କିଟ୍‌ର ୨୨ତମ ବାର୍ଷିକ ସମାବର୍ତ୍ତନ ଉଦ୍‌ଯାପିତ

ଭୁବନେଶ୍ୱର, ୫ ।୧୦: ବୈଷୟିକ ଜ୍ଞାନର ବଶବର୍ତ୍ତୀ ନହୋଇ ଏହା ଉପରେ ଦକ୍ଷତା ହାସଲ କରିବା ପାଇଁ ନାଗାଲାଣ୍ଡ ରାଜ୍ୟପାଳ ନନ୍ଦ କିଶୋର ଯାଦବ କହିଛନ୍ତି । କିଟ୍ ବିଶ୍ୱବିଦ୍ୟାଳୟର ୨୨ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଯାଦବ ଛାତ୍ରଛାତ୍ରୀଙ୍କୁ ଏହି ପରାମର୍ଶ ଦେଇଛନ୍ତି । ତିନିଦିନ ଧରି ଚାଲିଥିବା କିଟ୍‍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହ ସୋମବାର ଉଦ୍‌ଯାପିତ ହୋଇଯାଇଛି । ସମାବର୍ତ୍ତନରେ ଯୋଗଦେଇଥିବା ଅତିଥିମାନେ ସ୍ନାତକ ଛାତ୍ରଛାତ୍ରୀଙ୍କୁ ଉପଲବ୍ଧ ସୁଯୋଗକୁ ଆପଣାଇବା, ନୂଆ ଚିନ୍ତାଧାରା ଓ ସର୍ଜନାକୁ ପ୍ରୋତ୍ସାହିତ କରିବା ସହ ସମାଜ ପ୍ରତି ନିଜର ଦାୟିତ୍ୱବୋଧକୁ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଛନ୍ତି । ଏହି ସମାବର୍ତ୍ତନରେ ୧୦ ହଜାରରୁ ଅଧିକ ସ୍ନାତକ, ସ୍ନାତକୋତ୍ତର, ପିଏଚ୍‍ଡି ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି ।
ସମାବର୍ତ୍ତନ ଉତ୍ସବର ପ୍ରଥମ ଦିବସରେ ଯୋଗଦେଇ ଶ୍ରୀ ଯାଦବ କିଟ୍‌ର ଯାତ୍ରାକୁ ‘ଦୃଷ୍ଟିକୋଣ, ଅଧ୍ୟବସାୟ ଓ ଦୃଢ଼ ସଂକଳ୍ପର ଏକ ଶିକ୍ଷା’ ଭାବେ ବର୍ଣ୍ଣନା କରିଥିଲେ । ଉଚ୍ଚଶିକ୍ଷା ଓ ଜାତୀୟ ବିକାଶ କ୍ଷେତ୍ରରେ କିଟ୍‌ର ଅବଦାନ ପାଇଁ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‌ର ନେତୃତ୍ୱ, ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ପ୍ରଶଂସା କରିଥିଲେ । ସେହିପରି ନିତି ଆୟୋଗ ଉପାଧ୍ୟକ୍ଷ ଡ. ଅଶୋକ କୁମାର ଲାହିରୀ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି କହିଲେ, ଭାରତର ଭବିଷ୍ୟତ ବୈଷୟିକ ଜ୍ଞାନ ଓ ଆଧୁନିକୀକରଣ ଦ୍ୱାରା ଗଢ଼ିଉଠିବ । ତେବେ ବୈଷୟିକ ପ୍ରଗତି ସହ ଦେଶର ପରମ୍ପରା ଓ ମୂଲ୍ୟବୋଧକୁ ମଧ୍ୟ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ । ଏହି ସମାବର୍ତ୍ତନ ଉତ୍ସବରେ ଆମେରିକାର ପ୍ରତିନିଧି ସଭାର ସଦସ୍ୟ କଂଗ୍ରେସମ୍ୟାନ୍ ମାଇକେଲ୍ ବାଉମଗାର୍ଟନର ଯୋଗଦେଇ ଖୁସି ବ୍ୟକ୍ତ କରିବା ସହ ବିଶ୍ୱରେ ଶାନ୍ତି ଓ ସ୍ଥିରତା ସୁଦୃଢ଼ କରିବାରେ ଶିକ୍ଷାନୁଷ୍ଠାନଗୁଡ଼ିକର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।
