ରାଜ୍ୟରେ ଲଗାଣ ବର୍ଷା ଜାରି, ବିପଦ ସଙ୍କେତ ଛୁଇଁଲା ଜଳକା
ଜଳେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସେପଟେ ବିପଦ ସଙ୍କେତ ଛୁଇଁଲା ଜଳକା । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ମଥାନୀଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଛି । ଏବେ ଜଳସ୍ତର ୬.୫୦ ମିଟରରେ ପ୍ରବାହିତ ହେଉଛି । ବାଲେଶ୍ବର ସମେତ ଜଳକା ନଦୀର ଉପରମୁଣ୍ଡ ପଡୋଶୀ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର,ମୋରଡା,ଶୁଳିଆପଦା,ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଜଳସ୍ତର ବଢିବାରେ ଲାଗିଛି । ଆଜି ମଧ୍ଯ ପ୍ରବଳ ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି । ବନ୍ୟା ହେଲେ ବସ୍ତା ବ୍ଲକର ୧୦ ଓ ସଦର ବ୍ଲକର ୩ଟି ପଂଚାୟତ ପ୍ରଭାବିତ ହେବ ।
ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ମହାନଦୀ ସମେତ ସାଳନ୍ଦୀ, ଦେବୀ ଆଦି ଶାଖାନଦୀଗୁଡ଼ିକର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ମହାନଦୀର ବନ୍ୟାଜଳ ଆସି କଟକ ବଡ଼ମ୍ବାସ୍ଥିତ ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିରକୁ ଛୁଇଁଥିବାରୁ ମା’ଙ୍କୁ ରୋଷଘରକୁ ସ୍ଥାନାନ୍ତର କରାଯାଉଛି । ଏହି ବନ୍ୟା ଓ ବର୍ଷା ସ୍ଥିତି ଯୋଗୁଁ ଯାତାୟାତ ଏବଂ ପରିବହନ ବ୍ୟବସ୍ଥା ମଧ୍ୟ ବହୁତଭାବେ ପ୍ରଭାବିତ ହୋଇଛି । କୋରାପୁଟ-ରାୟଗଡ଼ା ରେଳ ଲାଇନ୍ରେ ବର୍ଷା ପାଣି ଜମି ରହିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରାଜ୍ୟରେ ଏଭଳି ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସ୍ଥିତିର ସମୀକ୍ଷା କରିଛନ୍ତି ଏବଂ ପ୍ରଶାସନକୁ ସତକର୍ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
