ନିଶାରେ ଶଳାକୁ ଗୁଳିମାଡ଼ କଲା ଭିଣୋଇ
ବୌଦ୍ଧ : ବାହାଘର ଭୋଜିରେ ରକ୍ତପାତ । ନିଶା ସେବନ କରି ଶଳାକୁ ଗୁଳି କଲା ଭିଣୋଇ । ବୌଦ୍ଧ ଜିଲ୍ଲା ବଘିଆପଡ଼ା ଫାଣ୍ଡି ଚାରିଆପାଲି ଗାଁରେ ଘଟିଛି ଏଭଳି ଏକ ସାଂଘାତିକ ଘଟଣା । ଗୁଳିମାଡ଼ରେ ଶାଳକ ମିଥୁନ ମଲ୍ଲିକ ଗୁରୁତର ହୋଇଥିବା ବେଳେ ଅଭିଯୁକ୍ତ ଭିଣୋଇ ଏକାଦଶୀ ମଲ୍ଲିକକୁ ଗ୍ରାମବାସୀ କାବୁ କରିଛନ୍ତି । ଗାଁରେ ଏକ ବାହାଘର ଭୋଜି ଚାଲିଥିବା ବେଳେ ଭିଣୋଇ ଏକାଦଶୀ ମଲ୍ଲିକ ପ୍ରଚୁର ନିଶା ସେବନ କରିଥିଲା । କୌଣସି କାରଣକୁ ନେଇ ଶଳା ମିଥୁନଙ୍କ ସହ ତାର ବଚସା ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଏକାଦଶୀ ଏକ ଦେଶୀ ବନ୍ଧୁକ ବାହାର କରି ମିଥୁନଙ୍କ ଉପରକୁ ଗୁଳିମାଡ଼ କରିଥିଲା । ଗୁଳିଟି ମିଥୁନଙ୍କ କାନ୍ଧରେ ବାଜିବାରୁ ସେ ରକ୍ତାକ୍ତ ଅବସ୍ଥାରେ ଟଳି ପଡ଼ିଥିଲେ । ତାଙ୍କୁ ତୁରନ୍ତ ବୌଦ୍ଧ ହସ୍ପିଟାଲ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ଅନ୍ୟପଟେ, ଉତ୍ତ୍ୟକ୍ତ ଗ୍ରାମବାସୀ ଅଭିଯୁକ୍ତ ଭିଣୋଇକୁ କାବୁ କରି ଏକ ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ । ବଘିଆପଡ଼ା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି ।
ସୂଚାନଯୋଗ୍ୟ, ଗତବର୍ଷ ସମ୍ପର୍କୀୟ ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ । ଏଭଳି ଅଭାବନୀୟ ଘଟଣା ଘଟିଥିଲା ଗଜପତି ଜିଲ୍ଲା ମୋହନା ଥାନା ଭାଲିଆଗଣି ଗାଁରେ । ମୃତକ ହେଲେ ସେହି ଗ୍ରାମର କୈଳାଶ ନାୟକ । ମୋହନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଭିଣୋଇ ଉଦୟ ନାୟକକୁ କାବୁ କରିବା ସହ ଦେଶି ବନ୍ଧୁକ ଜବତ କରି ତଦନ୍ତ କରିଥିଲା ।
ସୂଚନା ମୁତାବକ, ଅପରାହ୍ନରେ କୈଳାଶ କାଠ ଆଣିବାକୁ ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ ଭିଣୋଇ ଉଦୟ ନିଜ ଦେଶି ବନ୍ଧୁକରେ କୈଳାଶଙ୍କୁ ଗୁଳି କରିଥିଲା । କୈଳାଶଙ୍କ ଛାତିରେ ୨ ରାଉଣ୍ଡ ଗୁଳି ବାଜିଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପୂର୍ବ ଶତ୍ରୁତାରୁ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଥିଲା ।
