ଜଗନ୍ନାଥଙ୍କ ଅର୍ଥ ଆତ୍ମସାତ୍ ଘଟଣାରୁ ଦୃଷ୍ଟି ହଟାଇବା ପାଇଁ ଅଗଣତାନ୍ତ୍ରିକ ଭାବେ ବିଧାନସଭାକୁ ବନ୍ଦ କରାଯାଇଛି: ବିଜେପି

ଭୁବନେଶ୍ୱର,୧୪/୦୩: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୫୯୨ କୋଟି ଟଙ୍କାକୁ ବୁଡାଇ ଦେବାର ଚକ୍ରାନ୍ତ ରଚିଥିବା ବିଜୁ ଜନତା ଦଳର ସରକାର ବିଧାନସଭାରେ ଜବାବ ଦେଇପାରିଲେ ନାହିଁ । ଗୃହରେ ବିରୋଧୀ ସରକାରଙ୍କୁ ୟେସ ବ୍ୟାଙ୍କ କେଳେଙ୍କାରି ବିଷୟରେ ଯେପରି ଭାବେ ଘେରିଲେ ସରକାର ଅଣନିଶ୍ୱାସୀ ହୋଇପଡିଛନ୍ତି । ସରକାରର ମୁହଁ କଳା ପଡିଯାଇଛି । ଶ୍ରୀଜଗନ୍ନାଥଙ୍କ ପଇସା ସରକାରି ବ୍ୟାଙ୍କରୁ ଆଣି ସରକାରଙ୍କର ଅନୁମୋଦନ ତାଲିକାରେ ନଥିବା ଏକ ଘରୋଇ ବ୍ୟାଙ୍କରେ କାହିଁକି ରଖାଗଲା ବୋଲି
ବିରୋଧୀ ଦଳ ନେତା  ପ୍ରଦୀପ୍ତ ନାଏକ ପ୍ରଶ୍ନ କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାଏକ କହିଛନ୍ତି ଯେ, ମାର୍ଚ୍ଚ ୧୯ରେ ସରକାର ଏହି ଅର୍ଥ ୟେସ
ବ୍ୟାଙ୍କରୁ ଉଠାଇ ଆଣିବେ ବୋଲି ଦମ୍ଭୋକ୍ତି ଦେଇଥିଲେ । ଯଦି ସରକାର ସେହି ତାରିଖରେ ପଇସା ଫେରାଇ ଆଣିପାରିବେ ନାହିଁ
ତାହେଲେ ବିଧାନସଭାରେ ହରଡ ଘଣାରେ ପଡିଥାନ୍ତେ । ତେଣୁ ତାହା ପୂର୍ବରୁ ଜାଣିଶୁଣି ବାହାନାବାଜି କରି ବିଧାନସଭାକୁ ବନ୍ଦ
କରିଦେଲେ । ହେଲେ ଯେତେ ଘଂଟ ଘୋଡାଇଲେ ବି ସତ ବାହାରିବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପଇସାକୁ ଲୁଟ କରିବାରେ
ଯେଉଁମାନେ ଦୋଷି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଚୁପ ବସିବ ନାହିଁ ।
ଯଦି ରାଜ୍ୟ ସରକାର ଭାବୁଥାନ୍ତି ଯେ ସେମାନେ ଚଂଚକତା କରି ୟେସ ବ୍ୟାଙ୍କ କେଳେଙ୍କାରିରୁ ଖସି ଯିବେ ତାହା କେବେବି
ସଫଳ ହେବ ନାହିଁ । ଭାରତୀୟ ଜନତା ପାର୍ଟି ସେହି ମହାଦୁର୍ନିତିର ମହାନାୟକ ମାନଙ୍କୁ ଗୋଡେଇ ଧରିବ ବୋଲି ଶ୍ରୀ ନାଏକ ଚେତାବନୀ ଦେଇଛନ୍ତି ।
ରାଜ୍ୟରେ ଏବେ ସୁଦ୍ଧା କରୋନା ଭାଇରାସରେ କେହି ଆକ୍ରାନ୍ତ ହୋଇନାହାନ୍ତି । ଯେତେ ଗୁଡିଏ ପରୀକ୍ଷା ହୋଇଛି ସବୁ
ନେଗେଟିଭ ବାହାରିଛି । କିନ୍ତୁ ବିଧାନସଭାକୁ କରୋନା ପାଇଁ ବାତିଲ କରାଯିବା ନେଇ ଶାସକ ଦଳର ପ୍ରସ୍ତାବ ଓ ଏହା ଉପରେ
ବାଚସ୍ପତିଙ୍କ ମୋହର ସରକାରଙ୍କର ଦେବାଳିଆ ମାନସିକତା ଓ ପଳାୟନ ପନ୍ଥି ମନୋଭାବକୁ ପ୍ରମାଣିତ କରୁଛି । ବିଧାନସଭା ସହିତ କରୋନା ଭାଇରସର ସର୍ମ୍ପକ କଣ ବୁଝାପଡୁନି । ବିଧାନସଭା ଚାଲିଲେ କରୋନା ଭାଇରସ କିପରି ବ୍ୟାପିବ ? ସରକାରଙ୍କର ଏପ୍ରକାର  ଚିନ୍ତାଧାରା ବଡ ଅଜବ । କେବଳ ମହାପ୍ରଭୁଙ୍କ ଅର୍ଥକୁ ହରିଲୁଟ ଏବେ ଧରାପଡିଯିବା ପରେ ସେଥିରୁ ବର୍ତିବା ପାଇଁ ଏହା ଏକ ନାଟକ ବୋଲି ମୁଖ୍ୟସଚେତକ ଶ୍ରୀ ମୋହନ ମାଝୀ କହିଛନ୍ତି ।

ବର୍ତମାନ ଦେଶରେ ସଂସଦରେ ବଜେଟ ଅଧିବେସନ ସୁରୁଖୁରୁରେ ଚାଲିଥିବାବେଳେ ଦିଲ୍ଲୀ, ତେଲେଙ୍ଗାନା, ଆସାମ,
ରାଜସ୍ଥାନ, ପଂଜାବ, କର୍ଣ୍ଣାଟକ, ବିହାର ଆଦି ରାଜ୍ୟରେ ବିଧାନସଭା ଅଧିବେସନ ବି ଚାଲିଛି । କେଉଁଠି ବି କରୋନା ପାଇଁ  ବିଧାନସଭାକୁ ଅଧାରୁ ବନ୍ଦ କରିଦିଆଯିବାର ଖବର ନାହିଁ । ହେଲେ ଓଡିଶା, ଯେଉଁଠି ଜଣେ ହେଲେ କରୋନା ରୋଗୀ ନାହାନ୍ତି  ସେଠାରେ ସରକାର କଣ ପାଇଁ ବିଧାନସଭାକୁ ବନ୍ଦ କରିବା ପାଇଁ ଚାହିଁଲେ ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି ।
ସରକାରଙ୍କ ଏପ୍ରକାର ମନମାନି ଚଳିବ ନାହିଁ । ଏହାକୁ ଆମେ ଦୃଢ ସ୍ୱରରେ ନିନ୍ଦା କରୁଛୁ । ବାଚସ୍ପତି ତାଙ୍କ ନିଷ୍ପତି ବଦଳାନ୍ତୁ
ଓ ପୁର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ଗୃହକୁ ଚଲାନ୍ତୁ ବୋଲି ଶ୍ରୀ ମାଝୀ କହିଛନ୍ତି । ବିଧାନସଭାର ବଜେଟ ଅଧିବେସନର ଆହୁରି ୨୦ କାର୍ଯ୍ୟଦିବସ ବାକି ଅଛି । ଅନେକ ବିଭାଗର ଖର୍ଚ୍ଚ ଦାବି ଉପରେ ବି ଆଲୋଚନା ବି ହୋଇଥାନ୍ତା । କରୋନା ଆଳରେ ଏବେ ବିନା ଖର୍ଚ୍ଚ ଦାବି ଆଲୋଚନାରେ ବ୍ୟୟ ବରାଦକୁ ପାସ କରାଇବେ । ଓଡିଶାର ମୁଖ୍ୟମନ୍ତ୍ରୀ ଏକ ଅସୁସ୍ଥ ପରମ୍ପରା ସୃଷ୍ଟି କରିବା ପାଇଁ ଯାଉଛନ୍ତି ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି ।
କୋରୋନା ଚିନ୍ତା ଆଜି ସାଧାରଣ ଜନତାଙ୍କୁ ନୁହେଁ ବରଂ ବିଜେଡିକୁ ଘାରିଛି । ରାଜ୍ୟସରକାର ଆମ ମାନଙ୍କ ଦ୍ୱାରା ହିଁ
କୋରୋନା ସମ୍ବନ୍ଧରେ ସଚେତନ କରାଇ ପାରିଥାନ୍ତେ କିନ୍ତୁ ତାହା ନକରି ବିଧାନସଭା ବନ୍ଦ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଶାସକ ବିଜେଡି ବାଚସ୍ପତିଙ୍କୁ ହାତବାରେସି କରି ବାରମ୍ବାର ବିଧାନସଭା ଗୃହକୁ ମୁଲତବି କରିଚାଲିଛନ୍ତି । ଓଡିଶାର ସବୁ ବିଭାଗର ଟଙ୍କା ପ୍ରାଇଭେଟ ବ୍ୟାଙ୍କ ରେ ରଖାଯାଇଛି । କେଉଁ ବିଭାଗରେ କେତେ ଅର୍ଥ ରହିଛି ଅର୍ଥମନ୍ତ୍ରୀ ଏକ ଶ୍ୱେତ ପତ୍ରମାଧ୍ୟମରେ ତାହା ପ୍ରକାଶ କରନ୍ତୁ।  ଓଏମସିର ୬୫୦ କୋଟି, ଇଡକୋ ର ୨୦୦୦ କୋଟି ଟଙ୍କା ବିଭିନ୍ନ ଘରୋଇ ବ୍ୟାଙ୍କରେ ରାଜ୍ୟ ସରକାର ରଖିଛନ୍ତି । ସେହିପରି ଜଗନ୍ନାଥଙ୍କ ଅର୍ଥକୁ ଆତ୍ମସାତ କରିବା ପାଇଁ ବିଜେଡି ପ୍ରୟାସ ଚଲାଇଛି । ପୂର୍ବରୁ ବ୍ରହ୍ମ ବିଭ୍ରାଟ, ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାର କାହା ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ ବୋଲି ଉପନେତା ଶ୍ରୀ ବିଷ୍ଣୁ ସେଠୀ ପ୍ରଶ୍ନ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପ୍ରକାଶ ସୋରେନ, ନବ ଚରଣ ମାଝୀଙ୍କ ସମେତ ରାଜ୍ୟ ଗଣମାଧ୍ୟମ
ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love