ପଞ୍ଚାୟତ ନିର୍ବାଚନରେ ଓବିସିଙ୍କ ପାଇଁ କୌଣସି ସଂରକ୍ଷଣ ନ ରହିବା ଦୁର୍ଭାଗ୍ୟଜନକ : କଂଗ୍ରେସ

ଭୁବନେଶ୍ୱର; ୨୩/୭:  ଓବିସି ସଂରକ୍ଷଣକୁ ଓଡିଶା ସରକାର ସମ୍ପୂର୍ଣ ଅଣଦେଖା କରିବାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ପିସିସି ସଂଗଠନ ପ୍ରଭାରୀ ସନ୍ତୋଷ ସିଂ ସାଲୁଜା, ବରିଷ୍ଠ ମୁଖପାତ୍ର ସୋନାଲି ସାହୁ ଏବଂ ଡଃ ଦେବାଶିଷ ଭୂୟାଁ ସରକାର ଓବିସିଙ୍କ ପ୍ରତି କରୁଥିବା ଅନ୍ୟାୟକୁ ସମାଲୋଚନା କରିଥିଲେ । ସେମାନେ ସମ୍ମିଳନୀରେ କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ନାହିଁ। ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB) ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ କୌଣସି ସଂରକ୍ଷଣ ନାହିଁ। ତେଣୁ କଂଗ୍ରେସ ଦାବୀ କରୁଛି ଯେ,
ତୃଣମୂଳ ସ୍ତରର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକରେ ବହୁସଂଖ୍ୟକ ଜନସଂଖ୍ୟା ଏବେ ବି ଉପଯୁକ୍ତ ପ୍ରତିନିଧିତ୍ୱରୁ ବଞ୍ଚିତ ଅଛନ୍ତି।
ସାମ୍ବିଧାନିକ ବ୍ୟବସ୍ଥା ଏବଂ ସର୍ବୋଚ୍ଚ ନ୍ୟାୟାଳୟଙ୍କ (ସୁପ୍ରିମକୋର୍ଟ) ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବାରେ ବିଳମ୍ବ ଯୋଗୁଁ ପଛୁଆ ବର୍ଗଙ୍କ ରାଜନୈତିକ ସଶକ୍ତୀକରଣ ବାଧାପ୍ରାପ୍ତ ହୋଇଛି। ତେଣୁ ସୁପାରିଶ ଗୁଡିକୁ ସୁପ୍ରିମକୋର୍ଟଙ୍କ ‘ଟ୍ରିପଲ୍ ଟେଷ୍ଟ’ (ତ୍ରିସ୍ତରୀୟ ମାପଦଣ୍ଡ) ଅନୁଯାୟୀ ତୁରନ୍ତ ଏକ ସ୍ୱତନ୍ତ୍ର କମିଶନ ଗଠନ କରାଯାଉ। ପଛୁଆ ବର୍ଗଙ୍କ ରାଜନୈତିକ ପ୍ରତିନିଧିତ୍ୱ ଉପରେ ଏକ ବୈଜ୍ଞାନିକ ତଥା ପ୍ରାୟୋଗିକ ଅନୁଧ୍ୟାନ କରାଯାଉ। କମିଶନଙ୍କ ସୁପାରିଶ ଆଧାରରେ ପଞ୍ଚାୟତ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଉ। ଆଗାମୀ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ନିର୍ବାଚନ ପୂର୍ବରୁ ଏହାର