ହସ୍ପିଟାଲରେ ଖସିଲା ସିଲିଂ, ଅଳ୍ପକେ ବର୍ତ୍ତିଗଲେ ନବଜାତକ ଏବଂ ପ୍ରସୂତି

ଉଦଳା : ହସ୍ପିଟାଲରେ ଖସିଲା ସିଲିଂ । ଅଳ୍ପକେ ବର୍ତ୍ତିଗଲେ ନବଜାତକ ଏବଂ ପ୍ରସୂତି । ମୟୂରଭଞ୍ଜ ଜିଲ୍ଲା ଉଦଳା ମେଡିକାଲରୁ ସାମ୍ନାକୁ ଆସିଛି ଏଭଳି ଚିନ୍ତାଜନକ ଘଟଣା । ଭାଗ୍ୟବଶତଃ ନବଜାତକ ଏବଂ ପ୍ରସୂତି ସୁରକ୍ଷିତ ରହିଥିବା ବେଳେ ଏହି ଘଟଣା ହସ୍ପିଟାଲର ଭିତ୍ତିଭୂମି ଏବଂ ରକ୍ଷଣାବେକ୍ଷଣକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।

ସୂଚନାନୁଯାୟୀ, ଜଣେ ପ୍ରସୂତି ନିଜ କୋଳରେ ନବଜାତ ଶିଶୁକୁ ଧରି ବସିଥିବା ସମୟରେ ହଠାତ୍ ଛାତର ସିଲିଂର କିଛି ଅଂଶ ଖସି ତାଙ୍କ ପିଠି ଉପରେ ପଡ଼ିଥିଲା। ଘଟଣା ପରେ ୱାର୍ଡରେ ଆତଙ୍କ ଖେଳିଯାଇଥିଲା । କିନ୍ତୁ ଏହି ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି ନବଜାତକ ଏବଂ ପ୍ରସୂତି । ଏହା ସହିତ ଅନ୍ୟ ଜଣେ ପ୍ରସୂତିଙ୍କ ସ୍ୱାମୀଙ୍କ ଉପରେ ମଧ୍ୟ ସିଲିଂ ପଡିଯାଇଥିଲା । ସିଲିଂ ସହିତ ପାଣି ମଧ୍ୟ ପଡିଥିଲା । ଛାତରୁ ପାଣି ଖସି ସିଲିଂ ନଷ୍ଟ ହୋଇଥିବାରୁ ପଡ଼ିଥିବା କୁହାଯାଉଛି।

ଏହି ଘଟଣା ପରେ ରୋଗୀ ଏବଂ ସେମାନଙ୍କ ପରିବାର ଲୋକେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରସୂତି ଓ ନବଜାତ ଶିଶୁଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବା ସହ ହସ୍ପିଟାଲ ଭବନର ତୁରନ୍ତ ମରାମତି କରିବାକୁ ଦାବି ଉଠିଛି।

Spread the love