ଲ୍ୟାଣ୍ଡଫଲ୍ ସରିଲା ହେଲେ ଟଳିନି ବର୍ଷା ବିପଦ, ଆନ୍ଧ୍ରରୁ ତେଲଙ୍ଗାନା ବର୍ଷା ଚେତାବନୀ
ଭୁବନେଶ୍ୱର : ଲ୍ୟାଣ୍ଡଫଲ୍ ପରେ ବର୍ଷା ବିପଦ । ଆନ୍ଧ୍ରରୁ ତେଲଙ୍ଗାନା ପର୍ଯ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା । ଲ୍ୟାଣ୍ଡଫଲ୍ ସରିଛି, ହେଲେ ଟଳିନି ବାତ୍ୟା ମୁରାସୁର ବିପଦ । ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ପରେ ଏବେ ପ୍ରବଳ ବର୍ଷାକୁ ନେଇ ବଢ଼ିଛି ଚିନ୍ତା । ଆନ୍ଧ୍ରପ୍ରଦେଶ ସମେତ ତେଲଙ୍ଗାନାର ବିଭିନ୍ନ ଅଞ୍ଚଳରେ ଭାରୀ ବର୍ଷା ହେବାର ଆଶଙ୍କା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ବା IMD ପକ୍ଷରୁ ସତର୍କ କରାଯାଇଛି ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଉପକୂଳ ଆନ୍ଧ୍ରପ୍ରଦେଶ ଓ ରାୟଲସୀମାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏପରିକି କିଛି ବିଚ୍ଛିନ୍ନ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ଫଳରେ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଓ ବର୍ଷାଜନିତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ବଢ଼ିଛି ।
ଅନ୍ୟପଟେ ବାତ୍ୟା ମୁରାସୁ ସ୍ଥଳଭାଗରେ ଆଗକୁ ବଢ଼ିବା ସହ ତେଲଙ୍ଗାନାରେ ମଧ୍ୟ ବର୍ଷାର ପ୍ରଭାବ ବଢ଼ିପାରେ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । କେବଳ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ନୁହେଁ, ତାମିଲନାଡୁର କିଛି ଅଞ୍ଚଳ, ଦକ୍ଷିଣ ଓଡ଼ିଶା ଏବଂ ଛତିଶଗଡ଼ ପାଇଁ ମଧ୍ୟ ପାଣିପାଗ ସତର୍କତା ରହିଛି।ବିଶେଷ କଥା ହେଉଛି, ବାତ୍ୟାର ଲ୍ୟାଣ୍ଡଫଲ୍ ଶେଷ ହେବା ଅର୍ଥ ବର୍ଷା ବିପଦ ଶେଷ ହେବା ନୁହେଁ ।
ବାତ୍ୟା ଧୀରେ ଧୀରେ ଦୁର୍ବଳ ହେଲେ ମଧ୍ୟ ଏହା ସହ ଜଡ଼ିତ ବାଦଲ ଓ ବର୍ଷାର ପ୍ରଭାବ ସ୍ଥଳଭାଗରେ ଜାରି ରହିପାରେ । ଏଥିଯୋଗୁଁ ବାତ୍ୟା ଅତିକ୍ରମ କରିଥିବା ଅଞ୍ଚଳ ସହ ଏହାର ଗତିପଥରେ ଥିବା ଅନ୍ୟ ଅଞ୍ଚଳରେ ମଧ୍ୟ ବର୍ଷା ହୋଇପାରେ । ଏବେ ଝଡ଼ପବନ ପରେ ଲଗାଣ ବର୍ଷା ନୂଆ ଚିନ୍ତାର କାରଣ ପାଲଟିଛି । ବିଶେଷକରି ପ୍ରବଳ ବର୍ଷା ହେଲେ ସହରାଞ୍ଚଳରେ ଜଳବନ୍ଦୀ ସ୍ଥିତି, ନଦୀନାଳର ଜଳସ୍ତର ବୃଦ୍ଧି ଏବଂ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ତେଣୁ ବାତ୍ୟା ଦୁର୍ବଳ ହେବା ପରେ ମଧ୍ୟ ବର୍ଷାର ପ୍ରଭାବକୁ ନେଇ ସତର୍କ ରହିବା ଜରୁରୀ ।
