ମୌସୁମୀ ଗଲାଣି, ଅଧିବେଶନ କେବେ? ,ସରକାରଙ୍କୁ ଘେରିବାକୁ ପୁଳାପୁଳା ପ୍ରସଙ୍ଗ
ବିରୋଧୀ ସଜବାଜ ହେଲେଣି। ମଉକା, ସ୍ଥାନ, କାଳ ଓ ପାତ୍ର ଦେଖୁଛନ୍ତି ସରକାରଙ୍କୁ ଘେରିବା ପାଇଁ। କାରଣ ପାଖରେ ପୁଳାପୁଳା ପ୍ରସଙ୍ଗ। ଆଉ ଏସବୁ ଭିତରେ କାହିଁକି ବିଧାନସଭାରେ ମୌସୁମୀ ଅଧିବେଶନ ବିଳମ୍ବ ହେଉଛି ବୋଲି ପ୍ରଶ୍ନ କରୁଛନ୍ତି। ଶାସକ ଦଳ କହୁଛି, ଠିକ୍ ସମୟରେ ବସିବ ଅଧିବେଶନ। ହେଲେ ମୌସୁମୀ ଗଲାଣି, କିନ୍ତୁ ମୌସୁମୀ ଅଧିବେଶନର ତାରିଖ ଆସୁନି। ମୌସୁମୀ ଓଡ଼ିଶାକୁ ଆସି ଫେରିବାକୁ ବସିଲାଣି । ସଂସଦର ମୌସୁମୀ ଅଧିବେଶ ଆରମ୍ଭ ହୋଇ କେବେଠାରୁ ସରିଲାଣି । ହେଲେ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇନି । ଅଗଷ୍ଟ ମାସର ତୃତୀୟ ସପ୍ତାହ ସରିବାକୁ ବସିଥିଲେ ବି ଏପର୍ୟ୍ୟନ୍ତ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇନି । ଯାହାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ଶାସକ ଦଳ ଉପରେ ବର୍ଷିଛନ୍ତି। କହିଛନ୍ତି ବିଭିନ୍ନ ପ୍ରସଙ୍ଗରେ ସରକାର ବ୍ୟାକ୍ ଫୁଟରେ ଅଛନ୍ତି, ତେଣୁ ଅଧିବେଶନ ଡାକିବାକୁ ଭୟ କରୁଛନ୍ତି । ଖଣି ସଂଶୋଧନ ବିଲ୍ରେ ଓଡ଼ିଶାର ରାଜସ୍ବ ହାନି, ବନ୍ୟା ନିୟନ୍ତ୍ରଣରେ ଫେଲ୍, ଛାତ୍ରଛାତ୍ରୀଙ୍କ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗ, ଚାଷୀ ପଞ୍ଜୀକରଣ, ସାର ସଂକଟକୁ ନେଇ ସରକାରଙ୍କୁ ଘେରିବେ। ସେଥିପାଇଁ ମୌସୁମୀ ଅଧିବେଶନକୁ ବିଳମ୍ବ କରୁଛନ୍ତି ସରକାର।ବିରୋଧୀଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛି ଶାସକ ଦଳ। ଠିକ୍ ସମୟରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ। ବାଚସ୍ପତି ଏହାର ନିଷ୍ପତ୍ତି ନେବେ। ହେଲେ ଅନେକ ସମୟରେ ହଟ୍ଟଗୋଳ କରି ବିଧାନସଭାରେ ଗୃହକାର୍ୟ୍ୟ ବନ୍ଦ କରାଯାଉଛି। ସୂଚନା ଅନୁସାରେ, ଆସନ୍ତା ସପ୍ତାହରେ ବିଧାନସଭାର ମୌସୁମୀ ଅଧିବେଶନ ନେଇ ବିଜ୍ଞପ୍ତି ପ୍ରକାଶ ପାଇପାରେ। ସେପ୍ଟେମ୍ବର ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ସ୍ବଳ୍ପକାଳନୀ ପାଇଁ ମୌସୁମୀ ଅଧିବେଶନ ବସିବ। ଗତବର୍ଷ ସେପ୍ଟେମ୍ବର ୧୮ରେ ଆରମ୍ଭ ହୋଇଥିଲା ମୌସୁମୀ ଅଧିବେଶନ।
