ପୁଣି ସ୍ୱାଭାବିକ ହେଲା ଟେଲିଗ୍ରାମ୍ ସେବା, VPN ବିନା ଚାଲିବ ଆପ୍

ନୂଆଦିଲ୍ଲୀ : ଭାରତର କୋଟି କୋଟି ଟେଲିଗ୍ରାମ୍ ୟୁଜର୍ସଙ୍କ ପାଇଁ ବଡ଼ ଆଶ୍ଵସ୍ତିକର ଖବର। ସାରା ଦେଶରେ ଟେଲିଗ୍ରାମ୍ ସେବା ପୁଣିଥରେ ସମ୍ପୂର୍ଣ୍ଣ ଭାବେ ସ୍ଵାଭାବିକ ହୋଇଛି। ଆଜି ଠାରୁ ବ୍ୟବହାରକାରୀମାନେ କୌଣସି VPN ବିନା ଆପ୍ କୁ ସହଜରେ ବ୍ୟବହାର କରିପାରୁଛନ୍ତି। NEET-UG ୨୦୨୬ ପୁନଃ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଆଶଙ୍କା ଓ ସୁରକ୍ଷା କାରଣରୁ ଗତ ଜୁନ୍ ୧୬ରୁ ଜୁନ୍ ୨୨ ପର୍ଯ୍ୟନ୍ତ ସରକାର ଏହା ଉପରେ ସାମୟିକ ନିଷେଧାଦେଶ ଜାରି କରିଥିଲେ। ଯାହାର ଅବଧି ଗତକାଲି ଶେଷ ହୋଇଛି। ତେବେ ଆପ୍ଲିକେସନ୍ ଟି କାର୍ଯ୍ୟକ୍ଷମ ହୋଇଥିଲେ ସୁଦ୍ଧା ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହାର ‘ମେସେଜ୍ ଏଡିଟିଂ’ ଫିଚର ଜୁନ୍ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ । ଅର୍ଥାତ୍ , ପୂର୍ବରୁ ପଠାଯାଇଥିବା କୌଣସି ଟେକ୍ସଟ୍ କୁ ବ୍ୟବହାରକାରୀ ବର୍ତ୍ତମାନ ବଦଳାଇ ପାରିବେ ନାହିଁ। ପରୀକ୍ଷା ସମ୍ବନ୍ଧୀୟ କୌଣସି ଅନିୟମିତତା ବା ପ୍ରମାଣ ନଷ୍ଟକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । NEET-UG ପରୀକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ବା ଲିକ୍ ସାମଗ୍ରୀ ଟେଲିଗ୍ରାମ୍ ଚ୍ୟାନେଲ ଜରିଆରେ ସେୟାର ହେଉଥିବା ଅଭିଯୋଗ ହୋଇଥିଲା । ଏହି ସମୟ ମଧ୍ୟରେ ଟେଲିଗ୍ରାମ୍ ପକ୍ଷରୁ ଶତାଧିକ ଆପତ୍ତିଜନକ ଚ୍ୟାନେଲକୁ ସାର୍ବଜନୀନ ଭାବେ ହଟାଇ ଦିଆଯାଇଥିଲା। କମ୍ପାନୀ ସରକାରଙ୍କ ବ୍ୟାନ୍ ନିଷ୍ପତ୍ତି ବିରୋଧରେ କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ସେଠାରୁ ଆବେଦନ ଖାରଜ ହୋଇଯାଇଥିଲା । ସରକାରୀ ପ୍ରଶାସନ ପକ୍ଷରୁ ଆପ୍ ର ଅପବ୍ୟବହାର ପ୍ରତି ସତର୍କ ରହିବାକୁ କୁହାଯାଇଛି । ଏହାସହ ଟେଲିଗ୍ରାମକୁ ସଠିକ୍ ଓ ସୁଗମ ଭାବେ ଚଲାଇବା ପାଇଁ ବ୍ୟବହାରକାରୀଙ୍କୁ ନିଜ ଆପ୍ଲିକେସନକୁ ଅପ୍ ଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି । ସରକାରଙ୍କ ପକ୍ଷରୁ ବ୍ୟାନର ଅବଧି ବଢ଼ାଇବା ନେଇ ଆଉ କୌଣସି ନୂଆ ସୂଚନା ନାହିଁ ।

Spread the love

Leave a Reply

Your email address will not be published. Required fields are marked *