ବିଭିନ୍ନ ଉନ୍ନୟନ ଯୋଜନାର କାର୍ଯ୍ୟକାରିତାକୁ ପ୍ରାଥମିକତା ଦିଆଯିବ – ଜିଲ୍ଲାପାଳ

ଅନୁଗୁଳ,ବିକାଶ ଚନ୍ଦ୍ର ସାହୁ : ୧୯୮୮ ବ୍ୟାଚର ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ମନୋଜ କୁମାର ମହାନ୍ତି ଆଜି ପୂର୍ବତନ ଜିଲ୍ଲାପାଳ ଅନିଲ କୁମାର ସାମଲଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆସନ୍ତା ସାଧାରଣ ନିର୍ବାଚନ କାର୍ଯ୍ୟକୁ ପ୍ରାଥମିକତା ଦିଆଯିବା ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଅଗ୍ରାଧିକାର ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।
ଗଣମାଧ୍ୟମର ପ୍ରତିନିଧି ମାନଙ୍କ ସହ ଆଲୋଚନା ବେଳେ ସେ ପ୍ରଶାସନ ଓ ଗଣମାଧ୍ୟମ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରହିଲେ ଜିଲ୍ଲାରେ ଉନ୍ନତି ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ ।
ପୂର୍ବତନ ଜିଲ୍ଲାପାଳଙ୍କ ସହ ଆଲୋଚନାରୁ ଯାହା ଜାଣିଲି ଯେ ଜିଲ୍ଲାରେ କିଛି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଯାହାକୁ ମୁଁ ଅଗ୍ରାଧିକାର ଭିତ୍ତିରେ ସମ୍ପୁର୍ଣ୍ଣ କରିବି ବୋଲି ସେ ପ୍ରକାଶ କରିଥିଲେ ।
ନିଜ ଜିଲ୍ଲା ବାଲେଶ୍ୱର ହୋଇଥିବା ବେଳେ ସେ ଏହା ପୂର୍ବରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ସଚିବ , ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ , ବ୍ରହ୍ମପୁର ପୌରନିଗମର କମିଶନର , ଓଡିଶା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ସମବାୟ ନିଗମର ସାଧାରଣ ପରିଚାଳକ ଓ ନିଳଗିରି ଉପଜିଲ୍ଲାପାଳ ଭାବେ ସଫଳତାର ସହ ନିଜର ଦାୟିତ୍ୱ ନିର୍ବାହ କରିଛନ୍ତି । ନୂତନ ଜିଲ୍ଲାପାଳ ଆଜି ସର୍କିଟ ହାଉସ ଠାରେ ପହଞ୍ଚିବା ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତ୍ତିରାୟ,ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥି , ତାଳଚେର ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକ, ଡେପୁଟୀ କଲେକ୍ଟର (ନିର୍ବାଚନ) ବୈତୁରା ଦୀପଙ୍କ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ପରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ନୂତନ ଜିଲ୍ଲାପାଳ ପୂର୍ବତନ ଜିଲ୍ଲାପାଳଙ୍କ ଠାରୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରକୁ ଯାଇ ଶ୍ରୀଜିଉ ଓ ମା ବୁଢ଼ୀ ଠାକୁରାଣୀଙ୍କର ପୂଜାର୍ଚ୍ଚନା କରିଥିଲେ ।
Spread the love