ବିଶ୍ୱନେତାଙ୍କ ସହ ମୋଦୀଙ୍କ ଆଲୋଚନା ବେଳେ ଏବେ ପରିଚିତ ଚେହେରା ସିଦ୍ଧାର୍ଥ ବାବୁ, କିଏ ଏହି ଯୁବ IFS ଅଫିସର?

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇଣ୍ଟରପ୍ରିଟର ସିଦ୍ଧାର୍ଥ ବାବୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶୀ ନେତାଙ୍କ ସହ ଆଲୋଚନା କରୁଥିବା ବେଳେ ତାଙ୍କ ପାଖରେ ଜଣେ ଯୁବ ଅଧିକାରୀଙ୍କୁ ବାରମ୍ବାର ଦେଖିବାକୁ ମିଳୁଛି । ସେ ହେଉଛନ୍ତି ୨୦୧୭ ବ୍ୟାଚ୍ ର ଭାରତୀୟ ବିଦେଶ ସେବା (IFS) ଅଧିକାରୀ ସିଦ୍ଧାର୍ଥ ବାବୁ । ଉଚ୍ଚସ୍ତରୀୟ କୂଟନୈତିକ ଆଲୋଚନାରେ ଇଣ୍ଟରପ୍ରିଟର ଭାବେ ତାଙ୍କ ଭୂମିକା ଏବେ ତାଙ୍କୁ ଚର୍ଚ୍ଚାକୁ ଆଣିଛି ।

ସିଦ୍ଧାର୍ଥ ବାବୁ ବର୍ତ୍ତମାନ ବୈଦେଶିକ ମନ୍ତ୍ରଣାଳୟରେ ଡେପୁଟି ସେକ୍ରେଟାରୀ ଭାବେ କାର୍ଯ୍ୟରତ । କେରଳର କୋଚିରୁ ଆସିଥିବା ସିଦ୍ଧାର୍ଥ ମାର୍ ଆଥାନାସିଅସ୍ କଲେଜ ଅଫ୍ ଇଞ୍ଜିନିୟରିଂରୁ ମେକାନିକାଲ୍ ଇଞ୍ଜିନିୟରିଂ ପଢ଼ିଥିଲେ। ସିଭିଲ୍ ସର୍ଭିସରେ ଯୋଗଦେବା ପୂର୍ବରୁ ସେ ଇ-କମର୍ସ କ୍ଷେତ୍ରରେ ପ୍ରୋଜେକ୍ଟ ମ୍ୟାନେଜର ଭାବେ ମଧ୍ୟ କାମ କରିଥିଲେ । UPSC ସିଭିଲ୍ ସର୍ଭିସ ପରୀକ୍ଷାର ପ୍ରଥମ ପ୍ରୟାସରେ ସିଦ୍ଧାର୍ଥଙ୍କୁ ଆଶାନୁରୂପ ସଫଳତା ମିଳିନଥିଲା । କିନ୍ତୁ ସେ ହାର ମାନିନଥିଲେ। ନିଜ ପ୍ରସ୍ତୁତିର ରଣନୀତି ବଦଳାଇ ପୁଣି ଥରେ ପରୀକ୍ଷା ଦେଇଥିଲେ ।

୨୦୧୬ ସିଭିଲ୍ ସର୍ଭିସ ପରୀକ୍ଷାରେ ସେ ସର୍ବଭାରତୀୟ ସ୍ତରରେ ୧୫ତମ ରାଙ୍କ ହାସଲ କରିଥିଲେ । ଏହି ରାଙ୍କରେ IAS ପାଇବାର ସୁଯୋଗ ଥିଲେ ମଧ୍ୟ ସିଦ୍ଧାର୍ଥ ଭାରତୀୟ ବିଦେଶ ସେବା ବା IFSକୁ ବାଛିଥିଲେ । ଅନ୍ତର୍ଜାତୀୟ ସମ୍ପର୍କ ଓ କୂଟନୀତି ପ୍ରତି ଆଗ୍ରହ ତାଙ୍କୁ IFS ବାଛିବାକୁ ପ୍ରେରିତ କରିଥିଲା । ଇଣ୍ଟରପ୍ରିଟର ଭାବେ ସିଦ୍ଧାର୍ଥଙ୍କ ଦକ୍ଷତା ପଛରେ ରହିଛି ସ୍ୱତନ୍ତ୍ର ପ୍ରଶିକ୍ଷଣ । ଆମେରିକାର କାଲିଫର୍ଣ୍ଣିଆସ୍ଥିତ Middlebury Institute of International Studies ରେ ସେ ଇଣ୍ଟରପ୍ରିଟେସନରେ ପ୍ରଶିକ୍ଷଣ ନେଇଛନ୍ତି । ତାଙ୍କ କୂଟନୈତିକ କ୍ୟାରିୟରରେ ବିଦେଶରେ କାମ କରିବାର ଅଭିଜ୍ଞତା ମଧ୍ୟ ରହିଛି ।

