ନବୀନ-ପାଣ୍ଡିଆନଙ୍କ ବିରୋଧରେ ମାମଲା; ରିଭିଜନ ପିଟିସନ ଖାରଜ କଲେ ଖୋର୍ଦ୍ଧା ସେସନ୍ସ କୋର୍ଟ
ଭୁବନେଶ୍ୱର, ୨।୯: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ପ୍ରଶାସକ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ସରକାରୀ ଅର୍ଥ ଅପବ୍ୟବହାର ଓ ହେରଫେର ଅଭିଯୋଗକୁ ନେଇ ଦାଏର ମାମଲାରେ ଆଇନଜୀବୀ ତଥା ସାମାଜିକ କର୍ମୀ ସୁଧୀର ଚରଣ ମହାନ୍ତିଙ୍କ ରିଭିଜନ ପିଟିସନକୁ ଖାରଜ କରିଛନ୍ତି ଖୋର୍ଦ୍ଧା ସେସନ୍ସ କୋର୍ଟ। ଏହା ସହ ଭୁବନେଶ୍ୱର ଏସ୍ଡିଜେଏମ୍ ଅଦାଲତ ମାର୍ଚ୍ଚ ୨୫, ୨୦୨୬ରେ ଦେଇଥିବା ଅଭିଯୋଗ ଖାରଜ ଆଦେଶକୁ ବଳବତ୍ତର ରଖିଛନ୍ତି ସେସନ୍ସ ଜଜ୍ ବିରଞ୍ଚି ନାରାୟଣ ମହାନ୍ତି।ସୁଧୀର ଚରଣ ମହାନ୍ତି ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ୫୦୦ କୋଟିରୁ ଅଧିକ ସରକାରୀ ଅର୍ଥର ଅପବ୍ୟବହାର ଓ ହେରଫେର ଅଭିଯୋଗ ଆଣିଥିଲେ। ଆର୍ଟିଆଇ ମାଧ୍ୟମରେ କିଛି ସାମାଜିକ କର୍ମୀ ସଂଗ୍ରହ କରିଥିବା ତଥ୍ୟରୁ ସେ ଏ ସମ୍ପର୍କରେ ଜାଣିଥିବା ଅଭିଯୋଗକାରୀ କହିଥିଲେ। ହେଲିକପ୍ଟରରେ ବିଭିନ୍ନ ଅଞ୍ଚଳକୁ ଯାତ୍ରା ଏବଂ ସାଧାରଣ ସଭା ଆୟୋଜନରେ ସରକାରୀ ଅର୍ଥର ଅପବ୍ୟବହାର ହୋଇଥିବା ମଧ୍ୟ ସେ ଅଭିଯୋଗ କରିଥିଲେ।
ଏହି ଅଭିଯୋଗକୁ ନେଇ ମହାନ୍ତି ୨୦୨୪ ଅଗଷ୍ଟ ୧୪ରେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏତଲା ଦେବାକୁ ଉଦ୍ୟମ କରିଥିଲେ। ଥାନାରେ ଏତଲା ରୁଜୁ ହୋଇନଥିବା ଅଭିଯୋଗ କରି ସେ ଅଗଷ୍ଟ ୧୯ରେ ଡିସିପି, ଭୁବନେଶ୍ୱରଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲେ। ପରେ ସେ ଭୁବନେଶ୍ୱର ଏସ୍ଡିଜେଏମ୍ ଅଦାଲତରେ ୧ ସିସି କେସ୍ ନମ୍ବର ୬୯୬୦/୨୦୨୪ ଦାଏର କରିଥିଲେ। ଏଥିରେ ଆଇପିସିର ବିଭିନ୍ନ ଧାରା ସହ ବିଏନ୍ଏସ୍ର ସମ୍ପର୍କିତ ଧାରାରେ ମାମଲା ରୁଜୁ କରିବାକୁ ସେ ଅନୁରୋଧ କରିଥିଲେ।
ତେବେ ଏସ୍ଡିଜେଏମ୍ ଅଦାଲତ ମାର୍ଚ୍ଚ ୨୫, ୨୦୨୬ରେ ଅଭିଯୋଗକୁ ଖାରଜ କରିଥିଲେ। ଏହା ବିରୋଧରେ ମହାନ୍ତି ଖୋର୍ଦ୍ଧା ସେସନ୍ସ କୋର୍ଟରେ ରିଭିଜନ ପିଟିସନ ଦାଏର କରିଥିଲେ।
ରିଭିଜନ ଶୁଣାଣି ସମୟରେ ପ୍ରତିପକ୍ଷ ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ, ବିଏନ୍ଏସ୍ଏସ୍ର ଧାରା ୧୭୩(୪) ଅନୁଯାୟୀ ଥାନାରେ ଏତଲା ରୁଜୁ ନହେଲେ ଅଭିଯୋଗକାରୀଙ୍କୁ ଏତଲାର ସାରାଂଶ ଏସ୍ପି ବା ଡିସିପିଙ୍କ ନିକଟକୁ ଡାକଯୋଗେ ପଠାଇବାକୁ ପଡ଼େ। କିନ୍ତୁ ଏହି ମାମଲାରେ ସେହି ପ୍ରକ୍ରିୟା ପାଳନ ହୋଇନଥିବା ଦର୍ଶାଯାଇଥିଲା।
