ସରକାରୀ ପାଣ୍ଠି ହଡ଼ପ ମାମଲା, R&B ଡିଭିଜନ୍-୧ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟର ସେକ୍ସନ୍ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟ ଗିରଫ

ଭୁବନେଶ୍ୱର : Vigilance ଭୁବନେଶ୍ୱର ସ୍ଥିତ R&B ଡିଭିଜନ୍-୧ର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟର ଜଣେ ସେକ୍ସନ୍ ଅଫିସର ଏବଂ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି । ୨୦୨୨-୨୩ ରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ୯.୨୪ କୋଟି ଟଙ୍କାରୁ ଅଧିକ ସରକାରୀ ପାଣ୍ଠିକୁ ନିଜର ସହଯୋଗୀମାନଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତର କରିଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସରକାରୀ ପାଣ୍ଠି ହଡ଼ପ ସମ୍ବନ୍ଧୀୟ ଅଭିଯୋଗର ଯାଞ୍ଚ ଓ ଅନୁସନ୍ଧାନ ଆଧାରରେ, ଓଡ଼ିଶା ଭିଜିଲାନ୍ସ ଭୁବନେଶ୍ୱରସ୍ଥିତ R&B ଡିଭିଜନ୍-୧ର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର (SE)ଙ୍କ କାର୍ଯ୍ୟାଳୟରେ ୯,୨୪,୧୦,୧୯୩ ଟଙ୍କା (ନଅ କୋଟି ଚବିଶ ଲକ୍ଷ ଦଶ ହଜାର ଏକ ଶହେ ତେୟାନବେ ଟଙ୍କା) ର ସରକାରୀ ପାଣ୍ଠି ହଡ଼ପ ମାମଲା ରୁଜୁ କରିଛି।

ତଦନ୍ତ ସମୟରେ ଜଣାପଡ଼ିଛି ଯେ ୨୦୨୨-୨୩ ରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ, R&B ଡିଭିଜନ୍-୧ (ଭୁବନେଶ୍ୱର)ର SE କାର୍ଯ୍ୟାଳୟର ଏଷ୍ଟାବ୍ଲିସମେଣ୍ଟ ସେକ୍ସନ୍‌ରେ କାର୍ଯ୍ୟରତ ଅଭିଯୁକ୍ତ ସେକ୍ସନ୍ ଅଫିସର ବନଲତା ମହାନ୍ତି ଏବଂ ଜୁନିୟର ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକ, ଅଜ୍ଞାତ ସହଯୋଗୀମାନଙ୍କ ସହ ମିଶି ଜାଲ୍ ମଞ୍ଜୁରୀ ଆଦେଶ (sanction orders) ଏବଂ ବିଲ୍ ପ୍ରସ୍ତୁତ କରିଥିଲେ । ଏହି ବିଲ୍‌ଗୁଡ଼ିକ ଅବସରପ୍ରାପ୍ତ କର୍ମଚାରୀଙ୍କ ନାମରେ ଅସ୍ଥାୟୀ ଗ୍ରାଚ୍ୟୁଇଟି (provisional gratuity), ବ୍ୟବହୃତ ହୋଇନଥିବା ଛୁଟି ବାବଦ ଦରମା (unutilized leave salary) ଏବଂ କାର୍ଯ୍ୟାଳୟର ଆକସ୍ମିକ ପାଣ୍ଠି (contingency fund) ବିରୋଧରେ ମିଥ୍ୟା ଦାବି ସହ ଜଡ଼ିତ ଥିଲା । ସରକାରୀ ଅର୍ଥ ହଡ଼ପ କରିବା ଉଦ୍ଦେଶ୍ୟରେ ଏହି ଜାଲ୍ ବିଲ୍‌ଗୁଡ଼ିକୁ ‘ଇଣ୍ଟିଗ୍ରେଟେଡ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ ସିଷ୍ଟମ୍’ (IFMS)ରେ ବେଆଇନ ଭାବେ ପ୍ରକ୍ରିୟାକରଣ କରାଯାଇଥିଲା ।

ଯେଉଁଠାରେ ପ୍ରକୃତ ବିଲ୍‌ଗୁଡ଼ିକରେ ପ୍ରକୃତ ହିତାଧିକାରୀଙ୍କ ବ୍ୟାଙ୍କ ବିବରଣୀ ରହୁଥିଲା, ସେଠାରେ ଜାଲ୍ ବିଲ୍‌ଗୁଡ଼ିକରେ ସମ୍ପର୍କୀୟ ଓ ପରିଚିତ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତା ନମ୍ବର ବ୍ୟବହାର କରାଯାଇଥିଲା । ହଡ଼ପ କରାଯାଇଥିବା ଅର୍ଥ ଗ୍ରହଣ କରି ଅର୍ଥ ହେରଫେର ଘଟଣା ଧରାପଡ଼ିବା ଏବଂ ଏ ସମ୍ପର୍କରେ ତଦନ୍ତ ଆରମ୍ଭ ହେବା ପରେ, ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ଦ୍ୱାରା ହେରଫେର ହୋଇଥିବା ୩.୯୬ କୋଟି ଟଙ୍କା ଉଦ୍ଧାର କରାଯାଇଛି ।

ଏହି ପରିପ୍ରେକ୍ଷୀରେ, ଶ୍ରୀମତୀ ମହାନ୍ତି, ଶ୍ରୀ ନାୟକ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ‘ଦୁର୍ନୀତି ନିବାରଣ ଆଇନ, ୧୯୮୮’ ଏବଂ ‘ବିଏନ୍‌ଏସ୍ (BNS), ୨୦୨୩’ର ଧାରା ୩୧୬(୫)/୩୧୮(୪)/୩୩୬(୩)/୩୩୮/୩୪୦(୨)/୬୧(୨) ଅନୁଯାୟୀ ଭୁବନେଶ୍ୱର ଭିଜିଲାନ୍ସ ଥାନା ମାମଲା ନଂ ୨୧ (ତାରିଖ ୨୫.୦୯.୨୦୨୬) ରୁଜୁ କରାଯାଇଛି।
ଏହି ମାମଲାର ତଦନ୍ତ ଜାରି ରହିଛି।

Spread the love