ଭାରତକୁ ନର୍କ କହି ଅଡୁଆରେ ଟ୍ରମ୍ପ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହଙ୍ଗାମା, ଆମେରିକା ରାଷ୍ଟ୍ରପତିଙ୍କୁ ଟ୍ରୋଲ୍
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏଥର ସେ ତାଙ୍କ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଆମେରିକୀୟ ଲେଖକ ଏବଂ ମତାମତକାରୀ ମାଇକେଲ୍ ସାଭେଜଙ୍କ ଏକ ପୁରୁଣା ଭିଡିଓକୁ ରି-ପୋଷ୍ଟ କରିଛନ୍ତି, ଯେଉଁଥିରେ ମାଇକେଲ୍ ଭାରତ ଏବଂ ଚୀନ୍ ଭଳି ଦେଶ ବିରୋଧରେ ଆପତ୍ତିଜନକ ଭାଷା ବ୍ୟବହାର କରିଛନ୍ତି। ଏହି ଭିଡିଓଟି ମାଇକେଲ ସାଭେଜଙ୍କ ଦ୍ୱାରା ଏପ୍ରିଲ ୧ ତାରିଖରେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଲାଇଭ୍-ଷ୍ଟ୍ରିମ୍ କରାଯାଇଥିଲା, ଯେଉଁଥିରେ ସେ ‘ଜନ୍ମାଧିକାର ନାଗରିକତା’କୁ ସମାଲୋଚନା କରି ମୌଳବାଦୀ ମତାମତ ପ୍ରକାଶ କରିଥିଲେ। ସେ ଆମେରିକା ସମ୍ବିଧାନର ପୁରୁଣା ସ୍ୱଭାବକୁ ଉଲ୍ଲେଖ କରି ଆଧୁନିକ ପ୍ରବାସ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ। ସେ ଭାରତ ଏବଂ ଚୀନ୍ ଭଳି ଦେଶ ବିଷୟରେ ବିବାଦୀୟ ଏବଂ ଅପମାନଜନକ ମନ୍ତବ୍ୟ ମଧ୍ୟ ଦେଇ ‘ଅନ୍ୟ ଏକ ନର୍କ’ ବୋଲି କହିଥିଲେ।
ଭିଡିଓକୁ ସିଧାସଳଖ ସେୟାର କରିବା ପରିବର୍ତ୍ତେ, ଟ୍ରମ୍ପ୍ ଭିଡିଓର ସମ୍ପୂର୍ଣ୍ଣ ଲେଖାକୁ ଟ୍ରୁଥ୍ ସୋସିଆଲରେ ଚାରି ପୃଷ୍ଠାର ପୋଷ୍ଟ ଭାବରେ ପ୍ରକାଶ କରିଛନ୍ତି। ଯାହା ଏହି ପ୍ରସଙ୍ଗକୁ ଆହୁରି ଜଟିଳ କରିଛି। ସମାଲୋଚକମାନେ ଟ୍ରୋଲ୍ କରି କହିଛନ୍ତି ଯେ, ଜଣେ ରାଷ୍ଟ୍ରପତିଙ୍କ ଦ୍ୱାରା ଏପରି ସାମଗ୍ରୀର ପୁନଃପ୍ରକାଶନ କେବଳ ବିବାଦୀୟ ନୁହେଁ ବରଂ ସେହି ମତାମତକୁ ବୈଧତା ମଧ୍ୟ ପ୍ରଦାନ କରୁଛି।
ମାଇକେଲ ସାଭେଜଙ୍କ ଭିଡିଓଟି ପ୍ରାରମ୍ଭରେ ବହୁତ କମ୍ ଲୋକ ଦେଖିଥିଲେ ଏବଂ କେବଳ କିଛି ହଜାର ଭ୍ୟୁ ପାଇଥିଲା। ତେବେ ଟ୍ରମ୍ପ ଏହାକୁ ସେୟାର କରିବା ପରେ, ଏହା ଅନ୍ତର୍ଜାତୀୟସ୍ତରରେ ଆଲୋଚନାର ବିଷୟ ପାଲଟିଛି। ଟ୍ରମ୍ପ ପୂର୍ବରୁ ପ୍ରବାସ ଏବଂ ଜନ୍ମଗତ ନାଗରିକତା ସମ୍ପର୍କରେ କଡ଼ା ବକ୍ତବ୍ୟ ଦେଇଛନ୍ତି। ଏକ ସାକ୍ଷାତକାରରେ ଏହି ପ୍ରସଙ୍ଗରେ କଡ଼ା ମତାମତ ପ୍ରକାଶ କରି ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ନୀତିଗୁଡ଼ିକ ଏହି ପ୍ରସଙ୍ଗରେ ବହୁତ କଠୋର ମନୋଭାବ ଗ୍ରହଣ କରେ।
ଏହି ସମ୍ପୂର୍ଣ୍ଣ ପ୍ରସଙ୍ଗ ରାଜନୈତିକ ଏବଂ କୂଟନୈତିକ ମହଲରେ ନୂତନ ବିତର୍କ ସୃଷ୍ଟି କରିଛି। ବିଶେଷଜ୍ଞମାନଙ୍କ ଅନୁସାରେ ଜଣେ ଉଚ୍ଚପଦସ୍ଥ ନେତାଙ୍କ ଦ୍ୱାରା ସେୟାର କରାଯାଇଥିବା ଏପରି ମନ୍ତବ୍ୟ ଅନ୍ତର୍ଜାତୀୟ ସମ୍ପର୍କରେ ନକାରାତ୍ମକ ପ୍ରଭାବ ପକାଇପାରେ। ଏହି ବିବାଦ କେବଳ ଗୋଟିଏ ସୋସିଆଲ ମିଡିଆ ପୋଷ୍ଟରେ ସୀମିତ ନାହିଁ। ଏହା ଆମେରିକାର ପ୍ରବାସ ନୀତି , ରାଜନୈତିକ ଭାଷା ଏବଂ ବିଶ୍ୱ କୂଟନୀତି ବିଷୟରେ ମଧ୍ୟ ଗମ୍ଭୀର ପ୍ରଶ୍ନ ଉଠାଇଛି ।
