ସ୍ମିତ ମଚ୍ଛାରଙ୍କୁ ହତ୍ୟା କରି ବିମାନକୁ ୯/୧୧ ଭଳି ଦୁର୍ଘଟଣା କରିଥାନ୍ତେ ଓମାନୀ ପାଇଲଟ, ସାମ୍ନାକୁ ଆସିଲା ନୂଆ ତଥ୍ୟ
ନୂଆଦିଲ୍ଲୀ : ଫ୍ଲାଇଦୁବାଇ ବିମାନରେ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛାରଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସହ-ପାଇଲଟ୍ ହମାମ ଅଲ୍ – ହମାମିଙ୍କ ଯୋଜନା କେବଳ ବିମାନକୁ ନିୟନ୍ତ୍ରଣକୁ ନେବା ନଥିଲା । କ୍ୟାପ୍ଟେନ୍ ସ୍ମିତଙ୍କୁ ହତ୍ୟା କରି ବିମାନକୁ ନିଜ କବଜାକୁ ନେବା ସହ ୯/୧୧ ଢାଞ୍ଚାରେ ବଡ଼ ଆକ୍ରମଣ କରିବାର ଯୋଜନା ଥିଲା ।
ରିପୋର୍ଟ ଅନୁସାରେ, ହମାମ ପ୍ରଥମେ କ୍ୟାପ୍ଟେନ୍ ସ୍ମିତଙ୍କୁ ଗୁପ୍ତ ଭାବେ ହତ୍ୟା କରିବାକୁ ଚାହୁଁଥିଲେ । ପରେ ସ୍ୱାଭାବିକ ଭାବେ ବିମାନ ଚଳାଇ ତେଲ୍ ଆଭିଭ୍ ପର୍ଯ୍ୟନ୍ତ ନେବା ଓ ଲ୍ୟାଣ୍ଡିଂ ପାଇଁ ଅନୁମତି ନେବା ଯୋଜନା ଥିଲା । ଶେଷ ମୁହୂର୍ତ୍ତରେ ବିମାନକୁ ତେଲ୍ ଆଭିଭର କୌଣସି ଉଚ୍ଚ ଅଟ୍ଟାଳିକା କିମ୍ବା ବେନ୍ ଗୁରିଅନ୍ ବିମାନବନ୍ଦରରେ ଥିବା ଅନ୍ୟ ଏକ ବିମାନ ଉପରେ ଧକ୍କା କରାଇବା ଯୋଜନା ଥିବା ତଦନ୍ତରୁ ସାମ୍ନାକୁ ଆସିଥିବା କୁହାଯାଉଛି ।
୩୦ ତାରିଖରେ ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଇଦୁବାଇ ବିମାନର କକ୍ ପିଟରେ ଏହି ଘଟଣା ଘଟିଥିଲା । UAE କର୍ତ୍ତୃପକ୍ଷଙ୍କ ଅନୁସାରେ, ସହ-ପାଇଲଟ୍ କକ୍ ପିଟରେ ଥିବା କ୍ରାସ୍ ଆକ୍ସରେ କ୍ୟାପ୍ଟେନ୍ ସ୍ମିତଙ୍କୁ ଆକ୍ରମଣ କରି ବିମାନର ନିୟନ୍ତ୍ରଣ ନେବାକୁ ଉଦ୍ୟମ କରିଥିଲେ । UAE ପ୍ରସିକ୍ୟୁଟର ଜେନେରାଲ୍ ଏହାକୁ ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ବୋଲି କହିଛନ୍ତି । ତେବେ ଘଟଣାର ସମସ୍ତ ଦିଗ ଓ ଉଦ୍ଦେଶ୍ୟକୁ ନେଇ ତଦନ୍ତ ଏବେବି ଜାରି ରହିଛି । ଗୁରୁତର ଆହତ ସତ୍ତ୍ୱେ କ୍ୟାପ୍ଟେନ୍ ସ୍ମିତ କକ୍ ପିଟର ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ । ପରେ ଅନ୍ୟମାନେ କକ୍ ପିଟରେ ପ୍ରବେଶ କରି ଆକ୍ରମଣକାରୀଙ୍କୁ କାବୁ କରିଥିଲେ । ପରେ ବିମାନକୁ ସାଉଦି ଆରବର ତାବୁକରେ ସୁରକ୍ଷିତ ଭାବେ ଅବତରଣ କରାଯାଇଥିଲା ।
ଏହି ଘଟଣାକୁ ଇସ୍ରାଏଲ ଆତଙ୍କୀ ଆକ୍ରମଣ ବୋଲି କହିଛି । ଘଟଣାର ଯାଂଚ ଚାଲିଛି । ଏତେ କଡ଼ା ସୁରକ୍ଷା ପରେ ମଧ୍ୟ ଓମାନର ପାଇଲଟଙ୍କୁ କିଭଳି ଉଡ଼ାଣ ପାଇଁ ଅନୁମତି ମିଳିଥିଲା, ତାହାକୁ ନେଇ ଚର୍ଚ୍ଚା ଚାଲିଛି । ପାଇଲଟ୍ ସ୍ମିତ ମଚ୍ଛାରଙ୍କ ସତର୍କ ବୁଦ୍ଧି ଏବଂ ସାହସ ଯୋଗୁଁ ବିମାନଟିର ସୁରକ୍ଷିତ ଭାବେ ଜରୁରୀକାଳୀନ ଅବତରଣ କରାଯାଇପାରିଥିଲା ଏବଂ ଶହ ଶହ ଯାତ୍ରୀଙ୍କ ଜୀବନ ରକ୍ଷା କରାଯାଇପାରିଥିଲା ।
