ଲାଞ୍ଚୁଆ ନିର୍ବାହୀ ଯନ୍ତ୍ରୀ ଗିରଫ, ୨ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଧରିଥିଲା ଭିଜିଲାନ୍ସ

ରାୟଗଡ଼ା: ଲାଞ୍ଚୁଆ ନିର୍ବାହୀ ଯନ୍ତ୍ରୀ ଗିରଫ । ଅବସରର ସପ୍ତାହେ ପୂର୍ବରୁ ବନ୍ଧା ହେଲେ ରାୟଗଡ଼ା ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ । ୨ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଧରିଥିଲା ଭିଜିଲାନ୍ସ । ତଲାସି ସମୟରେ ରାୟଗଡ଼ା ସରକାରୀ କ୍ୱାର୍ଟରରୁ ଆହୁରି ୩ ଲକ୍ଷ ୩୯ ହଜାର ଟଙ୍କା ନଗଦ ଜବତ ହୋଇଛି । କାମର ବିଲ୍ ପାସ୍ କରିବା ସହ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବା ପାଇଁ ଜଣେ ଠିକାଦାରଙ୍କୁ କାର୍ଯ୍ୟ ଅଭିଜ୍ଞତା ପ୍ରମାଣପତ୍ର ଜାରି କରିବା ବଦଳରେ ସେ ଏହି ଲାଞ୍ଚ ଦାବି କରିଥିଲେ। ଅଭିଯୁକ୍ତ ନିର୍ବାହୀ ଯନ୍ତ୍ରୀ ପ୍ରାୟ ୫୦ ଲକ୍ଷ ଟଙ୍କାର ବିଲ୍ କ୍ଲିୟର କରିବା ଏବଂ ଅଭିଜ୍ଞତା ପ୍ରମାଣପତ୍ର ଦେବା ପାଇଁ ପ୍ରଥମେ ୨ଲକ୍ଷ ୫୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ।

ଏନେଇ ଠିକାଦାର ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଯୋଜନାବଦ୍ଧ ଜାଲ ବିଛା ଯାଇଥିଲା । ଲାଞ୍ଚ ଟଙ୍କା ନେବାବେଳେ ମାଡ଼ି ବସିଥିଲା ଭିଜିଲାନ୍ସ । ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଗିରଫ ପରେ ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର ନନ୍ଦନ ବିହାରସ୍ଥିତ ବାସଭବନ, ନୟାଗଡ଼ ସ୍ଥିତ ପୈତୃକ ଘର, ରାୟଗଡ଼ାସ୍ଥିତ ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟ ସମେତ ଏକାଧିକ ସ୍ଥାନରେ ଚଢ଼ାଉ କରାଯାଇଥିଲା । ପ୍ରସନ୍ନ କୁମାର ପଟ୍ଟନାୟକ ଆସନ୍ତା ୩୦ ଜୁନ୍ ୨୦୨୬ରେ ଅବସର ଗ୍ରହଣ କରିବାକୁ ଥିଲେ ।

Spread the love

Leave a Reply

Your email address will not be published. Required fields are marked *