ଫାଇଲିନରୁ ଅର୍ଣ୍ଣବ, ପୁଣି ଚର୍ଚ୍ଚାରେ ଗଞ୍ଜାମ

 

ଭୁବନେଶ୍ୱର: ଫାଇଲିନ୍ ରୁ ଅର୍ଣ୍ଣବ । ପୁଣି ଚର୍ଚ୍ଚାରେ ନବୀନଙ୍କ ବିପର୍ଯ୍ୟୟ ପରିଚାଳନା ମଡେଲ୍ । ୨୦୧୩ରେ ଫାଇଲିନରେ ଘଣ୍ଟାପ୍ରତି ୨୨୦ କିଲୋମିଟର ବେଗର ପବନକୁ ମୁକାବିଲା କରିଥିଲା ନବୀନ ସରକାର । ୨୦୨୬ରେ ଘଣ୍ଟାପ୍ରତି ଓଡ଼ିଶାରେ ସର୍ବାଧିକ ୭୦ରୁ ୮୦ କିଲୋମିଟର ପବନ ବେଗର ଅର୍ଣ୍ଣବ ପରେ ଗଞ୍ଜାମରେ ବନ୍ୟା ପରିଚାଳନାକୁ ନେଇ ଉଠୁଛି ପ୍ରଶ୍ନ । ୨୦୧୩ର ଫାଇଲିନ୍ । ୨୦୨୬ର ଅର୍ଣ୍ଣବ। ୧୩ ବର୍ଷର ବ୍ୟବଧାନରେ ଗଞ୍ଜାମ ଦେଖିଛି ଦୁଇଟି ବଡ଼ ପ୍ରାକୃତିକ ବିପର୍ଯ୍ୟୟ ।

ଦୁଇଟି ଭିନ୍ନ ସରକାରଙ୍କ ସମୟରେ ହୋଇଥିବା ବିପର୍ଯ୍ୟୟ ପରିଚାଳନାକୁ ନେଇ ଏବେ ରାଜନୈତିକ ମହଲରେ ଆରମ୍ଭ ହୋଇଛି ତୁଳନା । ବିଶେଷକରି ଫାଇଲିନ୍ ସମୟରେ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ଆଗୁଆ ପ୍ରସ୍ତୁତି, ବ୍ୟାପକ ସ୍ଥାନାନ୍ତରଣ ଏବଂ ଜୀବନରକ୍ଷାକୁ ପ୍ରାଥମିକତା ଦେବାର ନୀତି ପୁଣି ଚର୍ଚ୍ଚାକୁ ଆସିଛି । ୨୦୧୩ ଅକ୍ଟୋବର ୧୨ ତାରିଖରେ ଗଞ୍ଜାମର ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁଥିଲା ଅତି ଭୀଷଣ ବାତ୍ୟା ଫାଇଲିନ୍ । ଘଣ୍ଟାପ୍ରତି ପ୍ରାୟ ୨୨୦ କିଲୋମିଟର ବେଗରେ ପବନ ବହିବା ସହ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । କିନ୍ତୁ ବାତ୍ୟା ଆସିବା ପୂର୍ବରୁ ନବୀନ ସରକାର ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ ।

