ପୁରୀରେ ପହଞ୍ଚିଲା ୩୮୦ କିଲୋ ବାସୁଙ୍ଗା ପାଟ, ମହାପ୍ରଭୁଙ୍କ ରୀତିନୀତିରେ ବ୍ୟବହୃତ ହୁଏ ଏହି ପାଟ
ପୁରୀ: ପୁରୀରେ ପହଞ୍ଚିଲା ୩୮୦ କିଲୋ ବାସୁଙ୍ଗା ପାଟ । ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଏହି ବାସୁଙ୍ଗା ପାଟ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ପହଂଚିଛି । ବାସୁଙ୍ଗା ପାଟ ହେଉଛି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଗୁରୁତ୍ୱପୂର୍ଣ୍ଣ ରିତିନୀତିରେ ବ୍ୟବହୃତ ଅତ୍ୟନ୍ତ ପବିତ୍ର ଓ ବିଶେଷ ପ୍ରକାରର ରେଶମ ଡୋରୀ । ମହାପ୍ରଭୁ ଜଗନ୍ନାଥ ସଂସ୍କୃତି ସହ ଜଡିତ ଏକ ପାରମ୍ପରିକ ରେଶମୀ ପଟ୍ଟବସ୍ତ୍ର, ଯାହା ଓଡ଼ିଶାର ରେଶମ ଓ ହସ୍ତତନ୍ତ ଐତିହର ପ୍ରତୀକ । ବାସୁଙ୍ଗା ତିଆରି ପାଇଁ କରୁଣା ସିଲ୍କ ଭଳି ପଦ୍ଧତିର ବ୍ୟବସ୍ଥା କରାଯାଇଛି । କରୁଣା ସିଲ୍କ ହେଉଛି ପାରମ୍ପରିକ ରେଶମର ଏକ ଅହିଂସାମୂଳକ ଓ ସୁସ୍ଥାୟୀ ବିକଳ୍ପ, ଯାହା ରେଶମ କୀଟମାନଙ୍କୁ କୌଣସି କ୍ଷତି ନକରି ପ୍ରସ୍ତୁତ କରାଯାଏ ।
ଏହି ପ୍ରକ୍ରିୟାରେ ସମସ୍ତ ରେଶମ କୀଟମାନଙ୍କୁ ସମ୍ପୂର୍ଣ୍ଣ ପ୍ରଜାପତି ହେବା ପର୍ଯ୍ୟନ୍ତ ବଞ୍ଚିବାକୁ ଦିଆଯାଏ । ସେମାନେ ନିଜ ସ୍ୱାଭାବିକ ଜୀବନଚକ୍ର ସମ୍ପୂର୍ଣ୍ଣ କରି ପ୍ରାକୃତିକ ଭାବେ ରେଶମ କୋଷରୁ ବାହାରିଆସନ୍ତି । ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ସରକାରଙ୍କ ସହଯୋଗରେ ୧୯୮୧ ମସିହାରୁ ଶ୍ରୀଜଗନ୍ନାଥ ମନ୍ଦିର, ପୁରୀର ପ୍ରଶାସକଙ୍କ ନିକଟକୁ ବାସୁଙ୍ଗା ପାଟ ଯୋଗାଇ ଦିଆଯାଉଛି । ବାସୁଙ୍ଗା ପାଟ ସହ ବିଜେ ଡୋରି ମଧ୍ୟ ଆସି ପହଂଚିଛି । ଏହା ମହାପ୍ରଭୁଙ୍କ ଅଣସର ଓ ପହଣ୍ଡି ସମୟରେ ବ୍ୟବହୃତ ହେବ ।
