ବରଗଡ଼ ଧନୁଯାତ୍ରାରେ କଂସ ଭୂମିକା ପାଇଁ ଆରମ୍ଭ ହେଲା ଅଡିସନ୍

ବରଗଡ଼: କଂସ ଭୂମିକା ପାଇଁ ଅଡିସନ । ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର କଂସ ଭୂମିକା ପାଇଁ ଅଡିସନ୍ ଚାଲିଛି । ୨ ବର୍ଷ ପାଇଁ ହେଉଛି କଂସ ଚୟନ । ୪୪ ଜଣ କଳାକାର ଆବେଦନ କରିଛନ୍ତି । ବରଗଡ଼ ସହର ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅଡିସନ ଚାଲିଛି। ବିଚାରକ ଭାବେ ପଶ୍ଚିମ ଓଡ଼ିଶାର ୭ ଜଣ ବରିଷ୍ଠ କଳାକାର ଉପସ୍ଥିତ ରହିଛନ୍ତି । ସକାଳ ୧୦ ଟା ଅଡିସନ ଆରମ୍ଭ ହୋଇଛି । ଆସନ୍ତା ଜାନୁଆରୀ ୧୨ ତାରିଖ ରୁ ୨୨ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ଧନୁଯାତ୍ରା ମହୋତ୍ସବ ।

ବରଗଡ଼ ଧନୁଯାତ୍ରା କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶ ତଥା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛି । ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ହେଉଛନ୍ତି କଂସ ମହାରାଜ । ତାଙ୍କର ଗର୍ଜନ, ଦରବାର, ଅଭିନୟ ଓ ସଂଳାପ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥାଏ । ତେଣୁ କଂସ ଭୂମିକା ପାଇଁ କଳାକାର ଚୟନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଭାବେ ବିବେଚିତ ହୋଇଥାଏ । ଆସନ୍ତା ଜାନୁଆରୀ ୧୨ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଆୟୋଜିତ ହେବ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ।

ଏହି ସମୟରେ ବରଗଡ଼ ସହର ମଥୁରା ନଗରୀରେ ପରିଣତ ହେବା ସହ ଅମ୍ବାପାଲି ଗୋପପୁର ଭାବେ ପରିଚିତ ହେବ। ଶ୍ରୀକୃଷ୍ଣଙ୍କ ଜନ୍ମ, ବାଲ୍ୟଲୀଳା, କଂସଙ୍କ ଅତ୍ୟାଚାର ଓ ଶେଷରେ କଂସ ବଧ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗକୁ ଜୀବନ୍ତ ଭାବେ ମଞ୍ଚସ୍ଥ କରାଯିବ ।  ଏବେ ସମସ୍ତଙ୍କ ନଜର ରହିଛି କଂସ ଚୟନ ଉପରେ ।  ୪୪ ଜଣ କଳାକାରଙ୍କ ମଧ୍ୟରୁ କିଏ ହେବେ ଆଗାମୀ ଦୁଇ ବର୍ଷର କଂସ ମହାରାଜ, ତାହା ଚୟନ ପ୍ରକ୍ରିୟା ଶେଷ ହେବା ପରେ ସ୍ପଷ୍ଟ ହେବ ।

Spread the love

Leave a Reply

Your email address will not be published. Required fields are marked *