ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଆଚରଣବିଧି ଓ ଗାଇଡଲାଇନ ଜାରି କଲା ଉଚ୍ଚଶିକ୍ଷା ବିଭାଗ
ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଆଚରଣବିଧି ଓ ଗାଇଡଲାଇନ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ । ଛାତ୍ର ସଂସଦ ନିର୍ବାଚନରେ ପ୍ରିଣ୍ଟ ପୋଷ୍ଟର, ପାମ୍ପଲେଟ୍ ବ୍ୟବହାରକୁ ବାରଣ କରାଯାଇଛି । କେବଳ ହାତ ତିଆରି ପୋଷ୍ଟର ବ୍ୟବହାର କରିପାରିବେ ପ୍ରାର୍ଥୀ । କ୍ୟାମ୍ପସ ବାହାରେ ଶୋଭାଯାତ୍ରା, ବୈଠକ କିମ୍ବା ପ୍ରଚାର ଉପରେ କଟକଣା । କଲେଜରେ ଶୋଭାଯାତ୍ରା ଓ ବୈଠକ ପାଇଁ ପ୍ରାର୍ଥୀଙ୍କୁ ଆଗୁଆ ଲିଖିତ ଅନୁମତି ନେବାକୁ ହେବ।
ସୋସିଆଲ ମିଡିଆ କଟକଣା ମଧ୍ୟ ଲାଗିଛି। କେହି କାହା ବିରୋଧରେ ଅପମାନଜନକ କିମ୍ବା ଆପତ୍ତିଜନକ ଭାଷା ବ୍ୟବହାର କରି ପାରିବେ ନାହିଁ । ସୋସିଆଲ ମିଡିଆରେ ବ୍ୟକ୍ତିଗତ ଆକ୍ଷେପ ମନା । ମିଥ୍ୟା କିମ୍ବା ବିଭ୍ରାନ୍ତିକର ତଥ୍ୟ ପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ ହେବ । ସେହିଭଳି AI ଦ୍ୱାରା ପ୍ରସ୍ତୁତ ଫେକ୍ କଣ୍ଟେଣ୍ଟ ପ୍ରଚାର ଉପରେ କଟକଣା ଲାଗିଛି । ନିର୍ବାଚନ ଖର୍ଚ୍ଚ ମଧ୍ୟ ୫ ହଜାରରେ ସୀମିତ ରହିବ । ପ୍ରତ୍ୟେକ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ । ଫଳାଫଳ ଘୋଷଣାର ୨ ସପ୍ତାହ ମଧ୍ୟରେ ନିର୍ବାଚନୀ ଖର୍ଚ୍ଚର ହିସାବ ଦେବେ । ରାଜନୈତିକ ଦଳରୁ ଟଙ୍କା ନେବା ନିଷେଧ କରାଯାଇଛି ।
