ଏମ୍ବିବିଏସ୍ ଶିକ୍ଷାରେ ଯୋଗାଯୋଗ ଦକ୍ଷତା ପ୍ରଶିକ୍ଷଣ ଓ ଦକ୍ଷତା ମାପିବା ମଧ୍ୟରେ ବଡ଼ ଫାଙ୍କ
ଭୁବନେଶ୍ୱର, ଅକ୍ଟୋବର ୫: ଦେଶରେ ସ୍ନାତକ ଡାକ୍ତରୀ ଶିକ୍ଷାରେ ରୋଗୀଙ୍କ ସହ ଯୋଗାଯୋଗ ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ ଦିଆଯାଉଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ଏହି ଦକ୍ଷତାର ଦୀଘର୍କାଳୀନ ମୂଲ୍ୟାଙ୍କନ ଓ ରେକର୍ଡ ରଖିବାରେ ଏକ ବଡ଼ ଫାଙ୍କ ରହିଥିବା ଏକ ଜାତୀୟ ପରାମର୍ଶରୁ ଜଣାପଡ଼ିଛି। କ୍ଲିନିକାଲ୍ କମ୍ୟୁନିକେସନ୍ ଶିକ୍ଷା ଉପରେ ଆୟୋଜିତ ଏହି ଜାତୀୟ ପରାମର୍ଶରେ ଦେଶର ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୧୪୭ଟି ମେଡିକାଲ୍ ଅନୁଷ୍ଠାନରୁ ୧୫୨ଟି ମତାମତ ମିଳିଥିଲା। ଏଥିରେ ୭୬ ପ୍ରତିଶତ ଅଂଶ ଗ୍ରହଣକାରୀ ଏମ୍ବିବିଏସର ଅଧିକାଂଶ କିମ୍ବା ସମସ୍ତ ପର୍ଯ୍ୟାୟରେ ଗଠନମୂଳକ ଯୋଗାଯୋଗ ପ୍ରଶିକ୍ଷଣ ଦିଆଯାଉଥିବାବେଳେ ମାତ୍ର ୪ ପ୍ରତିଶତ ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ମତାମତ, ଦକ୍ଷତାର ବିକାଶ ଓ ପରବର୍ତୀ ପ୍ରଗତି ନିର୍ଦ୍ଦେଶ ପାଇଁ ଏକୀକୃତ ଦୀର୍ଘକାଳୀନ ରେକର୍ଡ ବ୍ୟବହାର କରାଯାଉଥିବା ଜଣାପଡ଼ିଛି । ନିକଟରେ ନୂଆଦିଲ୍ଲୀରେ ଆୟୋଜିତ ନ୍ୟାସନାଲ୍ ଆଡଭାଇଜରି ସେସନ୍ ଅନ୍ କ୍ଲିନିକାଲ୍ କମ୍ୟୁନିକେସନ୍ରେ ଏହି ତଥ୍ୟ ଉପରେ ଆଲୋଚନା ହୋଇଥିଲା । ଏହି ଅବସରରେ କ୍ଲିନିକାଲ୍ କମ୍ୟୁନିକେସନ୍ ସଂର୍ପକିତ ସ୍ପେଶାଲ୍ ଇଂଟରେଷ୍ଟ ଗ୍ରୁପ୍ (ଏସ୍ଆଇଜି) ପକ୍ଷରୁ ଏକ ଜାତୀୟ ବ୍ଲୁପ୍ରିଂଟ ମଧ୍ୟ ପ୍ରକାଶ କରାଯାଇଥିଲା । ଏହି ପରାମର୍ଶର ଉଦ୍ଦେଶ୍ୟ ଥିଲା ସ୍ନାତକ ଡାକ୍ତରୀ ଶିକ୍ଷାରେ ଯୋଗାଯୋଗ ଦକ୍ଷତା କିପରି ପଢ଼ାଯାଉଛି, ଅଭ୍ୟାସ କରାଯାଉଛି, ମୂଲ୍ୟାଙ୍କନ ହେଉଛି ଏବଂ ତାହାର ରେକର୍ଡ ରଖାଯାଉଛି, ସେ ସଂର୍ପକରେ ଧାରଣା ହାସଲ କରିବା । ଏଥି ସହ ବିଭିନ୍ନ ମେଡିକାଲ୍ ଅନୁଷ୍ଠାନରେ ଏହାକୁ କାର୍ଯ୍ୟକାରୀ କରିବା ସମୟରେ ସାମ୍ନା କରାଯାଉଥିବା ବ୍ୟବହାରିକ ସମସ୍ୟାଗୁଡ଼ିକୁ ମଧ୍ୟ ଚିହ୍ନଟ କରିବା ଉଦ୍ଦେଶ୍ୟ ଥିଲା । ଏସ୍ଆଇଜି ଅନ୍ କ୍ଲିନିକାଲ କମ୍ୟୁନିକେସନ୍ ପକ୍ଷରୁ ଇଣ୍ଡିଆନ୍ କଲେଜ ଅଫ୍ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ ଇନ୍ ମେଡିସିନ୍ (ଆଇସିଏଆଇଏମ୍) ଓ ଡକ୍ଟର୍ସି ଏଆଇର ସହଯୋଗରେ ଏହି ପରାମର୍ଶ ଆୟୋଜିତ ହୋଇଥିଲା। ସିଗ୍ମାମୋଜାକ୍ ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ ଏଥିରେ ନଲେଜ୍ ଆଣ୍ଡ ଇଂପ୍ଲିମେଂଟେସନ୍ ପାର୍ଟନର ଭାବେ ସହଯୋଗ କରିଥିଲା ।
