦଳ (ସେକ୍ୟୁଲାର)ରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ଅମୀୟ ପାଣ୍ଡବ, ରେଭେନ୍ସା କଲେଜରୁ ଛାତ୍ର ରାଜନୀତିରେ ବେଶ୍ ସକ୍ରିୟ ଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାରୁ ନିଜର ପରିଚୟ ସୃଷ୍ଟି କରିଥିବା ଶ୍ରୀ ପାଣ୍ଡବ ସ୍ୱର୍ଗତ ଅଶୋକ ଦାସ ଏବଂ ପ୍ୟାରୀମୋହନ ମହାପାତ୍ରଙ୍କ ନିକଟତର ଥିଲେ । ୨୦୧୭ ମସିହାରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ଦଳରେ ରହି ସେ ପିସିସି ସେକ୍ରେଟାରୀ, ମୁଖପାତ୍ର ଏବଂ ସୋସିଆଲ ମିଡିଆ ଚେୟାରମ୍ୟାନ୍ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି । ଶରତ ପଟ୍ଟନାୟକଙ୍କ ସମୟରେ ସେ ରିସୋର୍ସ ସେଲ୍‌ର ରାଜ୍ୟ ସଂଯୋଜକ ଏବଂ ବୁଦ୍ଧିଜୀବୀ ସେଲ୍‌ର ସେକ୍ରେଟାରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ନିରଞ୍ଜନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ଭକ୍ତ ଦାସଙ୍କ ପର୍ଯ୍ୟନ୍ତ ଅନେକ ବରିଷ୍ଠ ନେତାଙ୍କ ସହ ସେ କାମ କରିଛନ୍ତି । ଟେଲିଭିଜନ ବିତର୍କ ମାଧ୍ୟମରେ କଂଗ୍ରେସର ସ୍ୱରକୁ ଜୋରଦାର କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ।

ରାଜନୀତି ବ୍ୟତୀତ ସେ ଜଣେ ସାହିତ୍ୟିକ ଓ ସ୍ତମ୍ଭକାର ଭାବେ ବେଶ୍ ପରିଚିତ । ‘ଅଙ୍ଗୀକାର’ ଓ ‘ଅକ୍ଷର’ ପତ୍ରିକାର ସମ୍ପାଦକ ଭାବେ କାର୍ଯ୍ୟ କରିବା ସହ ସେ ‘ନିର୍ଭୀକ’, ‘ନିଷ୍କର୍ଷ’, ‘ଅବ୍ୟକ୍ତ ବ୍ୟକ୍ତବ୍ୟ’, ‘ଦ୍ୱେଷଦ୍ରୋହୀ’, ‘ଭିନ୍ନ ଚିନ୍ତନ’ ଭଳି ୧୫ରୁ ଉର୍ଦ୍ଧ୍ୱ ପୁସ୍ତକ ରଚନା କରିଛନ୍ତି । ତେବେ ରାଜନୀତିରୁ ସନ୍ନ୍ୟାସ ନେବା ପରେ ସେ ଆଉ କୌଣସି ଦଳକୁ ଯିବେ କି ନାହିଁ, ସେ ନେଇ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ । ତାଙ୍କର ଏହି ହଠାତ୍ ସନ୍ନ୍ୟାସକୁ ନେଇ ଏବେ ରାଜ୍ୟ ରାଜନୈତିକ ମହଲରେ ବିଭିନ୍ନ ଆଲୋଚନା ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *