ଅତ୍ୟଧିକ ମିଠା ଜିନିଷ ଖାଇବାରେ ଲଗାନ୍ତୁ ବ୍ରେକ୍ ! ନଚେତ୍ ହୋଇପାରେ ଏହି ଗମ୍ଭୀର ସମସ୍ୟା
ସ୍ବାସ୍ଥ୍ୟ ହିଁ ସମ୍ପଦ । ତେଣୁ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ବାରା ଆମେ ସୁସ୍ଥ ଜୀବନ ଅତିବାହିତ କରିଥାଉ । ଆମେ ଭାବୁଥାଉ ଅଧିକ ମିଠା ଖାଇଲେ କେବଳ ଓଜନ ବଢ଼େ । କିନ୍ତୁ ଅଧିକ ଚିନି ଖାଇବା ଆପଣଙ୍କ ଲିଭର ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ ।
ମିଠା ଖାଇବାକୁ ସମସ୍ତେ ଖୁବ୍ ଭଲପାଇଥାଆନ୍ତି । ପ୍ରତି ଓଡ଼ିଆ ଘରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଇଥାଏ । ଆଉ ପର୍ବପର୍ବାଣୀ ମାନେ ହିଁ ମିଠା ସୁନିଶ୍ଚିତ । ମିଠା ଓ ସ୍ବାଦିଷ୍ଟ ଖାଦ୍ୟରୁ ପ୍ରତି ମୁହୂର୍ତ୍ତର ଆରମ୍ଭ ହୋଇଥାଏ । ମୁହଁ ମିଠା କରି ସମସ୍ତେ ନିଜର ଶୁଭ ସମୟ ଉପଭୋଗ କରିଥାଆନ୍ତି । ମିଠାକୁ ନେଇ ମଧ୍ୟ ପୌରାଣିକ କାହାଣୀ ରହିଛି । ତେଣୁ ପ୍ରତି ଓଡ଼ିଆ ଖୁସି ଓ ପର୍ବପର୍ବାଣୀରେ ମିଠା ଜିନିଷ ହିଁ ଖାଇଥାଆନ୍ତି । ମିଠା ଖାଇବା ଦ୍ବାରା ଓଜନ ବୃଦ୍ଧି, ଇନସୁଲିନ୍ ପ୍ରତିରୋଧ ଏବଂ ଲିଭରରେ ଚର୍ବି ଜମା ହେବା ଭଳି ସମସ୍ୟା ହୋଇପାରେ ।
ଅତ୍ୟଧିକ ଚିନି, ବିଶେଷକରି ଫ୍ରୁକ୍ଟୋଜ୍ ଯୁକ୍ତ ଚିନି, ଲିଭରରେ ସିଧାସଳଖ ମେଟାବୋଲିଜାଇଜ୍ ହୁଏ । ଯେତେବେଳେ ଶରୀର ଆବଶ୍ୟକତାଠାରୁ ଅଧିକ ଚିନି ଖାଇଥାଉ ସେତେବେଳେ ଲିଭରରେ ଚର୍ବି ଧୀରେ ଧୀରେ ଜମା ହେବାରେ ଲାଗେ । ଏହି ଅବସ୍ଥାକୁ ନନ୍-ଆଲକୋହଲିକ୍ ଫ୍ୟାଟି ଲିଭର ଡିଜିଜ୍ (NAFLD) କୁହାଯାଏ । ପ୍ରଥମେ ଏହି ରୋଗର ଲକ୍ଷଣ ଦେଖାଦେଇନଥାଏ । କିନ୍ତୁ ପରବର୍ତ୍ତୀ ସମୟରେ ଏହା ଲିଭର ଉପରେ କୁପ୍ରଭାବ ପକାଇଥାଏ । ଯାହା ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ । ଅଧିକ ସମୟ ପର୍ଯ୍ୟନ୍ତ ଲିଭରରେ ଚର୍ବି ଜମା ହୋଇ ରହିବା ଦ୍ବାରା ପେଟ ଫୁଲିବା ଆରମ୍ଭ ହୋଇଥାଏ । ଯାହାକୁ ନନ୍-ଅଲ୍କୋହୋଲିକ୍ ଷ୍ଟିଟୋହେପେଟାଇଟିସ୍ କୁହାଯାଇଥାଏ । ଯଦି ଠିକ୍ ସମୟରେ ଏହାର ଉପଚାର ନକରାଯାଏ ତେବେ ଏହା ପରବର୍ତ୍ତୀ ମୁହୂର୍ତ୍ତରେ ଫାଇବ୍ରୋସିସ୍ ଲିଭର ସିରୋସିସ୍ ଭଳି ସମସ୍ୟା ଦେଖାଦେଇପାରେ ।
ଏଥିସହିତ ଅତ୍ୟଧିକ ମିଠା ଖାଇବା ଦ୍ବାରା ରକ୍ତ ଶର୍କରା ସ୍ତରକୁ ବୃଦ୍ଧି କରିଥାଏ । ଏହାକୁ ନିୟନ୍ତ୍ରଣ କରିବା ପାଇଁ, ଶରୀର ଅଧିକ ଇନସୁଲିନ୍ ଉତ୍ପାଦନ କରେ। କିନ୍ତୁ, ଯେତେବେଳେ ଏହି ଅବସ୍ଥା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ, କୋଷଗୁଡ଼ିକ ଇନସୁଲିନ୍ ପ୍ରତି କମ୍ ସମ୍ବେଦନଶୀଳ ହୋଇଯାଆନ୍ତି, ଯାହାକୁ ଇନସୁଲିନ୍ ପ୍ରତିରୋଧ କୁହାଯାଏ । ଯାହା ଟାଇପ୍ ୨ ମଧୁମେହ ସମସ୍ୟା ସୃଷ୍ଟି କରିପାରେ । ତେବେ ଆସନ୍ତୁ ଅତ୍ୟଧିକ ମିଠା ଖାଇବାକୁ କିପରି ରୋକିବା ସେସମ୍ପର୍କରେ ଜାଣିବା ।
ମିଠା ଜିନିଷ ବଦଳରେ ସାଧା ପାଣି, ବଟର ମିଲ୍କ ଏବଂ ଗ୍ରୀନ୍ ଟି ପିଅନ୍ତୁ । ପ୍ରତିଦିନ ୩୦ରୁ ୪୦ ମିନିଟ୍ ବ୍ୟାୟାମ କରନ୍ତୁ ଏବଂ ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ । ଲିଭରକୁ ସୁସ୍ଥ ରଖିବା ପାଇଁ ଡାଏଟରେ ଫାଇବରଯୁକ୍ତ ଖାଦ୍ୟକୁ ସାମିଲ କରନ୍ତୁ। ଲିଭର ସମ୍ବନ୍ଧୀୟ ଡାକ୍ତରୀ ପରୀକ୍ଷା କରନ୍ତୁ । ଜେନେଟିକ୍ ଅସୁବିଧା ଥିବା ପରିବାର ଲୋକେ ଅଧିକ ସତର୍କତା ଅବଲମ୍ବନ କରନ୍ତୁ ।
ଅତ୍ୟଧିକ ମିଠା ଖାଦ୍ ଖାଇବା ଦ୍ବାରା ସ୍ବାଦକୁ ବଢାଇଦେଇଥାଏ ସତ ହେଲେ ଲକ୍କାୟିତ ବିପଦ ସୃଷ୍ଟି କରିଥାଏ । ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ ଏବଂ ସଚେତନତା ଫ୍ୟାଟି ଲିଭର, ଇନସୁଲିନ୍ ପ୍ରତିରୋଧ ଏବଂ ଗମ୍ଭୀର ଯକୃତ ରୋଗକୁ ରୋକିବାରେ ସାହାଯ୍ୟ କରିପାରେ ।
