ବାଲେଶ୍ଵର ଉପରେ ବିଜେଡିର ନଜର

ଗତ କିଛିଦିନ ଭିତରେ ବାଲେଶ୍ବର ରାଜନୀତିର ମୁଡ ମିଜାଜ ବଦଳିଛି। ବିଜେଡିକୁ ବାଏ ବାଏ କଲେ ରବୀନ୍ଦ୍ର, ନିଲମ୍ବିତ ହେଲେ ବିଧାୟିକା ପତ୍ନୀ ସୁବାସିନୀ ଏବଂ ଏହାର ଠିକ୍ ପରେ ପରେ ବିଜେଡିକୁ ବାହୁଡିଛନ୍ତି ରଘୁ ମହାନ୍ତି ଓ ଜୀବନ ପ୍ରଦୀପ । ଏହା ହିଁ ବାଲେଶ୍ବରରେ ଉଭୟ ବିଜେଡି ଓ ବିଜେପିର ହିସାବକିତାବକୁ ଓଲଟପାଲଟ କଲାଣି। ବସ୍ତା, ବାଲେଶ୍ବର ସଦର ଓ ନୀଳଗିରି, ଖାସକରି ଏହି ୩ ନିର୍ବାଚନମଣ୍ଡଳୀରେ ନୂଆ ସମୀକରଣ ଦେଖିବାକୁ ମିଳିପାରେ ।

ବସ୍ତାରୁ ବିଜେଡି ବିଧାୟିକା ଥିବା ସୁବାସିନୀ ଏହା ଭିତରେ କ୍ରସ ଭୋଟିଂ କରି ଦଳରୁ ନିଲମ୍ବିତ ହୋଇଛନ୍ତି। ଅନ୍ୟପଟେ ପୂର୍ବତନ ମନ୍ତ୍ରୀ ତଥା ବସ୍ତାରୁ ୫ ଥର ବିଧାୟକ ଥିବା ରଘୁନାଥ ମହାନ୍ତି ପୁଣିଥରେ ବିଜେଡିକୁ ବ୍ୟାକ୍ କରିଛନ୍ତି । ହେଲେ ରଘୁନାଥଙ୍କ ଭୂମିକା କ’ଣ ରହିବ, ତାହା ସ୍ଥିର କରିନି ଦଳ। ଏହା ହିଁ ବସ୍ତାରେ ଉଭୟ ବିଜେଡି ଓ ବିଜେପି ରାଜନୀତିକୁ ଚଳଚଞ୍ଚଳ କରିଛି। କାରଣ ରବୀନ୍ଦ୍ର ଏହା ଭିତରେ ପଦ୍ମ ଧରିଛନ୍ତି। ତେଣୁ ସୁବାସିନୀ ମଧ୍ୟ ସ୍ବାମୀଙ୍କ ରାସ୍ତାରେ ଆଗକୁ ବଢିବେ ବୋଲି ଚର୍ଚ୍ଚା ବଢିଛି। ହେଲେ ତୃଣମୂଳସ୍ତରର କର୍ମୀ ନେତାଙ୍କ ଦଳବଦଳ ରାଜନୀତିକୁ କେମିତି ଗ୍ରହଣ କରିବେ ତାହା ବଡ ପ୍ରଶ୍ନ ।
ରବୀନ୍ଦ୍ର ଜେନା ପଦ୍ମ ଧରିବା ପରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ବିଜେଡିକୁ ଘରବାହୁଡା କରିଛନ୍ତି । ନବୀନଙ୍କ ଏହି ନିଷ୍ପତ୍ତି ବାଲେଶ୍ବର ସଦରରେ ବିଜେଡି ରାଜନୀତିକୁ ଗୋଳିଆ କରିବ ବୋଲି ଚର୍ଚ୍ଚା ବଢିଛି। ବିଜେଡିକୁ ଜୀବନ ଫେରିଥିବା ବେଳେ ପୂର୍ବତନ ବିଧାୟକ ସ୍ବରୂପ ଦାସଙ୍କର ଆଗାମୀ ଭୂମିକା କଣ ରହିବ ତାହା ସବୁଠୁ ବଡ ପ୍ରଶ୍ନବାଚୀ । ସେହିଭଳି ରବୀନ୍ଦ୍ରଙ୍କ ଆଖି ବାଲେଶ୍ବର ସଂସଦୀୟ କ୍ଷେତ୍ର ଉପରେ ଥିବା ବେଳେ ପ୍ରତାପ ଷଡଙ୍ଗୀ ପୁଣିଥରେ ନୀଳଗିରି ମୁହାଁ ହେବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ଏଭଳି ସ୍ଥିତି ସୃଷ୍ଟି ହେଲେ ଅକଳରେ ପଡିପାରନ୍ତି ସ୍ଥାନୀୟ ବିଜେପି ବିଧାୟକ ସନ୍ତୋଷ ଖଟୁଆ । ଦଳବଦଳ କରିଥିବା ନେତାଙ୍କ ପାଇଁ ସବୁଠୁ ବଡ ପରୀକ୍ଷା ପାଲଟିବ ପଞ୍ଚାୟତ ନିର୍ବାଚନ। ସଫଳ ହେଲେ ୨୦୨୯ ପାଇଁ ସୁଯୋଗ ମିଳିବ, ବିଫଳ ହେଲେ ବିକଳ୍ପ ଖୋଜିପାରନ୍ତି ରାଜନୈତିକ ଦଳ।

Spread the love