ଗଞ୍ଜାମରୁ ପ୍ରାୟ ୨୫ଟି ନାଗ ସାପ ଛୁଆ ଉଦ୍ଧାର, ଜଙ୍ଗଲରେ ଛାଡି ଦିଆଯାଇଥିବା ସୂଚନା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଚିକିଟି ଏନଏସି ଅଞ୍ଚଳରୁ ପ୍ରାୟ ୨୫ଟି ନାଗ ସାପ ଛୁଆ ଉଦ୍ଧାର କରାଯାଇଛି । ସ୍ନେକ ହେଲ୍ପ ଲାଇନ ସଦସ୍ୟ ରାମଚନ୍ଦ୍ର ସାହୁ ଏବଂ ବନ ବିଭାଗର ମିଳିତ ସହଯୋଗରେ ସାପ ଛୁଆଗୁଡ଼ିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲରେ ଛାଡି ଦିଆଯାଇଛି । ଚିକିଟି ଏନଏସି ପଣ୍ଡିତ ରାୟ ସାହି ନିକଟରେ ଥିବା ଏକ ଫାର୍ମରେ ଏକା ସାଙ୍ଗରେ ଦେଖିବାକୁ ମିଳିଥିଲା ପ୍ରାୟ ୨୫ଟି ନାଗ ସାପ ଛୁଆ । ଫାର୍ମ ମାଲିକ ମନୁ ସାହୁ କାର୍ଯ୍ୟ କରୁଥିବା ବେଳେ ସାପ ଛୁଆ ଗୁଡ଼ିକୁ ଦେଖି ଭୟଭୀତ ହୋଇଥିଲେ । ପରେ ସେ ତୁରନ୍ତ ବନ ବିଭାଗ ଓ ସ୍ନେକ ହେଲ୍ପ ଲାଇନ ସଦସ୍ୟ ରାମଚନ୍ଦ୍ର ସାହୁଙ୍କୁ ଖବର ଦେଇଥିଲେ ।

ଖବର ପାଇ ରାମଚନ୍ଦ୍ର ସାହୁ ଘଟଣାସ୍ଥଳରେ ପହଞ୍ଚି ସାବଧାନତାର ସହ ନାଗ ସାପ ଛୁଆଗୁଡ଼ିକୁ ଉଦ୍ଧାର କରିଥିଲେ । ପରେ ବନ ବିଭାଗର ସହଯୋଗରେ ସମସ୍ତ ସାପ ଛୁଆଙ୍କୁ ନିକଟସ୍ଥ ଋଷିଦଲ୍ଲୀ ଜଙ୍ଗଲରେ ସୁରକ୍ଷିତ ଭାବେ ଅବମୁକ୍ତ କରାଯାଇଥିଲା । ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବର୍ଷା ଋତୁରେ ସାପମାନେ ବାସସ୍ଥାନ ପରିବର୍ତ୍ତନ କରୁଥିବାରୁ ଜନବସତି ଅଞ୍ଚଳରେ ଦେଖାଦେବା ଘଟଣା ବଢ଼ିଥାଏ । ଏପରି ସ୍ଥିତିରେ ସାପ ଦେଖିଲେ ତାହାକୁ ନ ମାରି ବନ ବିଭାଗ କିମ୍ବା ସ୍ନେକ ହେଲ୍ପ ଲାଇନକୁ ଖବର ଦେବା ପାଇଁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *