ଦେଶରୁ ବିଦାୟ ନେଲା ମୌସୁମୀ, ଓଡ଼ିଶାରେ ଧୀରେ ଧୀରେ ବଢ଼ିବ ଶୀତ
ଭୁବନେଶ୍ବର: ଦେଶରୁ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ । ଦକ୍ଷିଣ ଭାରତରେ ଉତ୍ତର-ପୂର୍ବ ମୌସୁମୀ ପ୍ରବେଶ । ଓଡ଼ିଶାରେ ଶୁଖିଲା ପାଗ ସହ ଆଗକୁ ଧୀରେ ଧୀରେ ଶୀତ ଆସିବ । ଭାରତୀୟ ପାଣିପାଗ ବିଭାଗ ବିଭାଗର ସୂଚନା ଅନୁଯାୟୀ, ଦେଶର ସମସ୍ତ ଅଞ୍ଚଳରୁ ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏବେ ଦେଶରେ ଋତୁ ପରିବର୍ତ୍ତନର ସ୍ପଷ୍ଟ ସଙ୍କେତ ଦେଖିବାକୁ ମିଳିଛି। ଉତ୍ତର-ପୂର୍ବ ମୌସୁମୀ ପ୍ରଭାବରେ ଦକ୍ଷିଣ ଭାରତର ତାମିଲନାଡୁ, ପୁଡୁଚେରୀ, କେରଳ, ଉପକୂଳ ଆନ୍ଧ୍ରପ୍ରଦେଶ, ରାୟଲସୀମା ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ବର୍ଷା ଆରମ୍ଭ ହୋଇଯାଇଛି ।
ଆଗାମୀ କିଛି ଦିନ ମଧ୍ୟରେ ତାମିଲନାଡୁ ଓ କେରଳର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ରାଜ୍ୟରୁ ମୌସୁମୀ ଅପସାରଣ ପରେ ଓଡ଼ିଶାରେ ଏବେ ପ୍ରବଳ ବର୍ଷାର କୌଣସି ସମ୍ଭାବନା ନାହିଁ । ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ଓ ଆକାଶ ନିର୍ମଳ ରହିବ । ସେପଟେ ଉତ୍ତର ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ପ୍ରବେଶ କରୁଥିବାରୁ ରାତ୍ରିକାଳୀନ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ ।
ବିଶେଷ କରି କୋରାପୁଟ, କନ୍ଧମାଳ, କଳାହାଣ୍ଡି, ମୟୂରଭଞ୍ଜ ଓ କେନ୍ଦୁଝର ଭଳି ଆଭ୍ୟନ୍ତରୀଣ ତଥା ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ସକାଳ ଓ ରାତିରେ ହାଲୁକା ଶୀତ ଅନୁଭୂତ ହେବା ସହ କେତେକ ସ୍ଥାନରେ କୁହୁଡ଼ି ଦେଖାଦେବ । ଅନ୍ୟପଟେ ଉତ୍ତର ଭାରତରେ ଏକ ପଶ୍ଚିମା ଝଡ଼ ସକ୍ରିୟ ରହିଛି । ଏହାର ପ୍ରଭାବରେ ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ଉଚ୍ଚ ପାର୍ବତ୍ୟାଞ୍ଚଳରେ ତୁଷାରପାତ ହେବା ସହ ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀ-ଏନସିଆର ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ଏହାଫଳରେ ଉତ୍ତର ଭାରତରେ ତାପମାତ୍ରା ଦ୍ରୁତ ଗତିରେ ଖସିବାରେ ଲାଗିଛି ।
