କରୋନା ପାଇଁ ବଢିଲା କଟକଣା, ୭ରୁ ଅଧିକ ଏକାଠି ହେଇପାରିବେନି

ଆଜିଠାରୁ ସର୍ବସାଧାରଣ ସ୍ଥାନରେ ୭ ଜଣ ଲୋକ ଏକତ୍ର ହୋଇପାରିବେ ନାହିଁ। କରୋନା ଛଡ଼ା ଅନ୍ୟ କୌଣସି ମିଟିଂ ହୋଇପାରିବ ନାହିଁ। ଜୟନ୍ତୀ ଓ ମାଲ୍ୟାର୍ପଣ ଆଦି ସରକାରୀ କାର୍ଯ୍ୟକ୍ରମ ବନ୍ଦ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଚ୍ଚ ୨୨ ଜନତା କର୍ଫ୍ୟୁ ଆହ୍ୱାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି। ରବିବାର ସବୁ ଲୋକ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ବୋଲି କରୋନା ମୁଖପାତ୍ର ସୁବ୍ରତ ବାଗ୍‌ଚୀ ପ୍ରକାଶ କରିଛନ୍ତି। ଶ୍ରୀ ବାଗ୍‌ଚୀ କହିଛନ୍ତି, “କରୋନା ମୁକାବିଲା କରିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସରକାରୀ କାର୍ଯ୍ୟାନୁଷ୍ଠାନ ଛଡ଼ା ସମାଜିକ ଓ ବ୍ୟକ୍ତି ଚେତନା ଅବଶ୍ୟକ। ‘କରୋନା’କୁ ନେଇ ମହାମାରୀ ଓ ଆତଙ୍କ ଚାରିଆଡ଼େ ଖେଳିଥିବା ବେଳେ ଆମକୁ କେବଳ ନିଜର ସ୍ୱାର୍ଥକଥା ଚିନ୍ତା କଲେ ହେବନାହିଁ। ଅମକୁ ଭାବିବାକୁ ପଡ଼ିବ ଯେ, ଲକ୍ଷ ଲକ୍ଷ ଓଡ଼ିଆ ରାଜ୍ୟ ତଥା ଦେଶ ବାହାରେ ରହୁଛନ୍ତି। ଆମେ ଯଦି ରାଜ୍ୟ ତଥା ଦେଶ ବାହାର ଲୋକଙ୍କୁ ଓଡ଼ିଶାରେ ଲାଞ୍ଛନା ଏବଂ ଅପମାନ ଦେବା ତାହା ହେଲେ ବାହାରେ ରହୁଥିବା ଆମ ଲୋକଙ୍କ ଅବସ୍ଥା କ’ଣ ହେବ? ଏପରି ନକରି ସମସ୍ତଙ୍କୁ ସାନ୍ୱନା ଦିଅନ୍ତୁ। କୌଣସି ପରିସ୍ଥିତିରେ ନିଜର ମଣିଷ ପଣିଆ ହରାନ୍ତୁ ନାହିଁ। କାରଣ ଆମେ ହେଲୁ ଗୋପବନ୍ଧୁ ଦାସଙ୍କ ଦାୟାଦ। ବନ୍ୟାରେ ଓଡ଼ିଶା ଭାସି ଯାଉଥିବା ବେଳେ ନିଜ ରୋଗୀଣା ପୁଅକୁ ଛାଡ଼ି ଦେଶର ମଙ୍ଗଳ ପାଇଁ ଘର ଛାଡ଼ି ଚାଲି ଯାଇଥିଲେ ଗୋପବନ୍ଧୁ। ଫେରିଲା ବେଳକୁ ପୁଅ ବଞ୍ଚିନଥିଲା। ଇଏ ହେଉଛି ସନ୍ଥ କବି ଭୀମୋଇ ଭୋଇଙ୍କ ମାଟି। ସେ ଲେଖିଥିଲେ “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କ ପଡ଼ିଥାଉ ଜଗତ ଉଦ୍ଧାର ହେଉ”। ଆଗକୁ କ’ଣ ହେବ କେହି କହିପାରିବ ନାହିଁ। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ମଣିଷ ପଣିଆକୁ ବଜାୟ ରଖିବା। ପରିସ୍ଥିତିକୁ ମୁକାବିଲା କରିବା। ବାହାର ଲୋକଙ୍କୁ ନିଜର କରି ରଖିବା ଓ ସେମାନଙ୍କୁ ସାନ୍ୱନା ଦେବା।”


ସେ ଆହୁରି କହିଛନ୍ତି, “ରାଜ୍ୟର ସମସ୍ତ ଏସ୍‌ସି/ଏସ୍‌ଟି ଛାତ୍ରାବାସ ମାର୍ଚ୍ଚ ୨୫ରୁ ଜୁନ ୧୫ ପର୍ଯ୍ୟନ୍ତ ବନ୍ଦ ରଖାଯାଉଛି।

Spread the love