ଠାକୁରାଣୀ ଯାତ୍ରାରେ କାଳବୈଶାଖୀ ପ୍ରଭାବ, ଭାଙ୍ଗିଲା ଦୁଇଟି ବଡ଼ବଡ଼ ତୋରଣ
ଭଞ୍ଜନଗର: ଠାକୁରାଣୀ ଯାତ୍ରାରେ କାଳବୈଶାଖୀ ପ୍ରଭାବ । ବର୍ଷାରେ ଭିଜିଭିଜି ନଗର ଭ୍ରମଣ କଲେ ଠାକୁରାଣୀ । ଦୀର୍ଘ ଦେଢଘଣ୍ଟା ଧରି ବର୍ଷାରେ ଭିଜିଲା ଯାତ୍ରାପଡିଆ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ମେଲୋଡି ମଞ୍ଚ । ବର୍ଷା-ପବନରୁ ତ୍ରାହି ପାଇବାପାଇଁ ଦୌଡିଲେ ହଜାର ହଜାର ଜନସାଧାରଣ । ଏଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା, ଗଂଜାମ ଜିଲ୍ଲା ଭଞ୍ଜନଗର ଠାରେ ଚାଲିଥିବା ଠାକୁରାଣୀ ଯାତ୍ରା ସମୟରେ । ମା’ଙ୍କର ନଗର ଭ୍ରମଣର ତ୍ରୟୋଦଶ ସନ୍ଧ୍ୟାରେ, ଭଞ୍ଜନଗରରେ ଲକ୍ଷାଧିକ ଜନସାଧାରଣଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହି ସମୟରେ ଅଚାନକ କାଳବୈଶାଖୀ ପ୍ରଭାବରେ ବର୍ଷା – ପବନ ସାଙ୍ଗକୁ ବିଜୁଳିର ପ୍ରକୋପ ଆରମ୍ଭ ହୋଇଥିଲା । ବଡ଼ବଡ଼ ଦୁଇଟି ତୋରଣ ଭାଙ୍ଗିବା ସାଙ୍ଗକୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇପଡିଥିଲା ।
ସେପଟେ, ବଙ୍ଗୋପସାଗରରେ ଘନଉଛି ଲଘୁଚାପ । ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରର ଉତ୍ତର ଶ୍ରୀଲଙ୍କା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ଆହୁରି ଅଧିକ ଘନୀଭୂତ ହେବ। ତେବେ ବାତ୍ୟାର ରୂପ ନେବାର ସମ୍ଭାବନା କ୍ଷୀଣ। ସିଷ୍ଟମ ଅଧିକ ଘନୀଭୂତ ହେବା ନେଇ ECMWF, NCUM, GFS ମଡେଲର ଆକଳନ କରିନାହାନ୍ତି । ତେବେ ଆଇଏମଏଡିର ଜିଏଫସ ମଡେଲର ଆକଳନ ଅନୁସାରେ, ଲଘୁଚାପ ଘନୀଭୂତ ହୋଇ ୧୭ ତାରିଖ ବେଳକୁ ଅବପାତର ରୂପ ନେଇପାରେ।