ଏହି ଜାତୀୟ ପଦକ୍ଷେପ ପାଇଁ ତଥ୍ୟ ଓ ଅଭିଜ୍ଞତା ଯୋଗାଇବାରେ ଓଡ଼ିଶାର ମଧ୍ୟ ସିଧାସଳଖ ଅବଦାନ ରହିଛି । ଭୁବନେଶ୍ୱରସ୍ଥିତ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏହି ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ।
ପ୍ରଫେସର (ଡାକ୍ତର) ଇ. ଭେଙ୍କଟ ରାଓଙ୍କ ନେତୃତ୍ୱରେ ଆଇଏମ୍ଏସ୍ ଓ ସମ୍ ହସ୍ପିଟାଲ୍ରେ ସ୍ନାତକ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲିନିକାଲ୍ କମ୍ୟୁନିକେସନ୍ର ଏକ ପାଇଲଟ୍ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରୁ ନିର୍ଦ୍ଦିଷ୍ଟ ଢାଂଚାରେ, ପ୍ରଯୁକ୍ତିର ସହାୟତାରେ ଯୋଗାଯୋଗ ଦକ୍ଷତାର ଅଭ୍ୟାସ ଏବଂ ଶିକ୍ଷକମାନଙ୍କ ଦ୍ୱାରା ତାହାର ସମୀକ୍ଷା କରିବା ସମ୍ଭବ ବୋଲି ପ୍ରାରମ୍ଭିକ ତଥ୍ୟ ମିଳିଥିଲା । ଏହି ଅଭିଜ୍ଞତା ପରବର୍ତୀ ସମୟରେ ଏସ୍ଆଇଜିର ବ୍ୟାପକ କାର୍ଯ୍ୟକ୍ରମ ଓ ଜାତୀୟ ରୂପରେଖ ପ୍ରସ୍ତୁତିରେ ସହାୟକ ହୋଇଥିଲା । ପରାମର୍ଶରେ ଆଲୋଚିତ ତଥ୍ୟରୁ ଜଣାପଡ଼ିଛି ଯେ ଏମ୍ବିବିଏସ୍ ଶିକ୍ଷାରେ ଯୋଗାଯୋଗ ଦକ୍ଷତା ପ୍ରଶିକ୍ଷଣ ଆଉ ଅନୁପସ୍ଥିତ ନୁହେଁ । ଅନେକ ଅନୁଷ୍ଠାନରେ ଏମ୍ବିବିଏସ୍ ଶିକ୍ଷା କାର୍ଯ୍ୟକ୍ରମର ବିଭିନ୍ନ ପର୍ଯ୍ୟାୟରେ ଏହା ପ୍ରଦାନ କରାଯାଉଛି । ତେବେ ଏହି ଦକ୍ଷତାକୁ ବିଭିନ୍ନ ସମୟରେ ଅଲଗା ଅଲଗା ଭାବେ ଶିକ୍ଷା ଓ ମୂଲ୍ୟାଙ୍କନ କରିବା ପରିବର୍ତେ ଦୀର୍ଘକାଳୀନ ଭାବେ ଏହାର ବିକାଶକୁ ଟ୍ରାକ୍ କରିବା ଓ ସମନ୍ୱିତ ମୂଲ୍ୟାଙ୍କନ କରିବା ଏବେ ଏକ ପ୍ରମୁଖ ଆହ୍ୱାନ ବୋଲି ତଥ୍ୟରୁ ସ୍ପଷ୍ଟ ହୋଇଛି । ଏହି ପରିପ୍ରେକ୍ଷୀରେ, ଆଇଏମ୍ଏସ୍ ଓ ସମ୍ ହସ୍ପିଟାଲ୍ ଗତ ଜୁନ୍ ମାସରେ ସିଗ୍ମାମୋଜାକ୍ ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ୍ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା । ସ୍ୱାସ୍ଥ୍ୟସେବା ଗବେଷଣା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ବହୁମୁଖୀ ଅନୁଷ୍ଠାନିକ ସହଯୋଗର ଏକ ବ୍ୟାପକ ଢାଂଚା ପ୍ରତିଷ୍ଠା କରିବା ଏହି ଏମ୍ଓୟୁର ମୁଖ୍ୟ ଉଦ୍ଦେଶ୍ୟ । ଏହି ସହଯୋଗରେ ସ୍ୱାସ୍ଥ୍ୟ ସେବା ଗବେଷଣା, ଡିଜିଟାଲ୍ ହେଲ୍ଥ ମେଡିକାଲ୍ ଏଜୁକେସନ୍, କମ୍ୟୁନିକେସନ୍ ସାଇନ୍ସ, ଏଆଇ ଆଧାରିତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଏବଂ ଜନସ୍ୱାସ୍ଥ୍ୟ ନବସୃଜନ ଭଳି ବିଭିନ୍ନ କ୍ଷେତ୍ରକୁ ସାମିଲ କରାଯାଇଛି ।