ସମାବର୍ତ୍ତନର ବିଭିନ୍ନ ଦିନରେ ଆମେରିକାର ମୋଣ୍ଟାନା ଷ୍ଟେଟ୍ ୟୁନିଭର୍ସିଟିର ସଭାପତି ଡ. ବ୍ରକ୍ ଟେସମାନ୍‌, ମୋତିଲାଲ୍ ଓସ୍ୱାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍‌ର ସହ-ପ୍ରତିଷ୍ଠାତା, ଗ୍ରୁପ୍ ମ୍ୟାନେଜିଂ ଡାଇରେକ୍ଟର ଓ ସିଇଓ ମୋତିଲାଲ୍ ଓସ୍ୱାଲ୍‌, ଟେକ୍ନୋ ଇଣ୍ଡିଆ ଗ୍ରୁପ୍ ଓ ଟେକ୍ନୋ ଇଣ୍ଡିଆ ୟୁନିଭର୍ସିଟି, କୋଲକାତାର ଅଧ୍ୟକ୍ଷ ଓ କୁଳାଧିପତି ଡ. ଗୌତମ ରାୟ ଚୌଧୁରୀ ଏବଂ ଏବିପି ନ୍ୟୁଜ୍‌ର ବରିଷ୍ଠ ସାମ୍ବାଦିକା ଚିତ୍ରା ତ୍ରିପାଠୀ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ବିଭିନ୍ନ ଦେଶରୁ ଆସିଥିବା ପ୍ରତିନିଧିମାନେ ମଧ୍ୟ ସମାବର୍ତ୍ତନରେ ଯୋଗଦେଇଥିଲେ ।
ସେହିପରି ନୀତି ଆୟୋଗର ସଦସ୍ୟ ପ୍ରଫେସର ଗୋବର୍ଦ୍ଧନ ଦାସ, ହୋମି ଭାବା ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ର ଡିନ୍ ତଥା ବରିଷ୍ଠ ପ୍ରଫେସର ଅବେଶ କୁମାର ତ୍ୟାଗୀ, ଆର୍‍ପି-ସଞ୍ଜୀବ ଗୋଏଙ୍କା ଗ୍ରୁପ୍‌ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଡ. ସଞ୍ଜୀବ ଗୋଏଙ୍କା, ଏସ୍‌ଆରଏମ୍ ଗ୍ରୁପ୍‌ର ଅଧ୍ୟକ୍ଷ ତଥା ଏସ୍‌ଆରଏମ୍ ୟୁନିଭର୍ସିଟି ଦିଲ୍ଲୀ-ଏନ୍‌ସିଆର କୁଳାଧିପତି ଡ. ରବି ପଚମୁଥୁ, ରୋମାନିଆର ୟୁନିଭର୍ସିଟି ଅଫ୍ କ୍ରାଏଭୋଆର ରେକ୍ଟର ପ୍ରଫେସର ସେଜାର ଇଓନୁତ୍ ସ୍ପିନୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ନାତକମାନଙ୍କୁ ସମ୍ବୋଧିତ କରିଥିଲେ ।
ତିନିଦିନ ଧରି ଚାଲିଥିବା ଏହି ସମାବର୍ତ୍ତନ ଉତ୍ସବରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉପସ୍ଥିତ ଥିଲେ । କିଟ୍ ବିଶ୍ୱବିଦ୍ୟାଳୟ କୁଳାଧିପତି ଅଶୋକ କୁମାର ପରିଜାଙ୍କ ଅଧ୍ୟକ୍ଷତାରେ ସମାବର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଉପକୁଳପତି ପ୍ରଫେସର ଶରଣଜିତ ସିଂହ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତିଙ୍କ ସମେତ ବିଶ୍ୱବିଦ୍ୟାଳୟର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣପଦକ, କୁଳାଧିପତି ସ୍ୱର୍ଣ୍ଣପଦକ, ପି.କେ. ବଳ ମେମୋରିଆଲ୍ ସ୍ୱର୍ଣ୍ଣପଦକ, ପପିପିଏଲ୍ ସ୍ୱର୍ଣ୍ଣପଦକ, ନନୀବାଳା ମେମୋରିଆଲ୍ ସ୍ୱର୍ଣ୍ଣପଦକ, ଶ୍ରୀକୃଷ୍ଣ ଚନ୍ଦ୍ର ପଣ୍ଡା ମେମୋରିଆଲ୍ ସ୍ୱର୍ଣ୍ଣପଦକ, ଡ. ୱାଟି ପରମଗୁରୁ ମେମୋରିଆଲ୍ ସ୍ୱର୍ଣ୍ଣପଦକ, କୁଳପତି ରୌପ୍ୟ ପଦକ, ଡ. ନୀତିଶ କାନ୍ତ ରୌପ୍ୟ ପଦକ ଏବଂ ଶ୍ରୀମତୀ ମଞ୍ଜୁ ରଥ ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *