ସ୍ତ୍ରୀର ଜନ୍ମଦିନରେ ସ୍ବାମୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ, ପୋଲିସ ତଦନ୍ତ ଜାରି
ବାଲେଶ୍ୱର : ସ୍ତ୍ରୀର ଜନ୍ମଦିନରେ ସ୍ବାମୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ । ବିଳମ୍ବିତ ରାତ୍ରିରେ ସ୍ୱାମୀଙ୍କ ମୃତ ଦେହ ବାଲେଶ୍ଵର ହସ୍ପିଟାଲରେ ଭର୍ତ୍ତି ପରେ ମୋବାଇଲ୍ ସୁଇଚ ଅଫ୍ କରିଦେଲେ ସ୍ତ୍ରୀ । ଏଣେ ମୃତକଙ୍କ ସ୍ତ୍ରୀ ଙ୍କ ସହ ଯୋଗାଯୋଗ କରିନପାରି ଥାନାର ଦ୍ୱାରସ୍ଥ ହେଲେ ମୃତକଙ୍କ ପରିବାର। ରହସ୍ୟ ଭିତରେ ବାଲେଶ୍ୱରରେ ଯୁବ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ପତ୍ନୀଙ୍କ ବିରୋଧରେ ସୁଚିନ୍ତିତ ଷଡ଼ଯନ୍ତ୍ର ଓ ହତ୍ୟା ଅଭିଯୋଗ ଆସିଛି। ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଆଜିମାବାଦ୍ ର ବିଜୁ ପଟ୍ଟନାୟକ ଆଦର୍ଶ କଲୋନୀରେ ରହୁଛନ୍ତି ପତ୍ନୀ ରଶ୍ମିରେଖା। ତାଙ୍କ ସ୍ୱାମୀ ରଶ୍ମିରଂଜନ ସେଠୀ କଟକରେ ଜେଇ ଭାବେ କାର୍ଯ୍ୟରତ ଥିଲେ ଏବଂ ଭୁବନେଶ୍ୱରରେ ରହୁଥିଲେ। ନିଜ ପତ୍ନୀଙ୍କ ଜନ୍ମଦିନ ପାଳନ ପାଇଁ ଭୁବନେଶ୍ୱରରୁ ବାଲେଶ୍ୱର ଆସିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ପକ୍ଷରୁ ହତ୍ୟାକାଣ୍ଡର ସଙ୍ଗୀନ ଅଭିଯୋଗ ଅଣାଯାଇଛି।
ବାଲେଶ୍ୱର NHM ବିଭାଗରେ କାର୍ଯ୍ୟରତ ଯନ୍ତ୍ରୀ ରଶ୍ମିରେଖା ଭୂୟାଁ । ରଶ୍ମିରେଖା ଭୂୟାଙ୍କର ଜୁଲାଇ ୧୬ ତାରିଖରେ ଜନ୍ମଦିନ ଥିଲା। ଏହି ଅବସରରେ ତାଙ୍କ ସ୍ୱାମୀ ରଶ୍ମିରଞ୍ଜନ ସେଠୀ ବାଲେଶ୍ୱର ଆସିଥିଲେ। ହେଲେ ସେହି ବିଳମ୍ବିତ ରାତ୍ରିରେ ହିଁ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ଖବର ପରିବାର ଲୋକଙ୍କୁ ମିଳିଥିଲା। ମୃତକଙ୍କ ପରିବାରବର୍ଗ ଏହି ଘଟଣାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଦାବି କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ ପତ୍ନୀ ରଶ୍ମିରେଖାଙ୍କର ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ସହ ଅବୈଧ ସମ୍ପର୍କ ଥିଲା, ଯାହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା। ପୂର୍ବରୁ ରଶ୍ମିରେଖା ଓ ତାଙ୍କ ପୁରୁଷ ବନ୍ଧୁ ରଶ୍ମିରଞ୍ଜନଙ୍କୁ ଆକ୍ରମଣ କରିବା ସହ ଚୁପ୍ ରହିବାକୁ ଧମକ ଦେଇଥିଲେ।
ସେବେଠାରୁ ଉଭୟ ଦମ୍ପତି ଅଲଗା ରହୁଥିଲେ। ମୃତକଙ୍କ ବେକରେ ଦୁଇଟି କ୍ଷତ ଚିହ୍ନ ରହିବା ସହ କାନ ପାଖରେ ଗଭୀର ଆଘାତ ଥିବାରୁ ଏହା ହତ୍ୟା ବୋଲି ପରିବାର ଲୋକେ ସନ୍ଦେହ କରୁଛନ୍ତି। ରଶ୍ମିରେଖା ଓ ତାଙ୍କ ପୁରଷ ବନ୍ଧୁ ଷଡ଼ଯନ୍ତ୍ର କରି ହତ୍ୟା କରି ପରେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ୍ୟୁ ପରେ ରଶ୍ମିରେଖା ଫୋନ୍ ସୁଇଚ୍ ଅଫ୍ କରିଦେଇଥିବାରୁ ପରିବାର ଲୋକେ ତାଙ୍କ ସହ ଯୋଗାଯୋଗ କରିପାରି ନଥିଲେ। ଏହି ଘଟଣାକୁ ନେଇ ସହଦେବଖୁଣ୍ଟା ଥାନାରେ ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି। ପୋଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।