ସମୟୋଚିତ କାର୍ଯ୍ୟକାରିତା ସୁନିଶ୍ଚିତ କରାଯାଉ। ସମାଜର ସବୁ ବର୍ଗଙ୍କୁ ସମାନ ରାଜନୈତିକ ଭାଗିଦାରୀ ପ୍ରଦାନ କରି ଏକ ସମାବେଶୀ ଶାସନ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରାଯାଉ। ସ୍ଥାନୀୟ ସଂସ୍ଥା ନିର୍ବାଚନରେ ୫୪ ପ୍ରତିଶତ ଜନସଂଖ୍ୟାଙ୍କୁ ରାଜନୈତିକ ସଂରକ୍ଷଣ ନଦେଇ ଓଡ଼ିଶା ସାମ୍ବିଧାନିକ ସାମାଜିକ ନ୍ୟାୟ ଏବଂ ସମାବେଶୀ ଗଣତନ୍ତ୍ରର ସ୍ୱପ୍ନକୁ ସାକାର କରିପାରିବ ନାହିଁ। ସମ୍ବିଧାନର ଧାରା ୨୪୩D(୬) ଓ ୨୪୩T(୬) ଏବଂ ସୁପ୍ରିମକୋର୍ଟଙ୍କ ‘ଟ୍ରିପଲ୍ ଟେଷ୍ଟ’ ଅନୁଯାୟୀ ପଛୁଆ ବର୍ଗଙ୍କୁ ସଂରକ୍ଷଣ ପ୍ରଦାନ କରିବା ନିତାନ୍ତ ଜରୁରୀ। ଏହାଦ୍ୱାରା ଉପଯୁକ୍ତ ପ୍ରତିନିଧିତ୍ୱ ସୁନିଶ୍ଚିତ ହେବ, ତୃଣମୂଳ ଗଣତନ୍ତ୍ର ସୁଦୃଢ଼ ହେବ ଏବଂ ସମାନତା ତଥା ନ୍ୟାୟର ସାମ୍ବିଧାନିକ ପ୍ରତିଶ୍ରୁତି ପୂରଣ ହୋଇପାରିବ। ରାଜନୈତିକ ପ୍ରତିନିଧିତ୍ୱ କେବଳ ଏକ ସାମ୍ବିଧାନିକ ବିକଳ୍ପ ନୁହେଁ—ଏହା ହେଉଛି ସାମାଜିକ ନ୍ୟାୟର ମୂଳଦୁଆ। ସ୍ଥାନୀୟ ଶାସନରେ ଯେତେବେଳେ ୫୪ ପ୍ରତିଶତ ଜନସଂଖ୍ୟାଙ୍କର କୌଣସି ସୁନିଶ୍ଚିତ ସ୍ୱର ନଥାଏ, ସେତେବେଳେ ଏକ ଗଣତନ୍ତ୍ର ପ୍ରକୃତ ପ୍ରତିନିଧିତ୍ୱମୂଳକ ହୋଇପାରିବ ନାହିଁ।
ବିଜେପି ସରକାରକୁ ଆସିବା ପରେ ୧୨.୦୩.୨୦୨୨ ରିଖରେ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ ତରଫରୁ ଏକ ନୋଟିସ ଜାରି କରାଯାଇଥିଲା ଯେଉଁଥିରେ ‘ପୂର୍ବରୁ ଚାଲିଆସିଥିବା ନିୟମାନୁଯାୟୀ’ ୩୫୮ ନୂଆ ମୁନିସିପାଲିଟି /ଏନଏସସି ସ୍ଥାନର ସଂରକ୍ଷଣ ତାଲିକା ପ୍ରକାଶ ପାଇଥିଲା।ଦୁର୍ଭାଗ୍ୟର କଥା ୩୫୮ ସିଟ୍ ମଧ୍ୟରୁ ଗୋଟିଏ ବି ସିଟ OBC ପାଇଁ ସଂରକ୍ଷିତ ନାହିଁ।ଯେଉଁ ରାଜ୍ୟରେ ୫୪% ଅଧାରୁ ଅଧିକ ଅର୍ଥାତ୍ ୫୪% ପଛୁଆ ବର୍ଗର ଅନ୍ତର୍ଭୁକ୍ତ, ଯେଉଁମାନେ ସର୍ବାଧିକ କରଦାତା, ଯେଉଁମାନେ ରାଜ୍ୟ ଅର୍ଥନୀତିର ପ୍ରାୟ ଅଧା ସେମାନଙ୍କୁ କିନ୍ତୁ ପୌରପାଳିକା ଓ ଏନଏସସିରେ ସ୍ଥାନ ସଂରକ୍ଷଣ ନକରିବା ଅର୍ଥ ସେମାନଙ୍କୁ ଚାକିରିରୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିବାକୁ ଏ ସରକାର ଉଦ୍ଦେଶ୍ୟ କରୁଛି।
