ପୋଲିସ ଜବତ କରିଥିବା ଚନ୍ଦ୍ରିକାଙ୍କ ଡାଏରୀରେ ରହିଛି କି ଡେଥ୍ ମିଷ୍ଟ୍ରି ? ଡାଏରୀରେ ଲେଖାଥିବା Die କୁ ନେଇ ତର୍ଜମା କରୁଛି ପୋଲିସ

ବାରଙ୍ଗ : ଡାଏରୀରେ ରହିଛି କି ଡେଥ୍ ମିଷ୍ଟ୍ରି  ?  ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ଡାଏରୀ ଖୋଲିବ ରହସ୍ୟ ।  ପୋଲିସ ଜବତ କରିଥିବା ଚନ୍ଦ୍ରିକାଙ୍କ ଡାଇରୀରେ କେବଳ Die Die Die ଲେଖା ହୋଇଛି ।  Die ଅର୍ଥାତ ମୃତ୍ୟୁ ବୋଲି ୩ ଥର ଲେଖା ଯାଇଛି । ଏହି ଡାଏରୀରେ ଚନ୍ଦ୍ରିକାଙ୍କ ‘ନିକନେମ୍’ ନୁପୁର ବୋଲି ଲେଖାଅଛି ।  ଡାଏରୀରେ ଲେଖାଥିବା Dieକୁ ନେଇ ତର୍ଜମା କରୁଛି ପୋଲିସ ।

ସବୁ ଦିଗରୁ ତଦନ୍ତକୁ ଜୋରଦାର କରିଛି ପୋଲିସ ।  ତଦନ୍ତ ପରିସରଭୁକ୍ତ ହେବେ ମଧୁସୂଦନ ଦାସ ରିଜିଓନାଲ ଏକାଡେମୀ ଅଫ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ।  ଚନ୍ଦ୍ରିକାଙ୍କ ପ୍ରେମିକ ଭୀମସେନ ଓ ତାଙ୍କ ନୂଆ ପ୍ରେମିକା OAS ପାଇବା ପରେ ମଧୁସୂଦନ ଦାସ ରିଜିଓନାଲ ଏକାଡେମୀ ଅଫ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟରେ TAX AND ACCOUNT ଉପରେ ତାଲିମ ନେଉଥିଲେ ।

ସେଠାରେ ହିଁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା ।  ଭୀମସେନ ଓ ତାଙ୍କ ନୂଆ ପ୍ରେମିକା ଯେଉଁ ହଷ୍ଟେଲରେ ରହୁଥିଲେ ସେହି ହଷ୍ଟେଲ ଇନଚାର୍ଜ ମଧ୍ୟ ତଦନ୍ତ ପରିସର ଭୁକ୍ତ ହେବେ ।  ବାରଙ୍ଗ ଥାନା ଅଧିକାରୀ ଏହି ସୂଚନା ଦେଇଛନ୍ତି ।   ଉଭୟଙ୍କୁ ପଚରାଉଚୁରା ପରେ ଅନେକ କିଛି ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।  ଭୀମସେନ ଓ ତାଙ୍କ ନୂଆ ପ୍ରେମିକା ମିଶି ଚନ୍ଦ୍ରିକାଙ୍କୁ ହତ୍ୟା କରିଥିବା ତାଙ୍କ ମା’ ଅଭିଯୋଗ କରିଥିଲେ ।

ଘଟଣା ପରଠାରୁ ଭୀମସେନ ଫେରାର ଅଛନ୍ତି । ଭୀମସେନଙ୍କ ନୂଆ ବାନ୍ଧବୀଙ୍କୁ ବାରଙ୍ଗ ଥାନା ପୋଲିସ ଜେରା କରି ସାରିଛି ।  ଆବଶ୍ୟକ ପଡିଲେ ପୁଣିଥରେ ଜେରା ପାଇଁ ଡକାଯାଇପାରେ ।  ଭୀମସେନଙ୍କ ବାପାଙ୍କୁ ମଧ୍ୟ ମୈତ୍ରୀବିହାର ଥାନାରେ ଜେରା ହୋଇଥିଲା ।  ଅନ୍ୟପଟେ ଚନ୍ଦ୍ରିକା ଯେଉଁ ଅଟୋରେ ଆସିଥିଲେ ପୁଲିସ ସେହି ଅଟୋ ଚାଳକଙ୍କୁ ଜେରା କରିଛି ।

ଅଟୋ ଚାଳକ କହିଛନ୍ତି, ସେ ଚନ୍ଦ୍ରିକାଙ୍କୁ ବରମୁଣ୍ଡାରୁ ନେଇ ଚନ୍ଦକା ରାସ୍ତା ଦେଇ କଟକ ଅଭିମୁଖେ ଆସିଥିଲେ ।  କଟକରେ ଜଣେ ବାନ୍ଧବୀଙ୍କ ପାଖକୁ ଯାଇଥାନ୍ତେ ଚନ୍ଦ୍ରିକା ।  ହେଲେ ତ୍ରିଶୂଳିଆ ନିକଟରେ ସନ୍ଧ୍ୟା ପ୍ରାୟ ୬ଟା ବେଳେ ଅଟୋରୁ ଓହ୍ଲାଇ ଯାଇଥିଲେ ।  ଏସବୁ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।  ୩ ଟି ଟିମ୍ ଗଠନ କରି ତଦନ୍ତ କରୁଛି ପୋଲିସ  ।  ଭୀମସେନଙ୍କୁ ଖୋଜିବା ପାଇଁ ମଧ୍ୟ ଟିମ୍ ନିୟୋଜିତ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *