୭୦-୮୦ ପ୍ରତିଶତ ମହିଳା ପର୍ଣ୍ଣ ଦେଖନ୍ତି, ସେମାନଙ୍କ ମୋବାଇଲ ଯାଞ୍ଚ୍ କରାଯାଉ: ସାଂସଦ ପପୁ ଯାଦବ

ସମ୍ବିଧାନର ୧୩୧ତମ ସଂଶୋଧନ ବିଲ୍ (ମହିଳା ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ) ସଂସଦରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଅଭାବରୁ କାଟ୍ ଖାଇବା ପରେ ବୁଧବାର ପୁର୍ଣ୍ଣିଆ ସାଂସଦ ପପୁ ଯାଦବ ଦେଇଥିବା ଏକ ବିସ୍ଫୋରକ ବୟାନ ଦେଶବ୍ୟାପୀ ହଇଚଇ ସୃଷ୍ଟି କରିଛି। ମହିଳା ରାଜନେତାଙ୍କ ଶୋଷଣକୁ ନେଇ ପୂର୍ବରୁ ବିବାଦୀୟ ମନ୍ତବ୍ୟ ଦେଇଥିବା ଯାଦବ ଏବେ ମହିଳା କମିଶନଙ୍କ ନୋଟିସରେ କ୍ଷୁବ୍ଧ ହୋଇ ପାଲଟା ଅଭିଯୋଗ ଆଣିଛନ୍ତି ଯେ, ଦେଶର ୭୦ ରୁ ୮୦ ପ୍ରତିଶତ ରାଜନେତା ‘ପର୍ଣ୍ଣ’ (ଅଶ୍ଲିଳ ଫିଲ୍ମ) ଦେଖନ୍ତି। ସେ ସିଧାସଳଖ ଚ୍ୟାଲେଞ୍ଜ କରି କହିଛନ୍ତି ଯେ, ଯଦି ସନ୍ଦେହ ଅଛି ତେବେ ତାଙ୍କ ସମେତ ସମସ୍ତ ନେତାଙ୍କ ଫୋନ୍ ଯାଞ୍ଚ କରାଯାଉ, ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ ।
ପପୁ ଯାଦବ ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ବଜାୟ ରଖି କହିଛନ୍ତି ଯେ ଭାରତୀୟ ସମାଜରେ ମହିଳାଙ୍କୁ ଦେବୀ କୁହାଯାଏ ସତ, କିନ୍ତୁ ବାସ୍ତବ କ୍ଷେତ୍ରରେ ସେମାନଙ୍କୁ ସମ୍ମାନ ମିଳେ ନାହିଁ। ୯୦ ପ୍ରତିଶତ ମହିଳା ଜଣେ ପୁରୁଷ ନେତାଙ୍କ ରୁମକୁ ନଯାଇ ରାଜନୀତି କରିପାରିବେ ନାହିଁ ବୋଲି ମଙ୍ଗଳବାର ଦେଇଥିବା ବୟାନକୁ ସେ ପୁନର୍ବାର ଦୋହରାଇଛନ୍ତି। ତାଙ୍କ ମତରେ, ପୁରୁଷ ନେତାମାନେ ମହିଳାମାନଙ୍କୁ ଶୋଷଣ ନକରି ସେମାନଙ୍କୁ ଆଗକୁ ବଢ଼ିବାକୁ ଦିଅନ୍ତି ନାହିଁ। ଯେତେବେଳେ ୧୫୫ ଜଣ ପୁରୁଷ ନେତାଙ୍କ ବିରୋଧରେ ଯୌନ ନିର୍ୟାତନା ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି, ସେତେବେଳେ ମହିଳା କମିଶନ ତାଙ୍କୁ କାହିଁକି ଟାର୍ଗେଟ୍ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଯେଉଁମାନେ କାଚ ଘରେ ରହୁଛନ୍ତି ସେମାନେ ଅନ୍ୟ ଉପରକୁ ପଥର ଫିଙ୍ଗିବା ଅନୁଚିତ ବୋଲି କହି ସେ ବିରୋଧୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ମହିଳା ସଂରକ୍ଷଣ ବିଲ୍କୁ ନେଇ ଦେଶରେ ଚାଲିଥିବା ତର୍କ ମଧ୍ୟରେ ସାଂସଦଙ୍କ ଏହି ଅଶାଳୀନ ମନ୍ତବ୍ୟ ରାଜନୈତିକ ସ୍ତରକୁ ଏକ ନିମ୍ନ ସ୍ତରକୁ ନେଇଯାଇଛି।
ଏହି ଘଟଣା ଏବେ କେବଳ ପପୁ ଯାଦବ ଓ ମହିଳା କମିଶନଙ୍କ ମଧ୍ୟରେ ସୀମିତ ନରହି ଏକ ବଡ଼ ଧରଣର ରାଜନୈତିକ ବିବାଦର ରୂପ ନେଇଛି। ବିଭିନ୍ନ ରାଜନୈତିକ ଦଳର ମହିଳା ନେତ୍ରୀମାନେ ସାଂସଦଙ୍କ ଏହି ମନ୍ତବ୍ୟକୁ ଅତ୍ୟନ୍ତ ରୁଚିହୀନ ଏବଂ ସମଗ୍ର ମହିଳା ସମାଜ ପ୍ରତି ଏକ ଅପମାନ ବୋଲି କହିଛନ୍ତି। ଅନ୍ୟପକ୍ଷରେ, ପପୁ ଯାଦବ ଦାବି କରିଛନ୍ତି ଯେ ସେ ମହିଳାମାନଙ୍କ ପାଇଁ ଲଢ଼େଇ ଜାରି ରଖିବେ ଏବଂ ରାଜନୈତିକ ବ୍ୟବସ୍ଥାରେ ଥିବା ପୁରୁଷ ନେତାମାନଙ୍କର ଅସଲ ମୁଖା ଖୋଲିବାକୁ ପଛାଇବେ ନାହିଁ। ସଂସଦରେ ମହିଳା ସଂରକ୍ଷଣ ବିଲ୍ର ପରାଜୟ ଏବଂ ସାଂସଦଙ୍କ ଏଭଳି ସାଂଘାତିକ ଆରୋପ ମଧ୍ୟରେ ଆଗାମୀ ଦିନରେ ଏହି ବିବାଦ ଆହୁରି ଉଗ୍ର ରୂପ ଧାରଣ କରିବାର ସମ୍ଭାବନା ରହିଛି।

Spread the love

Leave a Reply

Your email address will not be published. Required fields are marked *