କିଟ୍ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଭଲିବଲ୍ ମହାକୁମ୍ଭ ଉଦ୍ଯାପିତ, ଚାମ୍ପିୟନ୍ ହେଲା ଇରାନ
ଭୁବନେଶ୍ବର: କିଟ୍ ଷ୍ଟାଡିୟମରେ ସେଣ୍ଟ୍ରାଲ୍ ଏସିଆ ଭଲିବଲ୍ ଆସୋସିଏସନ୍ (କାଭା) ପୁରୁଷ ଭଲିବଲ୍ ଲିଗ୍ ୨୦୨୬ ଉଦଯାପିତ ହୋଇଯାଇଛି । ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହୋଇଥିବା ଏହି ସମ୍ମାନଜନକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ବାଙ୍ଗାଲୋରକୁ ହରାଇ ଇରାନ୍ ଚାମ୍ପିୟନ୍ ହୋଇଛି। ପୁରସ୍କାର ବିତରଣ ଉତ୍ସବରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, କାଭା ଇଭେଣ୍ଟ କମିଟି ଅଧ୍ୟକ୍ଷା ସାରା ମରିୟମ୍ ହେସାବି, ଏସ୍ବିଆଇ ଓଡ଼ିଶା ମୁଖ୍ୟ ରାକେଶ କୁମାର ଯାଦବ, କିଟ୍ ବିଶ୍ୱବିଦ୍ୟାଳୟ ଉପକୁଳପତି ତଥା କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିଟ୍ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ରହି ବିଜେତା, ପ୍ରଥମ ଓ ଦ୍ୱିତୀୟ ଉପବିଜେତାଙ୍କୁ ପୁରସ୍କୃତ କରିଥିଲେ।
ସୂଚନାଯୋଗ୍ୟ, ୧୫ରୁ ୨୨ ନଭେମ୍ବର ପର୍ଯ୍ୟନ୍ତ କିଟ୍ କ୍ୟାମ୍ପସ୍ -୧୩ ବହୁମୁଖୀ ଇନଡୋର ଷ୍ଟାଡିୟମରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ୭ଟି ଦେଶରୁ ୮ଟି ଦଳ ଭାଗନେଇଥିଲେ। ଭାରତରୁ ୨ଟି ଦଳ ସହ ଇରାନ, କାଜାଖସ୍ତାନ, ଆଫଗାନିସ୍ତାନ, ଶ୍ରୀଲଙ୍କା, ନେପାଳ ଓ ମାଳଦ୍ୱୀପ ଟିମ୍ ସହ ୨୦୦ରୁ ଅଧିକ ଖେଳାଳି, ଅଫିସିଆଲ ରେଫରି ଓ ଅନ୍ତର୍ଜାତୀୟ ପ୍ରତିନିଧି ଯୋଗ ଦେଇଛନ୍ତି । ଏଫ୍ଆଇଭିବି ଓ କାଭା ତତ୍ତ୍ୱାବଧାନରେ ଓଡ଼ିଶା ଭଲିବଲ୍ ଆସୋସିଏସନ୍ ଓ କିଟ୍ ପକ୍ଷରୁ ଏହି ମେଗା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉଦଯାପନୀ ଉତ୍ସବରେ ଅଚ୍ୟୁତ ସାମନ୍ତ ବିଜୟୀ ଦଳକୁ ଶୁଭେଚ୍ଛା ଜଣାଇବା ସହ ସମସ୍ତ ଅଂଶଗ୍ରହଣକାରୀ ଦଳକୁ ଧନ୍ୟବାଦ ଜଣାଇଥିଲେ । ଏହା ସହ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରାଳୟ, ଗୃହ ମନ୍ତ୍ରାଳୟ, ଅନ୍ତର୍ଜାତୀୟ ବ୍ୟୁରୋ ଓ ଓଡ଼ିଶା ସରକାର, ଭଲିବଲ୍ ଷ୍ଟ୍ରିଅରିଂ କମିଟି, ଓଡ଼ିଶା ଭଲିବଲ୍ ସଂଘ, ଏହି ଟୁର୍ଣ୍ଣାମେଣ୍ଟରେ ବୈଷୟିକ ଅଧିକାରୀ, ରେଫରି, ମ୍ୟାନେଜର ଓ ଅଫିସିଆଲ୍ଙ୍କୁ ସେମାନଙ୍କ ସହଯୋଗ ଓ ସମର୍ଥନ ପାଇଁ ଡ. ସାମନ୍ତ କୃତଜ୍ଞତା ଜଣାଇଥିଲେ ।
