କୋଟିଆରେ ପଞ୍ଚାୟତ ନିର୍ବାଚନ ଘୁଞ୍ଚିଲା, ଡିସେମ୍ବର ୨ରେ ହେବ ମତଦାନ
କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଜାରି ରହିଥିବା ସୀମା ବିବାଦ ମଧ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ଆସିଛି ବଡ଼ ଖବର । କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ହେବାକୁ ଥିବା ସରପଞ୍ଚ ଓ ୱାର୍ଡମେମ୍ବର ନିର୍ବାଚନ ତାରିଖ ଘୁଞ୍ଚାଇ ଦିଆଯାଇଛି । ପୂର୍ବରୁ ନଭେମ୍ବର ୨୯ ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ଅନ୍ୟପଟେ ଡିସେମ୍ବର ୨ ତାରିଖରେ ମତଦାନ ହେବ ବୋଲି ଜଣାପଡୁଛି । ଏନେଇ ଆନ୍ଧ୍ରପ୍ରଦେଶ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ନୂଆ ଯୋଜନା ଜାରି ହୋଇଛି। ନୂଆ ସୂଚାନା ଅନୁଯାୟୀ, କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର, ଫଗୁଣସିନେରୀ ଓ ଫାଟୁସିନେରୀ ଗାଁରେ ଡିସେମ୍ବର ୨ରେ ଭୋଟ୍ ହେବ। ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ଏହାପରେ ଅପରାହ୍ନ ୨ଟାରୁ ଭୋଟ୍ ଗଣତି ଆରମ୍ଭ ହେବ।
ଅନ୍ୟପଟେ ନିର୍ବାଚନ ତାରିଖ ଘୁଞ୍ଚିବା ପରେ ଓଡ଼ିଶା ପ୍ରଶାସନର ପରବର୍ତ୍ତୀ ପଦକ୍ଷେପକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ନଭେମ୍ବର ୨୯ରେ କୋଟିଆରେ କୋରାପୁଟ ପରବ ଆୟୋଜନ ପାଇଁ ଯୋଜନା ହୋଇଥିଲା। ଏହା ମାଧ୍ୟମରେ ସୀମାନ୍ତ ଅଞ୍ଚଳର ଲୋକଙ୍କ ସହ ଓଡ଼ିଶାର ସମ୍ପର୍କକୁ ଆହୁରି ମଜବୁତ କରାଉଛି ।
କୋଟିଆର ୨୧ଟି ଗାଁକୁ ନେଇ ଦୀର୍ଘଦିନ ଧରି ଉଭୟ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହଥିଲା । ଏଭଳି ପରିସ୍ଥିତିରେ ଆନ୍ଧ୍ରର ନିର୍ବାଚନ ପ୍ରକ୍ରିୟାକୁ ନେଇ ଓଡ଼ିଶାର ଆଭିମୁଖ୍ୟ କ’ଣ ରହିବ, ତାହା ଉପରେ ଏବେ ସମସ୍ତଙ୍କ ନଜର । ଡିସେମ୍ବର ୨ରେ ନିର୍ବାଚନ ହେବ କି ନାହିଁ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। କୋଟିଆର ସୀମା ବିବାଦକୁ କେବଳ ଦୁଇ ରାଜ୍ୟର ଅଧିକାରକୁ ନେଇ ନୁହେଁ ଏହା ଆଦିବାସୀଙ୍କ ଜୀବନ,ପରିଚୟ ଓ ଉନ୍ନତି ସହ ଜଡିତ । ତେଣୁ ବିବାଦର ସମାଧାନ ସହ କୋଟିଆ ବାସିଙ୍କର ସ୍ୱାର୍ଥ ଓ ସୁବିଧାକୁ ସବୁବେଳେ ଗୁରୁତ୍ୱ ଦେବା ଆବଶ୍ୟକ ।