ଜିରୋ କାଜୁଆଲଟି ଲକ୍ଷ୍ୟ ନେଇ ପ୍ରଶାସନକୁ ସଜାଗ ରଖାଯାଇଥିଲା । ଯଦିଓ ବାତ୍ୟାରେ ଜୀବନହାନିକୁ ସମ୍ପୂର୍ଣ୍ଣ ରୋକାଯାଇ ପାରିନଥିଲା, ବ୍ୟାପକ ସ୍ଥାନାନ୍ତରଣ ଓ ପ୍ରସ୍ତୁତି ଯୋଗୁଁ ଅନେକ ଜୀବନ ରକ୍ଷା ପାଇଥିଲା । ଏହି ପଦକ୍ଷେପକୁ ଜାତିସଂଘ ମଧ୍ୟ ପ୍ରଶଂସା କରିଥିଲା । ଏବେ ୨୦୨୬ରେ ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ଗଞ୍ଜାମରେ ନୂଆ ପ୍ରଶ୍ନ ସୃଷ୍ଟି କରିଛି । ଅର୍ଣ୍ଣବର ସର୍ବାଧିକ ପବନ ବେଗ ଓଡ଼ିଶାରେ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ଥିଲା । ତେବେ ପ୍ରବଳ ବର୍ଷା ଯୋଗୁଁ ଋଷିକୁଲ୍ୟା ଓ ବଡ଼ନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଆସିକା, ସୋରଡ଼ା, ଭଞ୍ଜନଗର ସମେତ ଗଞ୍ଜାମର ବିଭିନ୍ନ ଅଞ୍ଚଳରେ ଘରଦ୍ୱାର, ରାସ୍ତାଘାଟ ଓ ଚାଷଜମି କ୍ଷତିଗ୍ରସ୍ତ ହୋଇଛି । ଏହାକୁ ନେଇ ବିଜେଡି ରାଜ୍ୟର ବିଜେପି ସରକାରଙ୍କ ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠାଇଛି । ଆଗୁଆ ସତର୍କତା ସତ୍ତ୍ୱେ ବନ୍ୟାର ପ୍ରଭାବ କମାଇବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଇନଥିବା ବିରୋଧୀ ଦଳ ଅଭିଯୋଗ କରିଛି । ଅନ୍ୟପଟେ ଅତିପ୍ରବଳ ବର୍ଷା ଯୋଗୁଁ ପରିସ୍ଥିତି ଜଟିଳ ହୋଇଥିବା ସରକାରଙ୍କ ଯୁକ୍ତି । ଉଦ୍ଧାର, ରିଲିଫ୍ ଏବଂ ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଇଥିବା ମଧ୍ୟ ସରକାର କହିଛନ୍ତି । ଏଠାରେ ଫାଇଲିନ୍ ଓ ଅର୍ଣ୍ଣବ ମଧ୍ୟରେ ଥିବା ପାର୍ଥକ୍ୟ ଗୁରୁତ୍ୱପୂର୍ଣ୍ଣ । ଫାଇଲିନ୍ ରେ ଅତି ଭୀଷଣ ପବନ ମୁଖ୍ୟ ବିପଦ ଥିବାବେଳେ ଅର୍ଣ୍ଣବ ପରେ ଅତିପ୍ରବଳ ବର୍ଷା ଓ ନଦୀବନ୍ୟା ବଡ଼ ସମସ୍ୟା ହୋଇଛି । ତଥାପି ଫାଇଲିନ୍ ସମୟରେ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଓଡ଼ିଶାର ପ୍ରଶାସନିକ ଇତିହାସର ଏକ ଉଲ୍ଲେଖନୀୟ ଅଧ୍ୟାୟ ।

ବାତ୍ୟା ପୂର୍ବରୁ ଆଗୁଆ ସତର୍କତା, ଲକ୍ଷାଧିକ ଲୋକଙ୍କ ସ୍ଥାନାନ୍ତରଣ, ପ୍ରଶାସନିକ ସମନ୍ୱୟ ଏବଂ ଜୀବନରକ୍ଷାକୁ ଗୁରୁତ୍ୱ ଦେବା ଭଳି ପଦକ୍ଷେପ ଆଜି ବି ବିପର୍ଯ୍ୟୟ ପରିଚାଳନା ଆଲୋଚନାରେ ପ୍ରାସଙ୍ଗିକ ରହିଛି । ଏବେ ନବୀନଙ୍କ ଗଞ୍ଜାମ ବନ୍ୟାଞ୍ଚଳ ଗସ୍ତ ମଧ୍ୟ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଛି । ଦୀର୍ଘବର୍ଷ ଧରି ଗଞ୍ଜାମ ତାଙ୍କର ରାଜନୈତିକ କର୍ମଭୂମି ରହିଆସିଛି । ବନ୍ୟା କ୍ଷତିଗ୍ରସ୍ତ ଚାଷୀ ଓ ସାଧାରଣ ଲୋକଙ୍କ ସହ ସିଧାସଳଖ ଆଲୋଚନା ମାଧ୍ୟମରେ ସେମାନଙ୍କ ସମସ୍ୟା ସାମ୍ନାକୁ ଆସିପାରିବ । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ୨୦୧୩ର ଫାଇଲିନ୍ ପରିଚାଳନାର ସ୍ମୃତି ଏବଂ ୨୦୨୬ର ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ଅନୁଭୂତିକୁ ଗଞ୍ଜାମବାସୀ କିଭଳି ତୁଳନା କରୁଛନ୍ତି? ଏହାର ପ୍ରକୃତ ଜନମତ ଜାଣିବା ପାଇଁ ସର୍ଭେ ଆବଶ୍ୟକ। ଏବେ ସରକାରଙ୍କ ରିଲିଫ୍, କ୍ଷତିପୂରଣ ଓ ପୁନର୍ବାସ କାର୍ଯ୍ୟ ଲୋକଙ୍କ ମୂଲ୍ୟାୟନର ମୁଖ୍ୟ ଆଧାର ହେବ ।

Spread the love

Leave a Reply

Your email address will not be published. Required fields are marked *