୫୫ ଯୋଡା ବରକନ୍ୟାଙ୍କର ବିବାହ

ଅନୁଗୁଳ,( ବିକାଶ ଚନ୍ଦ୍ର ସାହୁ ) :  ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ଉତ୍କଳ ପ୍ରାଦେଶିକ ମାରୁୱାଡି ସମ୍ମିଳନୀ ଅନୁଗୁଳ ଶାଖା ଆନୁକୁଲ୍ୟରେ ଆୟୋଜିତ ୫୫ ଯୋଡା ବରକନ୍ୟାଙ୍କର  ସାମୁହିକ ବିବାହ ଅନୁଗୁଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଲୋକ କଲ୍ୟାଣକାରୀ କାର୍ଯ୍ୟ ଓ ସମାଜର ସେବାରେ ଖ୍ୟାତି ଅର୍ଜନ କରିଥିବା ମାରୁୱାଡି ସମ୍ମିଳନୀ ସାମାଜିକ ଦାୟିତ୍ୱବୋଧର ଏହି ଅଭିନବ କାର୍ଯ୍ୟକ୍ରମ ଦ୍ୱାରା ସମାଜର ଆର୍ଥିକ ଅନଗ୍ରସର ବର୍ଗକୁ ସମ୍ମାନର ସହିତ ଦାମ୍ପତ୍ୟ ଜୀବନ ଆରମ୍ଭ କରିବା ପାଇଁ ସୁଯୋଗ ସୃଷ୍ଟି କରି ସଂଗଠନର ସାମାଜିକ ଅଙ୍ଗିକାର ବଦ୍ଧତାକୁ ପ୍ରତିପାଦିତ କରିଛି ।
ନୂଆପଡାର ପୂର୍ବତନ ବିଧାୟକ ତଥା ସମାଜସେବୀ ରାଜେନ୍ଦ୍ର ପ୍ରସାଦ ଢୋ଼ଲକିଆଙ୍କ ଦ୍ୱାରା ବିଗତ କିଛି ବର୍ଷ ପରି ଖରିଆର ରୋଡ ଠାରେ ଅନୁଷ୍ଠିତ ହେଉଥିବା ଆଦର୍ଶ ସାମୁହିକ ବିବାହର ସୁଦୂର ପ୍ରସାରୀ ପ୍ରଭାବରେ ପ୍ରଭାବିତ ଅନୁଗୁଳର ବଦାନ୍ୟ ମାରୁୱାଡି ସମାଜ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ସାମାଜିକ ସାଂସ୍କୃତିକ ତଥା ଧାର୍ମିକ ସଂସ୍ଥା ମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ ସମାହିତ କରିପାରିଛି ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠିତ ସଭାରେ ଉକ୍ରଳ ପ୍ରାଦେଶିକ ମାରୁୱାଡି ସମ୍ମିଳନୀ ଅନୁଗୁଳ ଶାଖାର ସଭାପତି ଲଡୁକେଶ୍ୱର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଓ ମହାବୀର ପ୍ରସାଦ ଅଗ୍ରୱାଲଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବରେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଓ ସମ୍ମାନୀତ ଅତିଥି ଭାବେ ରାଜେନ୍ଦ୍ର ପ୍ରସାଦ ଢ଼ୋଲକିଆ,ଅଶୋକ ଜୀ ବାଲାନ,ଗୌରୀ ଶଙ୍କର ଅଗ୍ରୱାଲ ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଅନୁଗୁଳ ଇତିହାସରେ ଏକ ଅବିସ୍ମରଣୀୟ ଘଟଣା ବୋଲି ବର୍ଣ୍ଣନା କରିଥିଲେ ।
କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ସହଯୋଗୀ ସଂଗଠନ ଓ ବ୍ୟକ୍ତ ବିଶେଷକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶାନ୍ତିକୁଞ୍ଜ ହରିଦ୍ୱାର ଗାୟତ୍ରୀ ପରିବାରର ବେଦଜ୍ଞ ପଣ୍ଡିତ ମାନଙ୍କ ଦ୍ୱାରା ସମ୍ପୁର୍ଣ୍ଣ ହିନ୍ଦୁ ବୈଦିକ ରୀତିରେ ଏକ ଭାବପୂର୍ଣ୍ଣ ପରିବେଶରେ ମୋଟ ୧୪ ଗୋଟି ମଣ୍ଡପରେ ଏହି ଆଦର୍ଶ ବିବାହ ସମ୍ପନ୍ନ ହୋଇଯାଇଥିଲା । ଉଭୟ ପକ୍ଷର ସ୍ୱୀକୃତି କ୍ରମେ ପୂର୍ବରୁ ଆଇନଗତ ଭାବେ ପଞ୍ଜିକରଣ କରାଯାଇଥିବା ବିବାହ ଯୋଗ୍ୟ ପୁଅ-ଝିଅକୁ ଆଜି ଆୟୋଜକ ସଂସ୍ଥା ପକ୍ଷରୁ ସାମାଜିକ ସ୍ୱୀକୃତି ପ୍ରଦାନ 
କରାଯାଇ ସୁଖୀ ଦାମ୍ପତ୍ୟ ଜୀବନର କାମନା କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ପ୍ରିତିଭୋଜନରେ ବର ଓ କନ୍ୟା ପକ୍ଷରୁ ପ୍ରାୟ ତିନି ହଜାର ଅତିଥିଙ୍କୁ ଅପ୍ୟାୟିତ କରାଯାଇଥିଲା । ଉଲ୍ଲେଖନୀୟ ଏହି କି ଯେ,ବିବାହର ସମସ୍ତ ବ୍ୟୟ ଆୟୋଜକ ମଣ୍ଡଳୀ ବହନ କରିବା ସହିତ ନବ ଦମ୍ପତ୍ତିକୁ ବିଭିନ୍ନ ଘର କରଣା ସାମଗ୍ରୀ ଓ ଉପହାର ମଧ୍ୟ ପ୍ରଦାନ କରାଯାଇଥିଲା ।
ବିବାହ ସମ୍ପନ୍ନ ପରେ ସମସ୍ତ ବର-କନ୍ୟା ସେମାନଙ୍କ ପରିଜନ ଓ ଆୟୋଜକ ମଣ୍ଡଳୀ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ସରସ୍ୱତୀ ଶିଶୁ ମନ୍ଦିର ଠାରୁ ସତ୍ୟନାରାୟଣ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ଉପସ୍ଥିତ ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ପଣ୍ଡିତ ମଣ୍ଡଳୀର ଆଶୀର୍ବାଦ ଓ ଶୁଭକାମନା ସହିତ ନବ-ଦମ୍ପତ୍ତି ମାନେ ପ୍ରସ୍ଥାନ କରିଥିଲେ ।
Spread the love