ଗ୍ୟାସ ସିଲିଣ୍ଡର ଚାଲାଣ ନେଇ ଯୋଗାଣ ବିଭାଗର ଆକ୍ସନ, ୨ ମିନି ଟ୍ରକ ଜବତ
ଭୁବନେଶ୍ବର: ମିନି ଟ୍ରକରେ ଚୋରାରେ ଗ୍ୟାସ ସିଲିଣ୍ଡର ଚାଲାଣ । ଯୋଗାଣ ବିଭାଗର ଚଢ଼ାଉ । ପାହାଳରେ ଗ୍ୟାସ ସିଲିଣ୍ଡର ବୋଝେଇ ଦୁଇଟି ମିନି ଟ୍ରକ ଜବତ କଲେ ଯୋଗାଣ ବିଭାଗ ଅଧିକାରୀ । ପାହାଳ ଥାନା ଅଞ୍ଚଳରୁ ଜବତ କରି ଥାନାରେ ଅଟକ ରଖାଯାଇଛି । ବିନା ଲାଇସେନ୍ସ ଓ ଡିଷ୍ଟ୍ରିବ୍ୟୁଟର ବିନା ଅନୁମତିରେ ଚାଲୁଥିଲା ସିଲିଣ୍ଡର ଚାଲାଣ । ଘରୋଇ ଗ୍ୟାସ ସିଲିଣ୍ଡର ଚାଲାଣର ଖବର ପାଇ ଚଢ଼ାଉ କରି ଜବତ କରାଯାଇଛି ।
ସୂଚନା ଅନୁଯାୟୀ, ବିନା ଆବଶ୍ୟକୀୟ ଲାଇସେନ୍ସ ଏବଂ ଅନୁମୋଦିତ ଡିଷ୍ଟ୍ରିବ୍ୟୁଟରଙ୍କ ଅନୁମତି ବିନା ଘରୋଇ ଗ୍ୟାସ ସିଲିଣ୍ଡର ପରିବହନ କରାଯାଉଥିବା ନେଇ ଯୋଗାଣ ବିଭାଗକୁ ଖବର ମିଳିଥିଲା । ଏହାପରେ ବିଭାଗୀୟ ଅଧିକାରୀମାନେ ପାହାଳ ଅଞ୍ଚଳରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଦୁଇଟି ମିନି ଟ୍ରକରେ ଘରୋଇ ଗ୍ୟାସ ସିଲିଣ୍ଡର ରହିଥିବା ଦେଖି ଅଧିକାରୀମାନେ ଗାଡ଼ି ଦୁଇଟିକୁ ଜବତ କରିଥିଲେ। ଏହି ଘଟଣାରେ କେଉଁମାନେ ସମ୍ପୃକ୍ତ ଏବଂ ଦୀର୍ଘଦିନ ଧରି ଏଭଳି ଭାବେ ଗ୍ୟାସ ସିଲିଣ୍ଡର ଚାଲାଣ ହେଉଥିଲା କି ନାହିଁ, ତାହା ଯାଞ୍ଚ ପରେ ସ୍ପଷ୍ଟ ହେବ। ଯୋଗାଣ ବିଭାଗର ତଦନ୍ତ ଆଧାରରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ।