ଚୀନର ବେଜିଂ ଏବଂ ଆମେରିକାର ସାନ୍ ଫ୍ରାନ୍ସିସ୍କୋରେ ସେ କୂଟନୈତିକ ଦାୟିତ୍ୱ ତୁଲାଇଛନ୍ତି । ଏହା ତାଙ୍କୁ ବିଭିନ୍ନ ଦେଶର ପରିବେଶ ଓ ଜଟିଳ କୂଟନୈତିକ ଆଲୋଚନା ସହ ପ୍ରତ୍ୟକ୍ଷ ଭାବେ ପରିଚିତ କରାଇଛି । ୨୦୨୬ ଜାନୁଆରୀରେ ୭୭ତମ ଗଣତନ୍ତ୍ର ଦିବସ ସମାରୋହ ସମୟରେ ସିଦ୍ଧାର୍ଥ ବାବୁ ବିଶେଷ ଭାବେ ନଜରକୁ ଆସିଥିଲେ। କର୍ତ୍ତବ୍ୟ ପଥର VIP ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଚ୍ଚସ୍ତରୀୟ ଆଲୋଚନା ସମୟରେ ତାଙ୍କୁ ଇଣ୍ଟରପ୍ରିଟର ଭୂମିକାରେ ଦେଖିବାକୁ ମିଳିଥିଲା । ସେପ୍ଟେମ୍ବର ୨୦୨୬ର ୧୮ତମ BRICS ଶିଖର ସମ୍ମିଳନୀରେ ସିଦ୍ଧାର୍ଥ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ଭଳି ବିଶ୍ୱନେତାଙ୍କ ଉଚ୍ଚସ୍ତରୀୟ ଆଲୋଚନା ସମୟରେ ଯୋଗାଯୋଗରେ ସହାୟତା କରୁଥିବା ତାଙ୍କୁ ଦେଖାଯାଇଛି । ସାଧାରଣତଃ କୂଟନୈତିକ ଇଣ୍ଟରପ୍ରିଟରମାନେ ପରଦା ପଛରେ ରହି କାମ କରନ୍ତି । ସେମାନଙ୍କ ଉପରେ କ୍ୟାମେରାର ନଜର କମ୍ ପଡ଼େ । କିନ୍ତୁ ବିଶ୍ୱର ପ୍ରମୁଖ ନେତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବେଳେ ବାରମ୍ବାର ନଜରକୁ ଆସିବା ପରେ ସିଦ୍ଧାର୍ଥ ବାବୁ ଏବେ ଏକ ପରିଚିତ ଚେହେରା ପାଲଟିଛନ୍ତି। ଇଞ୍ଜିନିୟରିଂରୁ କର୍ପୋରେଟ୍ ଚାକିରି, ସେଠାରୁ UPSC ଏବଂ ଶେଷରେ ଭାରତୀୟ ବିଦେଶ ସେବା, ସିଦ୍ଧାର୍ଥ ବାବୁଙ୍କ ଯାତ୍ରା ବେଶ୍ ରୋଚକ । ଭାଷା ଉପରେ ଦକ୍ଷତା, ସ୍ୱତନ୍ତ୍ର ପ୍ରଶିକ୍ଷଣ ଏବଂ କୂଟନୈତିକ କ୍ଷେତ୍ରର ଅଭିଜ୍ଞତା ତାଙ୍କୁ ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଆଲୋଚନାଗୁଡ଼ିକରେ ଦାୟିତ୍ୱ ତୁଲାଇବାର ସୁଯୋଗ ଦେଇଛି ।

Spread the love