ବାତ୍ୟା ‘ଅକଭାନ୍’ ପାଇଁ ଭକ୍ତଙ୍କୁ ସତର୍କ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ପୁରୀ: ଶ୍ରୀମନ୍ଦିର ଦର୍ଶନ ପୂର୍ବରୁ ପାଣିପାଗ ଦେଖିବାକୁ ପରାମର୍ଶ । ବାତ୍ୟା ‘ଅକଭାନ୍’ ପାଇଁ ଶ୍ରଦ୍ଧାଳୁଙ୍କୁ ସତର୍କ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଭୀଷଣ ବାତ୍ୟା ‘ଅକଭାନ୍’କୁ ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ସତର୍କତାମୂଳକ ପରାମର୍ଶ ଦିଆଯାଇଛି । ପାଣିପାଗ ସ୍ଥିତି ଓ ସରକାରୀ ସତର୍କ ସୂଚନାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଦର୍ଶନ ଯୋଜନା କରିବାକୁ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରି ସେ କହିଛନ୍ତି, ଭୀଷଣ ବାତ୍ୟା ‘ଅକଭାନ୍’ ଯୋଗୁଁ ସୃଷ୍ଟି ହେଉଥିବା ପାଣିପାଗ ପରିସ୍ଥିତି ଏବଂ ସରକାରୀ ପରାମର୍ଶକୁ ଗୁରୁତ୍ୱ ଦେଇ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସନ୍ତୁ । ବାତ୍ୟା ସମୟରେ ଭକ୍ତଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏଭଳି ନିବେଦନ କରାଯାଇଛି । ଏହାସହ ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କୁ ସୁରକ୍ଷା ଓ ଆଶୀର୍ବାଦ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ଅରବିନ୍ଦ ପାଢ଼ୀ ।
