ସରକାରୀ ଗାଡ଼ି ବ୍ୟବହାର ଉପରେ ଲାଗିବ କଡ଼ା କଟକଣା, ଆସିପାରେ ନୂଆ ଗାଇଡଲାଇନ୍
ଭୁବନେଶ୍ଵର : ସରକାରୀ ଗାଡ଼ି ବ୍ୟବହାର ଉପରେ ଲାଗିବ କଡ଼ା କଟକଣା । ଆସିପାରେ ନୂଆ ଗାଇଡଲାଇନ୍ । ରାଜ୍ୟରେ ଇନ୍ଧନର ବ୍ୟବହାର କମାଇବା ଏବଂ ପ୍ରଶାସନିକ ସ୍ତରରେ ମିତବ୍ୟୟିତା ଆପଣାଇବା ପାଇଁ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି । ଏହି ନୂଆ ନିୟମଗୁଡ଼ିକ ମୁଖ୍ୟତଃ ସରକାରୀ ଗାଡ଼ି ଏବଂ ଅଧିକାରୀମାନଙ୍କୁ ଶୃଙ୍ଖଳିତ କରିବା ପାଇଁ ଲାଗୁ କରାଯାଇପାରେ । ସରକାରୀ ଗାଡ଼ି ବ୍ୟବହାର ଉପରେ ଅଙ୍କୁଶ ଲାଗିବ । ଅଣ-ଜରୁରୀ ବ୍ୟବହାର ବନ୍ଦ ହେବ । କେବଳ ଅତି ଜରୁରୀ କାର୍ଯ୍ୟ ବ୍ୟତୀତ ସରକାରୀ ଗାଡ଼ି ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିପାରେ । ପ୍ରତି ବିଭାଗ ଓ ଅଧିକାରୀଙ୍କ ପାଇଁ ମାସିକ ତେଲ ଖର୍ଚ୍ଚର ଏକ ସୀମା ଧାର୍ଯ୍ୟ ହେବ । ଅଧିକାରୀମାନଙ୍କ ପାଇଁ ବ୍ୟକ୍ତିଗତ ଗାଡ଼ି ବଦଳରେ ପୁଲ୍-ଭେହିକିଲ୍ କିମ୍ବା ସାମୂହିକ ଯାତାୟାତ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇପାରେ ।
ୱାର୍କ ଫ୍ରମ୍ ହୋମ୍ ଓ ସମୟ ପରିବର୍ତ୍ତନ ନେଇ ଆସିପାରେ ଗାଇଡଲାଇନ । ଯାତାୟାତ କମାଇବା ପାଇଁ କିଛି ଦିନ ‘ଘରୁ କାମ’ କିମ୍ବା ପର୍ଯ୍ୟାୟକ୍ରମେ ଅଫିସ୍ ସମୟ ନିର୍ଦ୍ଧାରଣ ହୋଇପାରେ । ଟୁର୍ ଓ କ୍ଷେତ୍ର ପରିଦର୍ଶନ ଉପରେ ରୋକ୍ ଲାଗିପାରେ । ଅନାବଶ୍ୟକ ସରକାରୀ ଗସ୍ତ ଏବଂ ଫିଲ୍ଡ ଭିଜିଟ୍ ଉପରେ ସାମୟିକ କଟକଣା ଲାଗିବ । ସଚିବାଳୟ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟକୁ ଆସୁଥିବା କର୍ମଚାରୀଙ୍କୁ ବସ୍, ସାଇକେଲ୍ କିମ୍ବା ଇ-ଭେହିକିଲ୍ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଳୟ ବା କନଭୟରେ ଥିବା ଗାଡ଼ି ସଂଖ୍ୟାରେ ବଡ଼ ଧରଣର ହ୍ରାସ । ମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀମାନଙ୍କୁ ବିଳାସପୂର୍ଣ୍ଣ ଗାଡ଼ି ବଦଳରେ କମ୍ ତେଲ ଖର୍ଚ୍ଚ ହେଉଥିବା ଗାଡ଼ି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇପାରେ । ଏହି ସବୁ ନିୟମର ପାଳନ ଉପରେ ନଜର ରଖିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହେବ ଏବଂ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
