ପଞ୍ଚଭୂତରେ ବିଲୀନ ହେଲେ ବିଜେଡି ନେତା ସୁବାସ ଚୌହ୍ୱାନ

ପଞ୍ଚଭୂତରେ ଲୀନ ହେଲା ବିଜେଡି ନେତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହ୍ୱାନଙ୍କ ପାର୍ଥିବ ଶରୀର। ଶୋକାକୂଳ ପରିବେଶରେ ଆଜି ତାଙ୍କ ପୈତୃକ ଗାଁ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍ ଆମ୍ବ ବାହାଲ ଶ୍ମସାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଆଜି ସକାଳେ ତାଙ୍କ ମରଶରୀରକୁ ଭୁବନେଶ୍ୱରରୁ ସମ୍ବଲପୁର, ବରଗଡ଼ ଓ ପଦ୍ମପୁର ଦେଇ ତାଙ୍କ ଗାଁକୁ ନିଆଯାଇଥିଲା । ଏହି ଅବସରରେ ପଦ୍ମପୁର ବିଜେଡି କାର୍ଯ୍ୟାଳୟରେ ତାଙ୍କୁ କିଛି ସମୟ ପାଇଁ ଶେଷ ଦର୍ଶନ କରିଥିଲେ ସମର୍ଥକ ଓ ଶୁଭେଚ୍ଛୁ । ମରଶରୀର ଗାଁରେ ପହଞ୍ଚିବା ପରେ ସେଠାରୁ ଏକ ଶୋଭାଯାତ୍ରା ଗାଁ ଶ୍ମସାନକୁ ନିଆଯାଇଥିଲା । ସୁବାସଙ୍କ ଅନ୍ତିମ ଶୋଭାଯାତ୍ରାରେ ବରଗଡ଼ ସାଂସଦ ସୁରେଶ ପୁଜାରୀ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ପଦ୍ମପୁର ବିଧାୟକ, ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ସହ ଦଳମତ ନିର୍ବିଶେଷରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ଲିଭର କ୍ୟାନସରରେ ପୀଡ଼ିତ ଥିବାସୁବାସ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଆଜି ଭୋରରୁ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। ଛାତ୍ର ଜୀବନରୁ ଆରଏସଏସ ଓ ବିଶ୍ୱ ହିନ୍ଦୁ ପରିଷଦ ସହ ସଂପୃକ୍ତ ଥିବା ସୁବାସ ପରବର୍ତ୍ତୀ ସମୟରେ ସକ୍ରିୟ ରାଜନୀତିକୁ ଆସିଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ବରଗଡ଼ ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହୋଇଥିଲେ। ୨୦୧୯ରେ ମଧ୍ୟ ବରଗଡ଼ ଆସନରୁ ପ୍ରାର୍ଥୀ ହେବାକୁ ସେ ଆଶାୟୀ ଥାଇ ଟିକେଟ ନମିଳିବାରୁ ଶେଷ ମୁହୂର୍ତ୍ତରେ ବିଜେଡିରେ ଯୋଗ ଦେଇଥିଲେ।ପରେ ବିଜେଡିର ସାଧାରଣ ସଂପାଦକ ପଦ ସହ ୨୦୧୯ ସେପ୍ଟେମ୍ବରରେ ପଶ୍ଚିମ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ । ସୁବାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ବିଭିନ୍ନ ଦଳର ନେତୃବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେହିଭଳି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ମଧ୍ୟ ସୁବାସଙ୍କ ପାଇଁ ଶୋକ ବାର୍ତ୍ତା ରଖିଛନ୍ତି।

Spread the love