ଏହି ଯୁକ୍ତି ସହ କୋର୍ଟ ମଧ୍ୟ ଏକମତ ହୋଇଛନ୍ତି। ରାୟରେ କୁହାଯାଇଛି ଯେ, ଅଗଷ୍ଟ ୧୯, ୨୦୨୪ରେ ଡିସିପିଙ୍କ ନିକଟରେ ଦିଆଯାଇଥିବା ରିପୋର୍ଟଟି ଅତ୍ୟନ୍ତ ସଂକ୍ଷିପ୍ତ ଥିଲା ଏବଂ ଅଗଷ୍ଟ ୧୪ରେ କ୍ୟାପିଟାଲ ଥାନାରେ ଦିଆଯାଇଥିବା ଏତଲାର ବିଷୟବସ୍ତୁ ଏଥିରେ ଉଲ୍ଲେଖ ହୋଇନଥିଲା। ଏହାଛଡ଼ା ରିପୋର୍ଟଟି ଡାକଯୋଗେ ପଠାଯାଇନଥିବା ଏବଂ ଡିସିପି କାର୍ଯ୍ୟାଳୟରେ ଦାଖଲ ହୋଇଥିବା ରସିଦର ପ୍ରାମାଣିକତା ମଧ୍ୟ ସ୍ପଷ୍ଟ ହୋଇନଥିବା କୋର୍ଟ ଦର୍ଶାଇଛନ୍ତି।
ମାମଲାର ଅଭିଯୋଗଗୁଡ଼ିକୁ ମଧ୍ୟ କୋର୍ଟ ବିସ୍ତୃତ ଭାବେ ଯାଞ୍ଚ କରିଛନ୍ତି। ଅଭିଯୋଗକାରୀ ଆର୍ଟିଆଇ ମାଧ୍ୟମରେ ସଂଗୃହୀତ ତଥ୍ୟ ଆଧାରରେ ସରକାରୀ ଅର୍ଥ ଅପବ୍ୟବହାର ଅଭିଯୋଗ କରିଥିଲେ। ପ୍ରାୟ ୩୦୦ଟି ହେଲିକପ୍ଟର ଯାତ୍ରା ହୋଇଥିବା ଏବଂ ସେଥିପାଇଁ ଖଣି ମାଲିକ, ଜମି ମାଫିଆ, ରିଅଲ୍ ଇଷ୍ଟେଟ୍ ମାଲିକ ଓ ଅନ୍ୟମାନେ ଖର୍ଚ୍ଚ ବହନ କରିଥିବା ଭଳି ଅଭିଯୋଗ ମଧ୍ୟ ରହିଥିଲା। କିନ୍ତୁ ଏହି ଦାବିଗୁଡ଼ିକୁ ସମର୍ଥନ କରିବା ପାଇଁ ଅଭିଯୋଗକାରୀ ଆର୍ଟିଆଇରୁ ପାଇଥିବା କୌଣସି ତଥ୍ୟ କିମ୍ବା ଦସ୍ତାବିଜ ଅଦାଲତରେ ଦାଖଲ କରିନଥିବା କୋର୍ଟ କହିଛନ୍ତି। ତେଣୁ ଅଭିଯୋଗରୁ କୌଣସି ଜ୍ଞାତବ୍ୟ ଅପରାଧ ଘଟିଥିବାର ପ୍ରାଥମିକ ପ୍ରମାଣ ମିଳୁନଥିବା ଏବଂ ଅଭିଯୋଗଗୁଡ଼ିକ ସାଧାରଣ ଓ ଅସ୍ପଷ୍ଟ ଧରଣର ଥିବା କୋର୍ଟ ମତ ଦେଇଛନ୍ତି। ଏହା ସହିତ, ବିଏନ୍ଏସ୍ଏସ୍ର ଧାରା ୩୩କୁ ନେଇ ମଧ୍ୟ କୋର୍ଟ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି। କୌଣସି ଅପରାଧ ସମ୍ପର୍କରେ ଜାଣିଥିବା ବ୍ୟକ୍ତି ପୁଲିସ କିମ୍ବା ମାଜିଷ୍ଟ୍ରେଟ୍ଙ୍କୁ ସୂଚନା ଦେଇପାରିବେ ବୋଲି ଆଇନରେ ବ୍ୟବସ୍ଥା ଥିଲେ ମଧ୍ୟ, ଧାରା ୩୩ରେ ଉଲ୍ଲେଖିତ ନିର୍ଦ୍ଦିଷ୍ଟ ଅପରାଧଗୁଡ଼ିକ ମଧ୍ୟରେ ଏହି ମାମଲାରେ ଅଭିଯୋଗ କରାଯାଇଥିବା ଧାରାଗୁଡ଼ିକ ନଥିବା କୋର୍ଟ କହିଛନ୍ତି। ସମସ୍ତ ପକ୍ଷକୁ ବିଚାର କରି କୋର୍ଟ କହିଛନ୍ତି ଯେ, ଅଭିଯୋଗକାରୀ ଅଭିଯୋଗ ସପକ୍ଷରେ ଆବଶ୍ୟକ ପ୍ରାଥମିକ ତଥ୍ୟ ଦେଇପାରିନାହାନ୍ତି, ବିଏନ୍ଏସ୍ଏସ୍ର ଧାରା ୧୭୩(୪) ଅନୁଯାୟୀ ଆବଶ୍ୟକ ବିଧିଗତ ପ୍ରକ୍ରିୟା ପାଳନ କରିନାହାନ୍ତି ଏବଂ ଧାରା ୩୩ ଅନୁଯାୟୀ ମଧ୍ୟ ଏହି ଅଭିଯୋଗ ଦାଏର କରିବାର ଆଇନଗତ ଅଧିକାର ତାଙ୍କର ନଥିଲା। ତେଣୁ ଏସ୍ଡିଜେଏମ୍ଙ୍କ ଅଭିଯୋଗ ଖାରଜ ଆଦେଶରେ କୌଣସି ବେଆଇନତା ନଥିବା ଦର୍ଶାଇ ରିଭିଜନ ପିଟିସନକୁ ଖାରଜ କରିଛନ୍ତି ସେସନ୍ସ କୋର୍ଟ।
