ଗଙ୍ଗୁଆର ପୂର୍ଣ୍ଣ ଉଦ୍ଧାର ପାଇଁ ସମୀକ୍ଷା ବୈଠକ କଲେ ବିଧାୟକ ବାବୁ ସିଂ
ଭୁବନେଶ୍ୱର,ତା. ୨୩/୦୭:ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଙ୍ଗୁଆ ନଦୀର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏକାମ୍ରର ବିଧାୟକ ଶ୍ରୀ ବାବୁ ସିଂଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ ଗଙ୍ଗୁଆର ବର୍ତ୍ତମାନ ସ୍ଥିତି, ଜଳ ପ୍ରବାହର ସୁଧାର, ପଙ୍କ ଓ ଆବର୍ଜନା ଅପସାରଣ, ନଦୀ ପୁନରୁଦ୍ଧାର, ପରିବେଶ ସୁରକ୍ଷା ଏବଂ ଉଭୟ ପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ କାର୍ଯ୍ୟର ଅଗ୍ରଗତିକୁ ନିୟମିତ ସମୀକ୍ଷା କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଫଳପ୍ରଦ ଭାବେ କାର୍ଯ୍ୟ ସମାପ୍ତ କରିବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ବିଧାୟକ ଶ୍ରୀ ବାବୁ ସିଂ କହିଥିଲେ ଯେ, ଗଙ୍ଗୁଆର ପୂର୍ଣ୍ଣ ଉଦ୍ଧାର କେବଳ ପରିବେଶ ସୁରକ୍ଷା ପାଇଁ ନୁହେଁ, ବରଂ ସ୍ଥାନୀୟ ଅଞ୍ଚଳର ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତି, ସ୍ୱଚ୍ଛ ପରିବେଶ ସୃଷ୍ଟି ଏବଂ ସାଧାରଣ ଲୋକଙ୍କ ଜୀବନମାନର ବିକାଶ ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପ୍ରକଳ୍ପକୁ ସଫଳ ରୂପାୟନ କରିବା ପାଇଁ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଶୀଘ୍ର କାର୍ଯ୍ୟ ଆଗେଇ ନେବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଏହି ସମୀକ୍ଷା ବୈଠକରେ ଭୁବନେଶ୍ୱର ମହାନଗର ନିଗମ କମିଶନର ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ଉପାଧ୍ୟକ୍ଷ ଚଞ୍ଚଲ ରଣା,ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ, ଯନ୍ତ୍ରୀ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଗଙ୍ଗୁଆର ପୂର୍ଣ୍ଣ ଉଦ୍ଧାର ଦିଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ଏବଂ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ନିଜ ମତାମତ ଉପସ୍ଥାପନ କରିଥିଲେ।