ବିଜେପି ନେତା ସଂସଦରେ ଅନୁରାଗ ଠାକୁର କହିଥିଲେ ଏମାନଙ୍କ ମାନଙ୍କ ମୁଣ୍ଡରେ କୌଣସି ଚିନ୍ତା ନାହିଁ।କୋଉଠି କୋଉଠି ଓବିସି ସଂରକ୍ଷଣ ଉଠି ଯାଉଛି, କେଉଁଠି ବିଜେପି ଓ ଆରଏସଏସ ପଛୁଆ ବର୍ଗଙ୍କୁ ଅପମାନିତ, ଲାଞ୍ଛିତ କରିବାର କୌଣସି ସୁଯୋଗ ହାତ ଛଡା କରି ନାହାନ୍ତି। ଓଡିଶାରେ SC କମିଶନ, ST କମିଶନ, ମହିଳା କମିଶନ, ଶିଶୁ କମିଶନ ଆଦି ହେଉଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଓବିସି କମିଶନ ପଦବୀ ନାହିଁ କାହିଁକି ? ଓଡିଶାରେ ଓବିସି ବର୍ଗରୁ ଜନ୍ମ ଗ୍ରହଣ କରିବା କଣ ପାପ ? ଓବିସି ବର୍ଗଙ୍କୁ ଶିକ୍ଷା ଓ ଚାକିରି ରେ ସାମ୍ବିଧାନିକ ଅଧିକାର ମିଳୁନାହିଁ।ସରକାରୀ ଚାକିରିରେ 27% ସଂରକ୍ଷଣ ଥାଇକି ମଧ୍ୟ କ୍ଲାସ – 1 ପଦବୀ – 50 – 55% ଖାଲି ରହୁଛି,ସେହିପରି କ୍ଲାସ – 2 – 55 – 65% l କିରାଣୀ ପଦବୀ – 65 – 75% । ପିଅନ ଏବଂ ଆଟେଣ୍ଡାଣ୍ଟ – 75 – 85% ପାଖାପାଖି 18,000 ରୁ 22,000 ସରକାରୀ ପଦବୀ ଯାହା ଓବିସିଙ୍କ ପାଇଁ ସଂରକ୍ଷିତ, ତା ଏ ସରକାର ପୂରଣ କରୁ ନାହାନ୍ତି। ଏହାଠୁ ବଡ ଧୋକା ଆଉ କଣ ଅଛି ? ପୂର୍ବ ସରକାର ନିଜସ୍ୱ ଉଦ୍ୟମରେ ଓବିସି ଜନଗଣନା ଜନଗଣନା କମିଶନ ଦ୍ୱାରା କରିଥିଲେ। ଓଡିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଏବେ ବିଜେପି ଏଭଳି ଇତିହାସ ରଚୁଛି।  ତେଣୁ ସରକାରଙ୍କ ଓବିସିଙ୍କ ପ୍ରତି ବୈମାତୃକ ବ୍ୟବହାରକୁ କଂଗ୍ରେସ ଘୋର ବିରୋଧ କରିବା ସହ ଆଗାମୀ ଦିନରେ ଯଦି ଓବିସିଙ୍କ ପ୍ରତି ନ୍ୟାୟ ବିଚାର ନ ହୁଏ ତେବେ କଂଗ୍ରେସ ରାଜରାସ୍ତାରେ ଓଲ୍ହାଇବ ବୋଲି ନେତୃବୃନ୍ଦ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *